ପୁଣି ଫେରିଲା କୋଭିଡ କଟକଣା: କର୍ଣ୍ଣାଟକରେ ହୁ ହୁ ହୋଇ ବଢୁଛି ସଂକ୍ରମଣ

ଓଏଲ୍ ବ୍ୟୁରୋ: କରୋନାର ନୂଆ ଭାରିଆଣ୍ଟ JN.1 ଭାରତରେ ଦ୍ରୁତ ସଂକ୍ରମଣ କରୁଛି। ପୁଣି ଫେରିଲା କୋଭିଡ କଟକଣା। କର୍ଣ୍ଣାଟକରେ ବ୍ୟାପୁଛି JN.1 ଭାରିଆଣ୍ଟ। ସଂକ୍ରମିତଙ୍କ ଲାଗି କଡ଼ା କଟକଣା କରାଯାଇଛି। ୭ ଦିନିଆ ଆଇସୋଲେସନ ବାଧ୍ୟତାମୂଳକ ହୋଇଛି। ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ ଟେଷ୍ଟିଂ ପାଇଁ ଗାଇଡଲାଇନ ଜାରି ହୋଇଛି। କର୍ଣ୍ଣାଟକରେ ୭୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବେଙ୍ଗାଳୁରୁରେ କେବଳ ୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏସବୁ ମଧ୍ୟରେ ଦୀର୍ଘ ଦିନର ବ୍ୟବଧାନ ପରେ ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କ୍ରମେ ତାହା ବୃଦ୍ଧି ପାଇଛି। ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନାର ନୂଆ ଭାରିଆଣ୍ଟ ଜେଏନ୍ ୧ସଂସ୍ପର୍ଶରେ ଆସି ସେ ଆକ୍ରାନ୍ତ ହୋଇଛନ୍ତି। ଏହି ପଜିଟିଭ୍ ମାମଲାକୁ ମିଶାଇ ବର୍ତ୍ତମାନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ରାଜ୍ୟରେ ନୂଆ କୋଭିଡ୍ ପଜିଟିଭ୍ ମାମଲା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରାଜ୍ୟରେ ଜେଏନ୍ ୧ ଭାରିଆଣ୍ଟ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୋଭିଡର ନୂଆ ଭାରିଆଣ୍ଟ JN.1କୁ ନେଇ ମନ୍ତବ୍ୟ ରଖିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି, ଏହି ଭାରିଆଣ୍ଟ ଏକ ସ୍ବତନ୍ତ୍ର ଭାରିଆଣ୍ଟ। ଇଂରାଜୀରେ କୁହାଯାଇଛି ‘ଷ୍ଟାଣ୍ଡ ଆଲୋନ୍ ଭାରିଆଣ୍ଟ’। ଅର୍ଥାତ ଏହି ଭାରିଆଣ୍ଟ ଅନ୍ୟ ଭାରିଆଣ୍ଟଠାରୁ ଅଲଗା। ଏହାର ଦ୍ରୁତ ସଂକ୍ରମଣ କ୍ଷମତା ପାଇଁ ଏହାକୁ ସ୍ବତନ୍ତ୍ର କ୍ୟାଟେଗୋରିରେ ରଖାଯାଇଛି। ହୁ କହିଛି, ଏହି ଭାରିଆଣ୍ଟ ବହୁତ ବଡ଼ ବିପଦ ସୃଷ୍ଟି କରିପାରିବ ନାହିଁ। ଶୀତଦିନରେ ଏହା ଦ୍ରୁତ ସଂକ୍ରମଣ ଘଟାଇପାରେ।