Odisha Link
Bridging the Missing Links in Odisha

ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବଢ଼ିଲା, ଆଉ ୬ ମାସ ତୁଲାଇବେ ଗୁରୁ ଦାୟିତ୍ବ

ଓଏଲ୍‌ ବ୍ୟୁରୋ: ଆଗକୁ ୨୦୨୪ ସାଧାରଣ ନିର୍ବାଚନ। କିଭଳି ସୁରୁଖରୁରେ ରାଜ୍ୟରେ ନିର୍ବାଚନ ହେବ ସେଥିପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି। ଏହାକୁ ନଜରରେ ରଖି ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି କରିଛନ୍ତି। ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ରାଜ୍ୟ ସରକାର ପଠାଇଥିବା ପ୍ରସ୍ତାବରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ମୋହର ମାରିଛି। ସେ ୨୦୨୪ ଜୁନ୍ ପର୍ଯ୍ୟନ୍ତ ମୁଖ୍ୟ ଶାସନ ସଚିବ ରହିବେ। ତାଙ୍କର ଆସନ୍ତା ୩୧ ତାରିଖରେ ଅବସର ଗ୍ରହଣ କରିବାର ଥିଲା।

ଗତ ମାର୍ଚ୍ଚ ୧ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ବରିଷ୍ଠ ଆଇଏଏସ୍ ଅଫିସର ପ୍ରଦୀପ କୁମାର ଜେନା। ସେ ହେଉଛନ୍ତି ୧୯୮୯ ବ୍ୟାଚ୍‌ର ଆଇଏଏସ୍ ଅଫିସର୍। ପ୍ରାଶାସନିକ ଦକ୍ଷତା ପାଇଁ ସେ ପରିଚିତ। ୧୯୬୪ ମସିହା ଜାନୁଆରୀ ୧ରେ ଢେଙ୍କାନାଳରେ ଜନ୍ମ ଗ୍ରହଣ କରିଥିବା ପ୍ରଦୀପ କୁମାର ଜେନା ଧର୍ମଗଡ଼ର ଉପଜିଲ୍ଲାପାଳ ଭାବେ କ୍ୟାରିୟର ଆରମ୍ଭ କରି ପରେ କଳାହାଣ୍ଡିର ଜିଲ୍ଲାପାଳ ହୋଇଥିଲେ।

ନିଜ କାର୍ଯ୍ୟଦକ୍ଷତା ପାଇଁ ବହୁ ସମୟରେ ସେ ଚର୍ଚ୍ଚାରେ ରହି ଆସିଛନ୍ତି। ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗରେ ସେ ଦକ୍ଷତାର ସହ ଦାୟିତ୍ବ ତୁଲାଇ ଆସିଛନ୍ତି। ଆସନ୍ତା ବର୍ଷ ପ୍ରଥମାର୍ଦ୍ଧରେ ସାଧାରଣ ନିର୍ବାଚନ ଥିବାରୁ ଶ୍ରୀ ଜେନାଙ୍କ କାର୍ଯ୍ୟକାଳ ବୃଦ୍ଧି ଉଭୟ ରାଜନୈତିକ ଓ ପ୍ରଶାସନିକ ମହଲରେ ବେଶ୍ ଗୁରୁତ୍ବ ବହନ କରୁଛି।

Leave A Reply

Your email address will not be published.