କରୋନାର ଜେଏନ୍ ୧ ଭାରିଏଣ୍ଟରେ ୨୧ ଜଣ ଆକ୍ରାନ୍ତ, ଗୋଆରେ ସର୍ବାଧିକ
ଓଏଲ୍ ବ୍ୟୁରୋ: ଦେଶରେ ପୁଣିଥରେ କରୋନା ମାମଲା ବଢ଼ିବାରେ ଲାଗିଛି। କରୋନାର ନୂଆ ସବ୍ ଭାରିଏଣ୍ଟ ଭାରତରେ ଚିହ୍ନଟ ହେବା ପରେ ଏବେ ସମସ୍ତଙ୍କ ମନୀେ ଛନକା। କାରଣ ଭାରତରେ ଦ୍ରୁତଗତିରେ ସଂକ୍ରମଣ କରିବାର କ୍ଷମତା ରଖିଥିବା ଜେଏନ ୧ ଭାରିଏଣ୍ଟ ୨୧ ଜଣଙ୍କ ଶରୀରରୁ ଠାବ ହୋଇଛି। ଗୋଆ, କେରଳ ଓ ମହାରାଷ୍ଟ୍ରରେ ଏହି ଭାରିଏଣ୍ଟରେ ମୋଟ ୨୧ ଜଣ ଏଯାଏ ଆକ୍ରାନ୍ତ ହେଲେଣି। ଲ୍ୟାବ ଟେଷ୍ଟରୁ ସମସ୍ତେ ଜେଏନ ୧ରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି।
ଗୋଆରେ ସର୍ବାଧିକ ୧୯ ଜଣ କୋଭିଡ ସବ ଭାରିଏଣ୍ଟ ଜେଏନ ୧ରେ ସଂକ୍ରିମତ ହୋଇଛନ୍ତି। ସେହିପରି କେରଳ ଓ ମହାରାଷ୍ଟ୍ରରେ ଜଣେ ଲେଖାଏ ବ୍ୟକ୍ତିଙ୍କ ନମୁନାରୁ ଏହା ଠାବ ହୋଇଛି। ଭାରତର କିଛି ରାଜ୍ୟରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ସବୁଠାରୁ ବଡ଼କଥା ହେଲା ଭୟ ସୃଷ୍ଟି କରିଥିବା ଓମିକ୍ରନର ବଂଶଧର ହେଉଛି ଜେଏନ ୧।
ଅନ୍ୟପଟେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ।ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳର ସ୍ୱାସ୍ଥ୍ୟମନ୍ତ୍ରୀ ଓ ସଚିବଙ୍କ ସହ ବୈଠକ କରିଛନ୍ତି କେନ୍ଦ୍ରମନ୍ତ୍ରୀ।ଆତଙ୍କିତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ଏବେ ଶୀତ ଓ ପାର୍ବଣ ଋତୁ ଚାଲୁଥିବାରୁ ସତର୍କ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡାକ୍ତର ଭିକେ ପଲ୍ କହିଛନ୍ତି, କେହି ବି ସ୍ଥିତିକୁ ଦେଖି ଆତଙ୍କିତ ହୁଅନ୍ତୁ ନାହିଁ। ବିଶେଷଜ୍ୟମାନେ ନୂଆ ଭାରିଏଣ୍ଟ ଉପରେ ନଜର ରଖିଛନ୍ତି। ତଥାପି ରାଜ୍ୟଗୁଡ଼ିକ କରୋନାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରନ୍ତୁ। ସେମାନେ ଟେଷ୍ଟ ବଢ଼ାନ୍ତୁ ଓ ସର୍ଭେଲାନ୍ସ ବ୍ୟବସ୍ଥାକୁ ଅଧିକ ସଶକ୍ତ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।