Odisha Link
Bridging the Missing Links in Odisha

ଫେବ୍ରୁଆରୀ ୩ରୁ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

ଓଏଲ୍‌ ବ୍ୟୁରୋ: ଫେବ୍ରୁଆରୀ ମାସରେ ଅନୁଷ୍ଠିତ ହେବ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ। ଫେବ୍ରୁଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ଓଡ଼ିଆ ଭାଷା ସମ୍ମିଳନୀ। ଏନେଇ ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ସମ୍ମିଳନୀ ଯେପରି ବିପୁଳ ସଫଳତା ହାସଲ କରିବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଆରୋପ କରିଛନ୍ତି। ଏଥିପାଇଁ ସବୁ ସଂପୃକ୍ତ ବିଭାଗ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହିତ ସମନ୍ବୟ ରକ୍ଷା କରି କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଥାଉକି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଐତିହ୍ୟ କ୍ୟାବିନେଟ ବୈଠକରେ ନିଆଯାଇଥିଲା ବଡ଼ ନିଷ୍ପତ୍ତି।ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ପାଇଁ ପ୍ରଥମ ଥର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରିବା ପାଇଁ ନିଷ୍ପତ୍ତି ହୋଇଛି। ୨୦୨୪ ଫେବୃଆରୀ ମାସରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ପାଇଁ ଐତିହ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରାଯାଇଥିଲା।

ବିଭାଗୀୟ ମନ୍ତ୍ରୀ ଅଶ୍ବିନୀ ପାତ୍ର କହିଥିଲେ, କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି କ୍ରମେ ରାଜ୍ୟ ରାଜଧାନୀ ଭୁବନେଶ୍ବରଠାରେ ପ୍ରଥମ ‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ ଆୟୋଜନ କରାଯିବ। ୨୦୨୪ ମସିହା ଫେବୃଆରୀ ମାସରେ ତିନି ଦିନ ‘ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ’ ଆୟୋଜନ କରାଯିବ।

ଏ ସମ୍ପର୍କରେ ଅଧିକ ସୂଚନା ଦେଇ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଓ ସଂସ୍କୃତି ସଚିବ ସୁଜାତା ରାଉତ କାର୍ତ୍ତିକେୟନ କହିଥିଲେ ଯେ, ଏହି ସମ୍ମିଳନୀରେ ବିଶ୍ୱର ବିଭିନ୍ନ ଭାଗରେ ଥିବା ଭାଷାବିତ୍ ଓ ଗବେଷକମାନଙ୍କୁ ଆମନ୍ତ୍ରଣ କରାଯିବ। ଏଥିରେ କେବଳ ଓଡ଼ିଆ ଭାଷା ନୁହେଁ ଓଡ଼ିଶାରେ ବ୍ୟବହୃତ ହେଉଥିବା ସମସ୍ତ ଭାଷାର ପ୍ରଚାର-ପ୍ରସାର ଓ ସଂରକ୍ଷଣ ଦିଗରେ ଅଧିକ କ’ଣ ପଦକ୍ଷେପ ନିଆଯାଇପାରିବ ତା’ଉପରେ ବିସ୍ତୃତ ଆଲୋଚନା ହେବ। ସମ୍ମିଳନୀକୁ ଆସିଥିବା ଗବେଷକ ଓ ବିଶେଷଜ୍ଞମାନଙ୍କ ମତାମତ ସଂଗ୍ରହ କରାଯିବ। ଭାଷା ବୈଜ୍ଞାନିକମାନଙ୍କୁ ମଧ୍ୟ ନିଜର ଗବେଷଣାଲବ୍ଧ ତଥ୍ୟ ଉପସ୍ଥାପନ କରିବାର ସୁଯୋଗ ମିଳିବ।

ଏହି ସମ୍ମିଳନୀ ସମୟରେ ଶିକ୍ଷାନୁଷ୍ଠାନ/ବିଶ୍ବବିଦ୍ୟାଳୟମାନେ ନିଜନିଜର କାର୍ଯ୍ୟକ୍ରମ ଆୟୋଜନ କରିବେ। ଏହି “ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ” ଆୟୋଜନ ଦ୍ବାରା ରାଜ୍ୟ, ରାଜ୍ୟ ବାହାରେ ଓ ବିଦେଶରେ ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ତଥା ଗବେଷଣା କାର୍ଯ୍ୟ ତ୍ବରାନ୍ବିତ ହେବ । ଏତଦ୍ ବ୍ୟତୀତ ମାତୃଭାଷାକୁ ସମ୍ମାନ ଦେବା ଓ ଏହାର ଉନ୍ନତି ସାଧନ କରିବା ତଥା ଆଗାମୀ ପିଢିଙ୍କ ପାଇଁ ଓଡ଼ିଆ ଭାଷାର ଅସ୍ମିତାକୁ ବଜାୟ ରଖିବା କାର୍ଯ୍ୟ ସମ୍ପାଦନରେ ଉକ୍ତ ସମ୍ମିଳନୀର ପ୍ରଭାବ ସୁଦୂର ପ୍ରସାରୀ ହୋଇପାରିବ।

ଶାସ୍ତ୍ରୀୟ ଭାଷା ଓଡ଼ିଆକୁ ଆହୁରି କିପରି ଲୋକପ୍ରିୟ କରାଯିବ ଏ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରାଯିବ। ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତି ଓ ପ୍ରଯୁକ୍ତି ବିଦ୍ୟା ଯୁଗରେ ଏହି ଭାଷା ସମ୍ମିଳନୀ ଯୁବପିଢ଼ିଙ୍କୁ ଓଡ଼ିଆ ଭାଷା ପ୍ରତି ଆକର୍ଷିତ କରିବ। ଏହି ସମ୍ମିଳନୀରେ ଓଡ଼ିଆ ଭାଷାର ପ୍ରାଚୀନତା ଓ ଭବିଷ୍ୟତର ପ୍ରାସଙ୍ଗିକତା ଉପରେ ଅନେକ ତର୍କ ଭିତ୍ତିକ ଓ ମାର୍ମିକ ତର୍ଜମା କରାଯିବ। ଦେଶ ବିଦେଶରେ ରହୁଥିବା ଓଡ଼ିଆ ଭାଷାବିତ୍‌ମାନେ ଯୋଗ ଦେଇ ଓଡ଼ିଆ ଭାଷାର ସର୍ବ ପ୍ରାଚୀନତା ଓ ନିରନ୍ତରତା ସମ୍ପର୍କରେ ବିଭିନ୍ନ ପର୍ଯ୍ୟାୟ ଭିତ୍ତିକ ଆଲୋଚନା କରିବେ । ଏଥିରେ ଓଡ଼ିଆ ଭାଷାର ଉତ୍ପତ୍ତି, କ୍ରମବିକାଶ ଓ ଲୋକପ୍ରିୟତା ଉପରେ ସାରଗର୍ଭକ ଆଲୋଚନାମାନ ଅନୁଷ୍ଠିତ ହେବ। ଏଥିସହ ବିଶେଷଜ୍ଞମାନେ ଏହି ତିନି ଦିନରେ ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ରୂପରେଖ ଉପରେ ତଥ୍ୟ ଭିତ୍ତିକ ଉପସ୍ଥାପନ କରିବେ।

ସମ୍ମିଳନୀରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ ତଥା ସବୁ ବର୍ଗର ବ୍ୟକ୍ତିବିଶେଷ ଯୋଗଦେବେ। ଓଡ଼ିଆ ଭାଷାକୁ ଅଭିନବ ଭାବେ କିଭଳି ଶିଖି ହେବ ଏ ସମ୍ପର୍କରେ ମଧ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ଏହି ସମ୍ମିଳନୀ ବିଶ୍ୱର କଣ ଅନୁକୋଣରେ ରହୁଥିବା ଓଡ଼ିଆ ଭାଷାଭାଷୀମାନଙ୍କ ନିମନ୍ତେ ଏକ ନୂତନ ଆଲୋକବର୍ତ୍ତିତା ହେବ।

Leave A Reply

Your email address will not be published.