Odisha Link
Bridging the Missing Links in Odisha

ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ; ବିମାନସେବା ବାଧାପ୍ରାପ୍ତ

ଓଏଲ୍‌ ବ୍ୟୁରୋ: ରାଜ୍ୟକୁ ପୁଣି ଫେରିଲା ଶୀତ। କିଛି ଅଂଚଳରେ ସକାଳୁ ସକାଳୁ ଘରୁ ବାହାରିବା ହୋଇପଡ଼ୁଥିଲା ମୁସ୍କିଲ। ଆଜି ସକାଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନକୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା। ସକାଳୁ ସକାଳୁ ପ୍ରବଳ ଶୀତ ସହ ଘନକୁହୁଡି ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହେଉଛି। ଆଉ ୪ରୁ ୫ ଦିନ ଘନ କୁହୁଡ଼ି ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସମଗ୍ର ଉତ୍ତର ଭାରତରେ ଏପରି ପାଗ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଦିଲ୍ଲୀ ଓ କୋଲକାତା ବିମାନବନ୍ଦରରେ ବିମାନସେବା ବାଧାପ୍ରାପ୍ତ ହୋଇଛି। ଯାତ୍ରୀଙ୍କୁ ଯୋଗାଯୋଗରେ ରହିବାକୁ ବିମାନ ସେବା ସଂସ୍ଥା ପକ୍ଷରୁ ପରାମର୍ଶ ଦିଆଯାଇଛି।

ରାଜ୍ୟରେ ଘନ କୁହୁଡ଼ି ନେଇ ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି। ରାଜ୍ୟରେ ଘନ କୁହୁଡ଼ି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଅନୁଗୁଳ, ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ, କଟକ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା ରହିଛି। ଏପରିକି ୫୦ ମିଟର ପର୍ଯ୍ୟନ୍ତ ଖସିଯାଇପାରେ ଭିଜିବିଲିଟି। ଘନ କୁହୁଡି ଫଳରେ ଲୋକେ କଲବଲ ହେଉଥିବା ବେଳେ ଯାତାୟତ ବାଧାପ୍ରାପ୍ତ ହେଉଛି।