ପାଖେଇ ଆସୁଛି ସାଧାରଣ ନିର୍ବାଚନ; ଆଜି ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା
ଓଏଲ୍ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବାଜିଲାଣି ବିଗୁଲ। ରାଜ୍ୟର ୩ ପ୍ରମୁଖ ଦଳ ଆରମ୍ଭ କରିଲେଣି ରଣନୀତି।ଏହାରି ମଧ୍ୟରେ ଆଜି ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା। ଏହା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ନେଇ ସର୍ବଦଳୀୟ ବୈଠକ କରିଥିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ବୈଠକରେ ନିର୍ବାଚନ ସମ୍ପର୍କିତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶାବଳୀ ସମ୍ପର୍କରେ ଆଲୋଚନା କରାଯାଇଛି।
ପ୍ରକାଶ ପାଇଥିବା ଥିବା ଭୋଟର ତାଲିକା ଅନୁସାରେ, ରାଜ୍ୟରେ ମୋଟ୍ ଭୋଟରଙ୍କ ସଂଖ୍ୟା ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ଜଣ। ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ୫୦ ହଜାର ୯୪୯ ଜଣ ଥିବା ବେଳେ, ମହିଳା ଭୋଟରଙ୍କ ସଂଖ୍ୟା ୧ କୋଟି ୬୩ ଲକ୍ଷ ୮୨ ହଜାର ୩୧ ଜଣ। ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ରହିଛି ୩ ହଜାର ୩୮୦। ରାଜ୍ୟରେ ୧୮ରୁ ୧୯ ବର୍ଷ ମଧ୍ୟରେ ଥିବା ଯୁବ ଭୋଟରଙ୍କ ସଂଖ୍ୟା ୭ ଲକ୍ଷ ୫୪ ହଜାର ୯୪୬ ରହିଛି। ମୋଟ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ରହିଛି ୪ ଲକ୍ଷ ୫୭ ହଜାର ୮୨୧। ନୂଆ ଭୋଟର ତାଲିକା ୨୦୨୪ରେ ମୋଟ ୧୨ ଲକ୍ଷ ୯୭ ହଜାର ୯୫୪ ଜଣ ଭୋଟର ଯୋଡି ହୋଇଛନ୍ତି।