Odisha Link
Bridging the Missing Links in Odisha

ଗୌରହରି ଦାସଙ୍କ ଦୁଇଟି ବହି ଉନ୍ମୋଚିତ

'ଭ୍ରମଣ କାହାଣୀ' ଓ 'ଗାନ୍ଧୀ ଜୟନ୍ତୀ ଓ ଅନ୍ୟାନ୍ୟ କାହାଣୀ' ଉନ୍ମୋଚିତ

ଭୁବନେଶ୍ବର: ସାମ୍ବାଦିକତାର ବ୍ୟସ୍ତ ଜୀବନ ମଧ୍ୟରେ ବି ନିଜର ସୃଜନକୁ ଆଦୌ ଅବହେଳା କରିନାହାନ୍ତି ଗୌରହରି ଦାସ। ତାଙ୍କ ଗଳ୍ପ ଓ ଉପନ୍ୟାସରେ ସବୁବେଳେ ସେ ନୂଆକଥା କହିଛନ୍ତି, କେବେ ବି କୌଣସି କଥା ଦୋହରାଇନାହାନ୍ତି। ତେବେ ତାଙ୍କ ପାଖରେ ଉପନ୍ୟାସ ଲେଖିବାର ଯେଉଁ ଦକ୍ଷତା ଅଛି ତାହାକୁ ସେ ଏକ ମହାଉପନ୍ୟାସ ଲେଖିବାରେ ପ୍ରୟୋଗ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକ। ଗୌରହରି ଦାସଙ୍କ ଦୁଇଟି ବହିର ଉନ୍ମୋଚନ ସଭାରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ତାଙ୍କଠାରୁ ଓଡ଼ିଆ ସାହିତ୍ୟ ଏଭଳି ଏକ ଉପନ୍ୟାସର ଅପେକ୍ଷା ରଖିଛି।

ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଜୟଦେବ ଭବନରେ ଶୁକ୍ରବାର ସଂଜରେ ଆୟୋଜିତ ‘ଭ୍ରମଣ କାହାଣୀ’ ଓ ‘ଗାନ୍ଧୀ ଜୟନ୍ତୀ ଓ ଅନ୍ୟାନ୍ୟ କାହାଣୀ’ ବହିଦ୍ବୟର ଉନ୍ମୋଚନ ସଭାରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ କବି ଓ ଚିନ୍ତକ ହରପ୍ରସାଦ ଦାସ କହିଥିଲେ ଯେ ଭ୍ରମଣ କାହାଣୀ ଲେଖିବା ଏକ କଳା। ସେ କଳାକୁ ଗୌରହରି ବେଶ୍‌ ଆୟତ୍ତ କରିଛନ୍ତି। ତାଙ୍କ କାହାଣୀ, ଭ୍ରମଣ ଅନୁଭୂତି ଓ ପ୍ରବନ୍ଧ ପଢ଼ିବାବେଳେ ଏକ ନୂଆ ପୃଥିବୀରେ ବିଚରଣ କରିବା ଭଳି ଲାଗେ। ସାହିତ୍ୟର ସବୁ ବିଭାଗରେ ସେ ଉତ୍କର୍ଷ ଲାଭ କରିଛନ୍ତି ବୋଲି ଶ୍ରୀ ଦାସ କହିଥିଲେ।

‘ଗାନ୍ଧୀ ଜୟନ୍ତୀ ଓ ଅନ୍ୟାନ୍ୟ କାହାଣୀ’ର ସମୀକ୍ଷା କରି ବିଶିଷ୍ଟ ଲେଖକ ଓ ଅନୁବାଦକ ଯତୀନ୍ଦ୍ର କୁମାର ନାୟକ କହିଲେ ଯେ ଗାନ୍ଧୀ ଏକ ବିସ୍ତୃତ ବିଷୟ ଏବଂ କାହାଣୀରେ ଗାନ୍ଧୀଙ୍କୁ ଚରିତ୍ର ନକରି ଗାନ୍ଧୀଦର୍ଶନ ସମ୍ବନ୍ଧିତ ଅବବୋଧ, ଆବେଗ ଓ ଅବକ୍ଷୟକୁ ନେଇ ଚମତ୍କାର ଗଳ୍ପ ରଚନା କରିଛନ୍ତି ଗୌରହରି। ଗାନ୍ଧୀଙ୍କୁ ଅଦରକାରୀ ରାଜନୈତିକ ଉପାଦାନ ଭାବେ ବ୍ୟବହାର କରାଯାଉଥିବା ସମୟରେ ଏ ଗଳ୍ପ ସବୁ ପାଠକଙ୍କୁ ପୁଣି ଗାନ୍ଧୀମନସ୍କ କରିବ ବୋଲି ଶ୍ରୀ ନାୟକ ମତ ରଖିଥିଲେ।

ଗୌରହରିଙ୍କ ତିନୋଟି ଭ୍ରମଣ ପୁସ୍ତକର ଏକତ୍ର ସମାହାର ଗ୍ରନ୍ଥ ‘ଭ୍ରମଣ କାହାଣୀ’ର ସମୀକ୍ଷା କରି ବିଶିଷ୍ଠ କଥାକାର ଦେବପ୍ରସାଦ ଦାଶ କହିଲେ ଯେ ଏ ବହିରେ ଲେଖକଙ୍କ ଜିଜ୍ଞାସୁ ଦୃଷ୍ଟି ଓ ସୃଜନ ସ୍ପର୍ଶ ବେଶ୍‌ ପରିଦୃଷ୍ଟ। ଏ ବହି ପଢ଼ିବାବେଳେ ଆମେ ସେ ଦେଶ ସବୁ ବୁଲିବାର ସାମୟିକ ଅନୁଭବ ସହ ସେଠାର ସଂସ୍କୃତି, ମୂଲ୍ୟବୋଧ, ଇତିହାସ, ଚାଲିଚଳଣ ଓ ରାଜନୀତି ସହ ମଧ୍ୟ ପରିଚିତ ହେଉ। ଚଟୁଳ ରସିକତା ଏ ବହିକୁ ଅଧିକ ପଠନ ଉପଯୋଗୀ କରିଛି ବୋଲି ଶ୍ରୀ ଦାଶ ମତ ଦେଇଥିଲେ।

ଲେଖକୀୟ ବକ୍ତବ୍ୟରେ ଗୌରହରି ଦାସ ୧୯୯୬ରେ ତାଙ୍କର ପ୍ରଥମ ବିଦେଶ ଗସ୍ତର ଅନୁଭୂତି ବଖାଣିବା ସହ ବିଭିନ୍ନ ସମୟରେ ଯେଉଁମାନେ ତାଙ୍କୁ ଉତ୍ସାହ, ପ୍ରେରଣା ଓ ସହଯୋଗ ଦେଇଥିଲେ ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ।

କଥାକାର ଶୁଭ୍ରାଂଶୁ ପଣ୍ଡା ଉତ୍ସବରେ ଅଧ୍ୟକ୍ଷତା କରିଥିବାବେଳେ ସଭାନ୍ତେ ଧନ୍ୟବାଦ ଅର୍ପଣ କରିଥିଲେ ବ୍ୟଙ୍ଗକବି କୁଳାଙ୍ଗାର।

Leave A Reply

Your email address will not be published.