ମହଙ୍ଗା ପଡ଼ିଲା ରନୱେ ଡିନର୍; କୋଟିଏ ଜରିମାନା ଦେବ ଇଣ୍ଡିଗୋ!

ଓଏଲ୍ ବ୍ୟୁରୋ: ମହଙ୍ଗା ପଡ଼ିଲା ରନୱେରେ ଯାତ୍ରୀଙ୍କ ରାତ୍ରିଭୋଜନ। ଘରୋଇ ବିମାନ ଇଣ୍ଡିଗୋର ଯାତ୍ରୀମାନେ ମୁମ୍ବାଇ ବିମାନବନ୍ଦରର ରନଓ୍ବେରେ ତଳେ ବସି ଖାଦ୍ୟ ଖାଉଥିବାର ଭିଡିଓ ଭାଇରାଲ ହେବା ପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ। ଜାନୁଆରୀ ୧୪ ତାରିଖର ଏହି ଘଟଣା ପାଇଁ ଇଣ୍ଡିଗୋ ଏୟାରଲାଇନ୍ସକୁ ୧ କୋଟି ୨୦ ଲକ୍ଷ ଟଙ୍କା ଫାଇନ୍ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ। କେବଳ ଇଣ୍ଡିଗୋ ଏୟାରଲାଇନ୍ସ ନୁହେଁ ମୁମ୍ବାଇ ବିମାନବନ୍ଦର ଉପରେ ମଧ୍ୟ ୯୦ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଛି।
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ଇଣ୍ଡିଗୋ ଏୟାରଲାଇନ୍ସର କିଛି ଯାତ୍ରୀ ମୁମ୍ବାଇ ବିମାନବନ୍ଦରରେ ରନୱେରେ ବସି ଖାଦ୍ୟ ଖାଉଥିଲେ। କୁହୁଡ଼ି ହେତୁ ବିମାନ ବିଳମ୍ବ ହେବାପରେ ଯାତ୍ରୀମାନଙ୍କୁ ରନୱେରେ ବସି ଖାଦ୍ୟ ଦିଆଯାଉଥିଲା ଏବଂ ସେମାନଙ୍କ ସହ ଅସଦାଚରଣ ମଧ୍ୟ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି। ବିମାନ ସେବା କହିଛି ଯେ ଯାତ୍ରୀମାନେ ବିମାନରୁ ଦୂରେଇ ଯିବାକୁ ଚାହୁଁନଲେ। ସେଥିପାଇଁ ତାଙ୍କୁ ସେଠାରେ ଖାଦ୍ୟ ଦିଆଯାଇଥିଲା। ତେବେ ଘଟଣାକୁ ନେଇ ଅଭିଯୋଗ କ୍ରମେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଜରିମାନା ଲାଗୁ କରିଛି ।