Odisha Link
Bridging the Missing Links in Odisha

୫ ବର୍ଷରେ ବଜ୍ରପାତ ନେଲାଣି ୧୪୭୨ ଜୀବନ: ସୁଦାମ ମାର୍ଣ୍ଡି

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନ। ତୃତୀୟ ଦିନରେ ଗୃହ ବେଶ୍ ସରଗରମ ରହିବା ଆଶା କରାଯାଉଥିବାବେଳେ ପ୍ରଶ୍ନକାଳ ଆରମ୍ଭ ହେବା ପୂର୍ବରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିରୋଧୀଙ୍କ ହଙ୍ଗାମା କାରଣରୁ ଦିନ ୧୧ଟା ୩୦ ଯାଏ ଗୃହ ମୁଲତବୀ ଘୋଷଣା କରାଯାଇଥିଲା।

ପୁଣି ଥରେ ହଟ୍ଟଗୋଳ, ହୋହଲ୍ଲା ଯୋଗୁଁ ଗୃହ ବାରମ୍ବାର ମୁଲତବି ହୋଇଛି। ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନ ହଟ୍ଟଗୋଳ, ହୋହଲ୍ଲା ଯୋଗୁଁ ଗୃହ ବାରମ୍ବାର ମୁଲତବି ହେବାରୁ ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଲେ ବାଚସ୍ପତି।

ରାଜ୍ୟରେ ୫ ବର୍ଷରେ ବଜ୍ରପାତରେ ୧୪୭୨ ଜଣଙ୍କ ଜୀବନ ଯାଇଛି। ତାରା ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ ସୁଦାମ ମାର୍ଣ୍ଡି। ୧୪୫ ଜଣ ବଜ୍ରପାତରେ ଆହତ ମଧ୍ୟ ହୋଇଛନ୍ତି। ବଜ୍ରପାତରେ ମୃତକଙ୍କ ପାଇଁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ମିଳୁଛି।

ଗୃହରେ ରାଜ୍ୟରେ ଆଉ ୨୮ଟି ନୂଆ ଜିଲ୍ଲା ଗଠନ ପାଇଁ ଦାବିପତ୍ର ମିଳିଛି। ପଦ୍ମପୁର, ଧର୍ମଗଡ଼, କଣ୍ଟାବାଂଜି ସହ ୨୮ଟି ନୂଆ ଜିଲ୍ଲା ପାଇଁ ଦାବି ରହିଛି। ମୟୂରଭଂଜରେ ୪ଟି ନୂଆ ଜିଲ୍ଲା ପାଇଁ ଦାବିପତ୍ର ମିଳିଛି। ପଶ୍ଚିମ ମୟୂରଭଂଜ, ରାଇରଙ୍ଗପୁର, ଖିଚିଂ, କରଞ୍ଜିଆ ଜିଲ୍ଲା ଦାବି କରାଯାଇଛି। ଗଂଜାମରେ ବି ୪ଟି ନୂଆ ଜିଲ୍ଲା ଗଠନ ପାଇଁ ଦାବିପତ୍ର ମିଳିଛି। ଘୁମୁସର, ଋଷିକୂଲ୍ୟା, ବ୍ରହ୍ମପୁର ଓ ଭଂଜନଗର ଜିଲ୍ଲା ପାଇଁ ଦାବି କରାଯାଇଛି। ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଉତ୍ତର ରଖିଛନ୍ତି। ଉପଯୁକ୍ତ ସମୟରେ ସରକାର ଉପଯୁକ୍ତ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି।

ସୂଚନା ଅନୁସାରେ, ଗତକାଲି ଗୃହରେ ଅବକାରୀ ମନ୍ତ୍ରୀଙ୍କ ଉତ୍ତରରୁ ଅବକାରୀ ରାଜସ୍ୱ ସମ୍ପର୍କରେ ସୂଚନା ମିଳିଛି। ଗତ ୧୦ ବର୍ଷ ହେବ କ୍ରମାଗତ ବଢ଼ି ଚାଲିଛି ଅବକାରୀ ରାଜସ୍ୱ। ୨୦୨୨-୨୩ ଆର୍ଥିକ ବର୍ଷରେ ମିଳିଛି ୬ ହଜାର ୪୫୫ କୋଟି ରାଜସ୍ୱ। ୨୦୨୩-୨୪ରେ ଡିସେମ୍ବର ୩୧ ସୁଦ୍ଧା ୪,୮୯୭ କୋଟିର ରାଜସ୍ୱ ଆଦାୟ। ମଦ ରାଜସ୍ୱ ୧୦ ବର୍ଷରେ ପାଖାପାଖି ୩ ଗୁଣାରୁ ଅଧିକ ବଢ଼ିଛି।

ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇ ଉତ୍ତର ରଖିଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡ଼ିଛି ୯୮ ହଜାର ପଦବୀ। ୪୧ ବିଭାଗରେ ମୋଟ ୯୮ ହଜାର ୩୪୮ ପଦବୀ ଖାଲି ପଡ଼ିଛି। ସ୍ୱାସ୍ଥ୍ୟ ବିଭାଗରେ ସର୍ବାଧିକ ୨୬ ହଜାର ୮୧୫ ପଦବୀ ଖାଲି ରହିଛି। ସେହିଭଳି ଗଣଶିକ୍ଷା ବିଭାଗରେ ୨୧, ୮୪୪ ଓ ଗୃହ ବିଭାଗରେ ୭୩୧୫ ପଦବୀ ଖାଲି ରହିଛି। ରାଜସ୍ୱ ବିଭାଗରେ ୫୮୯୨, ଉଚ୍ଚଶିକ୍ଷା ବିଭାଗରେ ୩୭୭୭ ପଦବୀ ଖାଲି ରହିଛି।

ସେହିପରି ପ୍ରଚାର ପ୍ରସାର ବାବଦରେ ୯ ମାସରେ ୨୦ କୋଟି ଖର୍ଚ୍ଚ ହୋଇଛି। ୯ ମାସରେ ୧୯ କୋଟି ୪୦ ଲକ୍ଷ ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର। ସେହିପରି ମୁଦ୍ରିତ ଗଣମାଧ୍ୟମକୁ ୧୭.୪୩ କୋଟି ଓ ବୈଦ୍ୟୁତିକ ଗଣମାଧ୍ୟମକୁ ୩୧ ଲକ୍ଷ ଦିଆଯାଇଛି। କେବଳ ହୋର୍ଡିଂ ଆଉଟଡୋର ବ୍ରାଣ୍ଡିଂରେ କୋଟିଏ ୯୩ ଲକ୍ଷ ଖର୍ଚ୍ଚ ହୋଇଛି। ୫ ବର୍ଷରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଖର୍ଚ୍ଚ କରିଛି ୮୩ କୋଟି। ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନର ମନ୍ତ୍ରୀ ପ୍ରଦୀପ ଅମାତ ଉତ୍ତର ରଖିଛନ୍ତି।

ପାନୀୟ ଜଳ ଯୋଗାଣ ଉପରେ ଆଲୋଚନା ଜାରି ରହିଥିବାବେଳେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ପ୍ରଶ୍ନ କରିଛନ୍ତି। କେବେ ସୁଦ୍ଧା ପ୍ରତି ଗାଁରେ ପାଣି ଯୋଗାଇ ଦିଆଯିବ ବୋଲି ନରସିଂହ ମିଶ୍ର ପ୍ରଶ୍ନ କରିଛନ୍ତି। ୨୦୨୪ ସୁଦ୍ଧା ସବୁ ଗାଁରେ ପାଇପ୍‌ ଯୋଗେ ପାଣି ଯୋଗାଇବା ଲକ୍ଷ୍ୟ ରଖାଯାଇଛି।

ବିଧାନସଭା ପ୍ରଶ୍ନକାଳରେ ଉତ୍ତର ରଖିଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ। ରାଜ୍ୟର ସମସ୍ତ ଗାଁକୁ ୨୦୨୪ ଶେଷ ସୁଦ୍ଧା ପାଇପ ଯୋଗେ ପିଇବା ପାଣି ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ମାର୍ଚ୍ଚ ୨୦୨୩ ସୁଦ୍ଧା, ୫୮ ପ୍ରତିଶତ ଗାଁରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଛି। ଉତ୍ସ କି ଜମି ସମସ୍ୟା ଥିବା ଅଞ୍ଚଳରେ ୨୦୨୫ ସୁଦ୍ଧା ପହଞ୍ଚାଇବାକୁ ଲକ୍ଷ୍ୟ। ୭୦ ଲୋକଙ୍କ ଜନସଂଖ୍ୟା ଥିଲେ ବି ନୂତନ ନଳକୂପ ଲଗାଯିବ।ପାଣି ସମସ୍ୟା ସମାଧାନ ପାଇଁ ହେଲ୍ପ ଲାଇନ ନମ୍ବର ୧୯୧୬ ଜାରି କରାଯାଇଛି।

ଦ୍ବିତୀୟ ଦିନରେ ଗୃହ ବେଶ୍ ସରଗରମ ରହିବା ଆଶା କରାଯାଉଥିବାବେଳେ ପ୍ରଶ୍ନକାଳ ଆରମ୍ଭ ହୋଇଥିଲା। ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତାଙ୍କ ଗୃହ ମଧ୍ୟଭାଗରେ ଧାରଣା ଦେଇଥିଲେ। ବେଦାନ୍ତ ଜମି ଫେରସ୍ତ ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ଦାବି କଲେ ନରସିଂହ ମିଶ୍ର। ବାଚସ୍ପତି ରାଜ୍ୟ ସରକାରଙ୍କୁ ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଉଥିବାବେଳେ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା।

Leave A Reply

Your email address will not be published.