ବିଜେପି ଘୋଷଣା କଲା ରାଜ୍ୟ ମୋର୍ଚ୍ଚା ପ୍ରଭାରୀ ନାମ ତାଲିକା

ଓଏଲ୍ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବାଜିଲାଣି ବିଗୁଲ। ରାଜ୍ୟର ୩ ପ୍ରମୁଖ ଦଳ ଆରମ୍ଭ କରିଲେଣି ରଣନୀତି। ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ଦିଲ୍ଲୀରେ ଓଡ଼ିଶା ଦଖଲ ପାଇଁ କରୁଛନ୍ତି ପ୍ରସ୍ତୁତି। ଅନ୍ୟପଟେ ଦେଶର ସବୁଠି ଚର୍ଚ୍ଚାରେ ରହୁଥିବା ଆଞ୍ଚଳିକ ଦଳ ବିଜୁ ଜନତା ଦଳ ଲଗାତାର ୬ଷ୍ଠ ଥର ପାଇଁ ବିଜୟ ମୁକୁଟ ପିନ୍ଧିବା ପାଇଁ ଆପଣାଇଛି ସ୍ବତନ୍ତ୍ର ରଣନୀତି।
ଏହାରି ମଧ୍ୟରେ ବିଜେପି ରାଜ୍ୟ ମୋର୍ଚ୍ଚା ପ୍ରଭାରୀ ନାମ ତାଲିକା ଘୋଷଣା କରିଛି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାଜ୍ୟର ବିଭିନ୍ନ ମୋର୍ଚ୍ଚା ପ୍ରଭାରୀ ନାମ ତାଲିକା ଘୋଷଣା କରାଯାଇଛି। ଯୁବ ମୋର୍ଚ୍ଚା ପ୍ରଭାରୀ ଭାବେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ମହିଳା ମୋର୍ଚ୍ଚା ପ୍ରଭାରୀ ଭାବେ ରାଜ୍ୟ ଉପସଭାପତି ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ
ଦାୟୀତ୍ୱ ପ୍ରଦାନ କରାଯାଇଛି।
ସେହିଭଳି ଓବିସି ମୋର୍ଚ୍ଚା ପ୍ରଭାରୀ ଭାବେ ରାଜ୍ୟ ଉପସଭାପତି ତଥା ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, କୃଷକ ମୋର୍ଚ୍ଚା ପ୍ରଭାରୀ ଭାବେ ରାଜ୍ୟ ଉପସଭାପତି ଗୋଲକ ପ୍ରସାଦ ମହାପାତ୍ର, ଅନୁସୁଚିତ ଜାତି (ଏସ୍ସି) ମୋର୍ଚ୍ଚା ପ୍ରଭାରୀ ଭାବେ ରାଜ୍ୟ ସଂପାଦକ ରମେଶ ସାହୁ ଏବଂ ଅନୁସୁଚିତ ଜନଜାତି (ଏସ୍ଟି) ମୋର୍ଚ୍ଚା ପ୍ରଭାରୀ ଭାବେ ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି।