Odisha Link
Bridging the Missing Links in Odisha

ଆଜି ନୃତ୍ୟ ଦିବସ; ଏବେବି ଲୋକପ୍ରିୟ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ

ଓଏଲ୍‌ ବ୍ୟୁରୋ: ସାହିତ୍ୟ, କଳା ଓ ପରମ୍ପରାକୁ ନେଇ ସବୁବେଳେ ସମୃଦ୍ଧ ହୋଇ ଆସିଛି ଆମ ଭାରତୀୟ ସଂସ୍କୃତି। ‘ନୃତ୍ୟ’ ଓ ‘ନାଟକ’ ଭାରତୀୟ ସଂସ୍କୃତିର ଦୁଇ ଅବିଚ୍ଛେଦ୍ୟ ଅଙ୍ଗ। ସମୟ ଯେତେ ବଦଳିଲେ ବି, ମଣିଷ ଯେତେ ଆଧୁନିକ ହେଲେ ବି ମନୋରଞ୍ଜନର ଏହି ଦୁଇ ପ୍ରମୁଖ ମାଧ୍ୟମ ଆଜି ସୁଦ୍ଧା ନିଜର ସ୍ଥିତି ମଜଭୁତ ରଖିଛି। ସମୟ ସହ ତାଳଦେଇ ନୃତ୍ୟର ବିବର୍ତ୍ତନ ଘଟିଛି। ଆଧୁନିକ ଯୁଗର ତାଳରେ ସୋସିଆଲ ମିଡିଆ ଏବେ ଅନ୍ୟ ଏକ ଅଙ୍ଗ ପାଲଟିଛି। ନୃତ୍ୟ ବିନା ଯେମିତି ସବୁ କିଛି ଅଧା ଅଧୁରା ଲାଗୁଥିବାବେଳେ ସୋସିଆଲ ମିଡିଆ ଏବେ ନୂଆ ପ୍ଲାଟଫର୍ମ ପାଲଟିଛି। ଅନେକଙ୍କ ଭିତରେ ଥିବା କଳାକୁ ଉଜ୍ଜୀବିତ କରିବାରେ ସହାୟକ ହୋଇଛି ସୋସିଆଲ ମିଡିଆ। ହେଲେ ପାରମ୍ପରିକ ନୃତ୍ୟ ଆଉ ଆଗ ଭଳି ଦେଖିବାକୁ ମିଳୁ ନାହିଁ। ତେବେ ଆଜି ହେଉଛି ଅନ୍ତର୍ଜାତୀୟ ନୃତ୍ୟ ଦିବସ।

ଜାଣନ୍ତୁ ଏହା କେବେ କେଉଁଠୁ ହୋଇଥିଲା ଆରମ୍ଭ..

ୟୁନେସକୋ ଦ୍ବାରା ୧୯୮୨ରୁ ପ୍ରତିବର୍ଷ ଏପ୍ରିଲ ୨୯ରେ ପାଳିତ ହେଉଛି ଅନ୍ତର୍ଜାତୀୟ ନୃତ୍ୟ ଦିବସ। ଏହା ଆଧୁନିକ ବାଲେ ନୃତ୍ୟ ସ୍ରଷ୍ଟା ଜାଁ ଜର୍ଜେସ ନାଭେରଙ୍କ ଜନ୍ମ ଜୟନ୍ତୀକୁ ବିଶ୍ବ ନୃତ୍ୟ ଦିବସ ଭାବେ ପାଳନ କରାଯାଉଛି। ସେ ୧୭୨୭ ମସିହା ଏପ୍ରିଲ ଏହି ଦିନରେ ପ୍ୟାରିସରେ ଜନ୍ମ ହୋଇଥିଲେ। ତେବେ ନୃତ୍ୟର ଇତିହାସ ବହୁ ପୁରୁଣା। ଏହାସହ ୧୯୯୬ ମସିହାରେ ଓହିଓରେ ୭୨ ହଜାର ଲୋକ ଏକତ୍ର ହୋଇ ସମବେତ ଚିକେନ-ଡ୍ୟାନ୍ସ ପରିବେଷଣ କରିଥିଲେ, ଯାହା ଏକ ରେକର୍ଡ। ସେହିପରି ୧୯୯୬ରେ ଡେଭିଡ ମିନାନ୍, ଟାପ୍-ଡାନସ ନାଚିନାଚି ୭୭ କିମି ଅତିକ୍ରମ କରିଥିଲେ। ସେହି ରେକର୍ଡ ଆଜିଯାଁଏ ବି ଅତୁଟ ରହିଛି। ମାର୍ଥା ଗ୍ରାହାମ (୧୮୯୪-୧୯୯୧)ଙ୍କୁ ଆଧୁନିକ ନୃତ୍ୟର ଜନନୀ ବୋଲି କୁହାଯାଏ। ସେ ନର୍ତ୍ତକ-ନର୍ତ୍ତକୀଙ୍କୁ ଭଗବାନଙ୍କ ଖେଳାଳୀ ବୋଲି କହୁଥିଲେ।

ଓଡ଼ିଶୀ ଭାରତର ଆଠଟି ଶାସ୍ତ୍ରୀୟ ନୃତ୍ୟ ଭିତରୁ ଏକ..

ଓଡ଼ିଶୀ ଭାରତରେ ପ୍ରଚଳିତ ଓ ଓଡ଼ିଶାରୁ ଆରମ୍ଭ ହୋଇଥିବା ଏକ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ପରମ୍ପରା। ଏଥିରେ ଅନ୍ତର୍ଭୁକ୍ତ ଓଡ଼ିଶୀ ନୃତ୍ୟକୁ ଭାରତ ସରକାର ଶାସ୍ତ୍ରୀୟ ନୃତ୍ୟ ଓ ଓଡ଼ିଶୀ ସଙ୍ଗୀତକୁ ଓଡ଼ିଶା ସରକାର ଶାସ୍ତ୍ରୀୟ ସଙ୍ଗୀତ ତାଲିକାଭୁକ୍ତ କରିଛନ୍ତି। ଓଡ଼ିଶା ତତ୍କାଳୀନ କଳିଙ୍ଗର ଅଂଶ ଥିଲା ଓ ଖାରବେଳଙ୍କ ସମୟରେ ଖୋଦିତ ରାଣୀଗୁମ୍ଫା, ସ୍ୱର୍ଗପୁରୀ ଓ ମଞ୍ଚପୁରୀ ଗୁମ୍ଫାର ଗାତ୍ରରେ ଦେଖିବାକୁ ମିଳୁଥିବା ନର୍ତ୍ତକୀମାନଙ୍କର ପ୍ରତିମା ତଥା ହାତୀଗୁମ୍ଫା ଅଭିଲେଖରେ ବର୍ଣ୍ଣିତ ନୃତ୍ୟ ବର୍ତ୍ତମାନର ଓଡ଼ିଶୀ ନୃତ୍ୟର ସହ ସମ୍ବନ୍ଧ ଦର୍ଶାଇଥାଏ। ପ୍ରଥମ ଖ୍ରୀଷ୍ଟପୂର୍ବ କାଳରେ ଆଧୁନିକ ଭୁବନେଶ୍ୱରସ୍ଥିତ ଖଣ୍ଡଗିରି ଓ ଉଦୟଗିରିଠାରେ ଓଡ଼ିଶୀ ଏକ ଉନ୍ନତ ନୃତ୍ୟକଳାରେ ପରିଣତ ହୋଇସାରିଥିଲା।

ଭରତ ତାଙ୍କ ରଚିତ ନାଟ୍ୟ ଶାସ୍ତ୍ରରେ କଳିଙ୍ଗ ନୃତ୍ୟ ଶୈଳୀରେ ଓଡ଼ିଶୀ ନୃତ୍ୟ ବାବଦରେ ବର୍ଣ୍ଣନା କରି ଏହାର ନାମ ଓଡ୍ର-ମାଗଧି ବୋଲି ଉଲ୍ଲେଖ କରିଥିଲେ। ଭୁବନେଶ୍ୱରର ପର୍ଶୁରାମେଶ୍ୱର ମନ୍ଦିର, ବୈତାଳ ମନ୍ଦିର, ଶିଶିରେଶ୍ୱର ମନ୍ଦିର, ମାର୍କଣ୍ଡେଶ୍ୱର ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ରାଜରାଣୀ ମନ୍ଦିର, ଲିଙ୍ଗରାଜ ମନ୍ଦିର, ମେଘେଶ୍ୱର ମନ୍ଦିର, ପୁରୀର ଜଗନ୍ନାଥ ମନ୍ଦିର ଏବଂ କୋଣାର୍କର ସୂର୍ଯ୍ୟମନ୍ଦିରର ବର୍ହିଭାଗରେ ଖୋଦିତ ନର୍ତ୍ତକୀ ଓ ନାୟିକାମାନଙ୍କର ଅଙ୍ଗଭଙ୍ଗୀ ଓ ମୁଦ୍ରାରୁ ଓଡ଼ିଶୀ ନୃତ୍ୟର ପରମ୍ପରା ସମୃଦ୍ଧ ହୋଇଥିବା ଜଣାଯାଏ। ପରବର୍ତ୍ତୀ କାଳରେ ଏହି ନୃତ୍ୟ ଦେବଦାସୀ ନୃତ୍ୟ (ମାହାରୀ) ଓ ଗୋଟିପୁଅ ଆଦି ନୃତ୍ୟ ପରମ୍ପରାଦ୍ୱାରା ପରିବେଷିତ ହୋଇଆସୁଛି।

ଭାରତ ସ୍ୱାଧୀନ ହେବା ପରେ ଏହି ନୃତ୍ୟ ପରମ୍ପରାର ପୁନରୁଦ୍ଧାର କରାଯାଇ ଓଡ଼ିଶୀ ନାମରେ ନାମକରଣ କରାଗଲା ଓ ୧୯୬୪ ମସିହାରେ ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ ମାନ୍ୟତା ପାଇଲା। ଏହି ପଦଃକ୍ଷେପ ପଛରେ ମୁଖ୍ୟତଃ ନୃତ୍ୟଗୁରୁ କାଳୀଚରଣ ପଟ୍ଟନାୟକ, ପଙ୍କଜ ଚରଣ ଦାସ, ଦେବ ପ୍ରସାଦ ଦାସ ଓ କେଳୁଚରଣ ମହାପାତ୍ରଙ୍କ ଭୂମିକା ଅନ୍ୟତମ। ଏହି ନୃତ୍ୟରେ ପଖଉଜ, ବେହେଲା, ଗିନି, ଝାଞ୍ଜ ଓ ବଂଶୀ ଆଦି ବାଦ୍ୟଯନ୍ତ୍ର ବ୍ୟବହାର କରାଯାଏ।

ପୁରାତନ ତତ୍ତ୍ୱ ଅନୁସାରେ, ଓଡ଼ିଶୀ ଭାରତର ଜୀବନ୍ତ ନୃତ୍ୟକଳା ଭିତରୁ ଗୋଟିଏ। ଏହାର ତ୍ରିଭଙ୍ଗୀ ଠାଣି ବା ଦେହର ତିନୋଟି ଅଙ୍ଗ ମୁଣ୍ଡ, ଛାତି ଓ ଅଣ୍ଟାର ସ୍ୱାଧୀନ ଗତି ହେତୁ ଏହାକୁ ବାକି ଭାରତୀୟ ନୃତ୍ୟ ପରମ୍ପରାରୁ ଭିନ୍ନ। ଓଡ଼ିଶୀ ନୃତ୍ୟର ବୈଶିଷ୍ଟ୍ୟ ମଧ୍ୟରେ ଅଙ୍ଗଭଙ୍ଗୀ ଓ ଲାଳିତ୍ୟ ତଥା ଏହାର ପାଞ୍ଚଗୋଟି ପର୍ଯ୍ୟାୟ ଯଥା: ମଙ୍ଗଳାଚରଣ, ବଟୁ, ପଲ୍ଲବୀ, ଅଭିନୟ ଓ ମୋକ୍ଷ ଅନ୍ୟତମ। ନୃତ୍ୟ ଆରମ୍ଭରେ ନର୍ତ୍ତକୀ ଶ୍ରୀଜଗନ୍ନାଥଙ୍କୁ ପୁଷ୍ପାଞ୍ଜଳୀଦ୍ୱାରା ପ୍ରଣାମ ନିବେଦନ କରି ଶେଷରେ ମୋକ୍ଷ ଲାଭ କାମନା କରି ପ୍ରଣତି ଜଣାଇଥାନ୍ତି। ଏହି ନୃତ୍ୟରେ ପଖଉଜ, ବେହେଲା, ଗିନି, ଝାଞ୍ଜ ଓ ବଂଶୀ ଆଦି ବାଦ୍ୟଯନ୍ତ୍ର ବ୍ୟବହାର କରାଯାଏ। ଓଡ଼ିଶୀର ମୌଳିକ ଚଉକୋଣ ନାଚକୁ ଚଉକା କୁହାଯାଏ।

ଜଗନ୍ନାଥ ମନ୍ଦିର ନୀତିରେ ଓଡ଼ିଶୀ

ଖାରବେଳଙ୍କ ସମୟରେ ଅଙ୍କାଯାଇଥିବା ଉଦୟଗିରିର ମଞ୍ଚପୁରୀ ଗୁମ୍ଫାରେ ସବୁଠୁ ପୁରୁଣା ଓଡ଼ିଶୀ ନାଚର ଖୋଦିତ ହୋଇଥିବା ଦେଖିବାକୁ ମିଳିଥାଏ। ନାରୀମାନଙ୍କ ବାଦ୍ୟଯନ୍ତ୍ର ବାଜଣା ସହ ଓଡ଼ିଶୀ ନର୍ତ୍ତକୀମାନଙ୍କର ନାଚକୁ ଖାରବେଳ ଉପଭୋଗ କରୁଥିଲେ। ପରେ ଏହା ମନ୍ଦିର ଚଳଣିରେ ଯୋଡ଼ା ହେଲା। ଜଗନ୍ନାଥ ମନ୍ଦିରରୁ ପ୍ରଥମେ ଆରମ୍ଭ କରି ତା’ପରେ ବାକି ଶିବ ଓ ବିଷ୍ଣୁ ମନ୍ଦିରମାନଙ୍କରେ ଏହା ପ୍ରଚଳିତ ହୋଇଥିଲା। ମାହାରୀମାନେ ନିଜ ଜୀବନ ଭଗବାନଙ୍କ ପାଖରେ ଅର୍ପଣ କରି ମନ୍ଦିର ଭିତରେ ନୃତ୍ୟ ପ୍ରଦର୍ଶନ କରିବା ଆରମ୍ଭ କରିଥିବାର ଓଡ଼ିଶାର ମନ୍ଦିର ଗାତ୍ରରେ ଥିବା ମୂର୍ତ୍ତିରୁ ଜଣାପଡ଼େ। ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରେ ଓଡ଼ିଶୀର ଇତିହାସ ଉଦୟଗିରିର ରାଣୀଗୁମ୍ଫାରୁ ମିଳିଥିବା ପୋଥିରୁ ଜଣାଯାଏ। ଐତିହାସିକ ପରମ୍ପରା ଓ ରୀତିନୀତିକୁ ଆଖିରେ ରଖି ଓଡ଼ିଶୀକୁ ସର୍ବପୁରାତନ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ଦିଆଯାଇଥାଏ।

Leave A Reply

Your email address will not be published.