Odisha Link
Bridging the Missing Links in Odisha

କଳିଙ୍ଗନଗରରେ ଉଦ୍‌ଘାଟିତ ପୁଲିସ ଫାଣ୍ଡି

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର କ୍ୟାମ୍ପସ୍‌-୨ ନିକଟରେ ମଙ୍ଗଳବାର କମିଶନରେଟ୍‌ ପୁଲିସ୍‌ ପକ୍ଷରୁ କଳିଙ୍ଗନଗର ପୁଲିସ ଫାଣ୍ଡି ଉଦ୍‌ଘାଟିତ ହୋଇଯାଇଛି। ଦ୍ୱୈତ ନଗରୀରର ପୁଲିସ୍‌ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଏହି ଫାଣ୍ଡିର ଉଦ୍‌ଘାଟନ କରିଥିବା ବେଳେ ଏହି ଅବସରରେ ଆଡିସ୍‌ନାଲ୍‌ କମିଶନର ଅଫ୍‌ ପୁଲିସ ବ୍ରିଜେସ୍‌ କୁମାର ରାୟ, ଡିସିପି ପ୍ରତୀକ ସିଂ ଓ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଉପସ୍ଥିତ ଥିଲେ। ଏହି ଅଂଚଳରେ ଉଭୟ ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ ଓ ସମ୍‌ ଅଲ୍ଟିମେଟ ମେଡିକେୟାର ରହିଛି ଓ ପ୍ରତ୍ୟେକ ଦିନ ଅନେକ ସଂଖ୍ୟକ ରୋଗୀ ଏହି ଦୁଇ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ଆସୁଛନ୍ତି।

ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଏହି ପୁଲିସ୍‌ ଫାଣ୍ଡି ସ୍ଥାପନ କରାଯାଇଛି ବୋଲି ଏହି ଅବସରରେ କମିଶନର ପ୍ରିୟଦର୍ଶୀ କହିଥିଲେ। ଭରତପୁର ଥାନା ଅଧିନରେ ଏହି ଫାଣ୍ଡିଟି କାର୍ଯ୍ୟ କରିବ ବୋଲି କହିବା ସହ ଏଠାରେ ଦୁଇଜଣ ଅଫିସର ଓ ୬ ରୁ ୮ ଜଣ କନେଷ୍ଟବଳ ରହିବେ ଏବଂ ଗୋଟିଏ ପୁଲିସ୍‌ ଭ୍ୟାନ୍‌ ଯୋଗାଇ ଦିଆଯିବ ବୋଲି ପ୍ରିୟଦର୍ଶୀ କହିଥିଲେ। କଳିଙ୍ଗନଗର ଓ କଳିଙ୍ଗ ବିହାର ଅଂଚଳରେ ଲୋକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଓ ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ଫାଣ୍ଡି ଆରମ୍ଭ କରାଯାଇଥିବା ବୋଲି ସେ କହିଥିଲେ। ଏହି ଫାଣ୍ଡିର ପ୍ରତିଷ୍ଠା ନେଇ ଆବଶ୍ୟକୀୟ ଭିତିଭୂମି ନିମନ୍ତେ ସୋଆ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରାଯାଇଥିବାରୁ ଶ୍ରୀ ପ୍ର୍ରିୟଦର୍ଶୀ, ବିଶ୍ୱବିଦ୍ୟାଳୟ ଓ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ନାୟକଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ଜୋନ୍‌ ୫ ଅଂଚଳ ଅଧିନସ୍ଥ ଥାନାର ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ଅଂଚଳର ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.