Odisha Link
Bridging the Missing Links in Odisha

ଦିଲ୍ଲୀରେ ଓଡ଼ିଶା ବିଜେପି ନେତାଙ୍କ ଡେରା; ୨୪ ପାଇଁ ଚାଲିଛି ପ୍ରସ୍ତୁତି

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଓଡ଼ିଶା ବିଜେପି। ଏଥିପାଇଁ ପାର୍ଟି ହାଇକମାଣ୍ଡଙ୍କ ଡାକରା ପାଇ ଦିଲ୍ଲୀରେ ଡେରା ପକାଇଛନ୍ତି ଓଡ଼ିଶା ବିଜେପି ନେତା। ୨୦୨୪ ବିଜୁ ଜନତା ଦଳକୁ କିଭଳି ମାତ ଦେବ ସେ ନେଇ ଦିଲ୍ଲୀରେ ରଣନୀତି ପ୍ରସ୍ତୁତି କରୁଛି ବିଜେପି। ବିଜେଡିକୁ ଚେକ୍‌ ଦେବା ପାଇଁ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତି କରୁଛି ବିଜେପି। ବିଶେଷ ଭାବେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ବିଜୟ ପରେ ରାଜ୍ୟ ବିଜେପି ଏବେ ଜୋଶରେ ଅଛି।

ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୨୦୨୪ ବିଧାନସଭା ନିର୍ବାଚନରେ ଓଡ଼ିଶା ବିଜେପି ମଧ୍ୟପ୍ରଦେଶ ଫର୍ମୁଲା ଆପଣାଇବାକୁ ପ୍ରସ୍ତୁତି ଚଳାଇଛି। ଦଳ ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ଆଗୁଆ ଟିକେଟ ଦେବାକୁ ଯୋଜନା କରୁଛି। ବିଶେଷକରି କଡା ଟକ୍କର ହୋଇଥିବା ୪୦-୫୦ଟି ସିଟରେ ଏମପି ଫର୍ମୁଲାରେ ଆଗୁଆ ବିଧାୟକ ଟିକେଟ୍ ଘୋଷଣା କରିପାରେ ବିଜେପି।

୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟ ବିଜେପି ୫ ହଜାର ଭୋଟ୍ ବ୍ୟବଧାନରେ ୧୦ଟି ସିଟରେ ହାରିଥିବାବେଳେ ୫ ହଜାରରୁ ୧୦ ହଜାର ଭିତରେ ୩୦ଟି ସିଟରେ ହାରିଥିଲା। ତେଣୁ ଏହି ୪୦ଟି ସିଟରେ ଏମପି ଫର୍ମୁଲାରେ ଆଗୁଆ ଟିକେଟ୍ ଘୋଷଣା କରି ଆସନ ହାତେଇବାକୁ ଯୋଜନା କରିପାରେ ଦଳ।

୨୦୨୪ ନିର୍ବାଚନରେ ବିଜେଡି ବିପକ୍ଷରେ ଲଢେଇ କରିବାକୁ କେନ୍ଦ୍ରିୟ ନେତୃତ୍ୱଙ୍କଠାରୁ ଗୁରୁମନ୍ତ୍ର ପାଇଁ ଦିଲ୍ଲୀରେ ଡେରା ପକାଇଛନ୍ତି ବିଜେପି ବିଧାୟକ। ଏହି ଗସ୍ତ ସମୟରେ ବିଜେପି ବିଧାୟକମାନେ ରାଜ୍ୟ ସଭାପତିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ଭେଟି ରାଜ୍ୟ ରାଜନୀତି ବିଷୟରେ ଆଲୋଚନା କରିବେ।

Leave A Reply

Your email address will not be published.