ହାରିବା ପରେ କଂଗ୍ରେସର ମାନସମନ୍ଥନ: ବଦଳିଲେ ଏହି ସବୁ ପ୍ରଦେଶର ପ୍ରଭାରୀ
ଓଏଲ୍ ବ୍ୟୁରୋ: ୩ଟି ରାଜ୍ୟରେ ପରାଜିତ ହେବା ପରେ କଂଗ୍ରେସର ମାନସମନ୍ଥନ। ବଦଳିଲେ କିଛି ରାଜ୍ୟର ପ୍ରଭାରୀ। ଶନିବାର ଦିନ କଂଗ୍ରେସ ତାର ସାଂଗଠନିକ ପରିବର୍ତ୍ତନ କରିଛି। କଂଗ୍ରେସ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ନିଜ ଟିମର ନବକଳେବର କରିଛନ୍ତି। ସବୁଠୁ ବଡ଼କଥା ହେଲା ପ୍ରିୟଙ୍କା ଗାନ୍ଧୀଙ୍କୁ ଉତ୍ତର ପ୍ରଦେଶ ପ୍ରଭାରୀ ପଦରୁ ବିଦା କରାଯାଇଛି। ତାଙ୍କ ସ୍ଥାନରେ ଅଭିନାଶ ପାଣ୍ଡେଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସେହିଭଳି ସଚିନ ପାଇଲଟଙ୍କୁ ଛତିଶଗଡର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି।
ବିହାରର ପିସିସି ପ୍ରଭାରୀଙ୍କୁ ବଦଳ କରି ମୋହନ ପ୍ରକାଶଙ୍କୁ ଦିଆଯାଇଛି। ରାଜସ୍ଥାନର ପ୍ରଭାରୀ ଭାବେ ସୁଖଜିନ୍ଦର ସିଂ ରନ୍ଧୱାଙ୍କୁ ଦାୟୀତ୍ୱ ଦିଆଯାଇଛି। ସୂଚନାଥାଉକି, ଡିସେମ୍ବର ୨୧ ତାରିଖରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ବସିଥିଲା। ଏହି ବୈଠକରେ ୫ଟି ରାଜ୍ୟରେ ହୋଇଥିବା ନିର୍ବାଚନ ଫଳାଫଳ ଉପରେ ବିଶ୍ଳେଷଣ କରାଯାଇଥିଲା।
Congress leader Priyanka Gandhi Vadra has been relieved from the post of AICC in-charge of UP Congress. Sachin Pilot appointed as in-charge of Chhattisgarh Congress. Ramesh Chennithala appointed as AICC in-charge of Maharashtra. pic.twitter.com/rbmHumcBEa
— ANI (@ANI) December 23, 2023
ବଦଳିଲେ ଓଡ଼ିଶା ପ୍ରଭାରୀ:
୨୦୨୪ ସାଧାରଣ ନିର୍ବାଚନ ପାଇଁ ବାଜିଲାଣି ବିଗୁଲ। ରାଜ୍ୟର ୩ ପ୍ରମୁଖ ଦଳ ଆରମ୍ଭ କରିଲେଣି ରଣନୀତି। ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ଦିଲ୍ଲୀରେ ଓଡ଼ିଶା ଦଖଲ ପାଇଁ କରୁଛନ୍ତି ପ୍ରସ୍ତୁତି। ଅନ୍ୟପଟେ ଦେଶର ସବୁଠି ଚର୍ଚ୍ଚାରେ ରହୁଥିବା ଆଞ୍ଚଳିକ ଦଳ ବିଜୁ ଜନତା ଦଳ ଲଗାତାର ୬ଷ୍ଠ ଥର ପାଇଁ ବିଜୟ ମୁକୁଟ ପିନ୍ଧିବା ପାଇଁ ଆପଣାଇଛି ସ୍ବତନ୍ତ୍ର ରଣନୀତି। ଏସବୁ ମଧ୍ୟରେ ବଦଳିଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ।
ଓଡ଼ିଶା ପ୍ରଦେଶ କଂଗ୍ରେସ ପାଇଁ ନିଯୁକ୍ତ ହେଲେ ନୂଆ ପ୍ରଭାରୀ। ଡାକ୍ତର ଅଜୟ କୁମାରଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ ନୂଆ ପ୍ରଭାରୀ ଭାବେ ନିଯୁକ୍ତ କରିଛି ଏଆଇସିସି। ଓଡ଼ିଶା ସହିତ ତାଙ୍କୁ ତାମିଲନାଡୁ ଓ ପୁଡୁଚେରୀରର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ଅପରପକ୍ଷେ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଥିବା ଡାକ୍ତର ଚେଲ୍ଲା କୁମାରଙ୍କୁ ମେଘାଳୟ, ମିଜୋରାମ ଓ ଅରୁଣାଚଳ ପ୍ରଦେଶ କଂଗ୍ରେସର ପ୍ରଭାରୀ କରିଛି ଏଆଇସିସି।