Odisha Link
Bridging the Missing Links in Odisha

ପରିବହନ ବ୍ୟବସ୍ଥାରେ ସୁଦୃଢ଼ତା; ଆଜି ଆଉ ୫ଟି ଜିଲ୍ଲାରେ ଗଡ଼ିଲା ଲକ୍ଷ୍ମୀ ବସ୍

ଓଏଲ୍‌ ବ୍ୟୁରୋ: ଆହୁରି ସୁଗମ ହେବ ପରିବହନ ବ୍ୟବସ୍ଥା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଦେବଗଡ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେ ମୋ ସରକାର ହେଉଛି ଲୋକଙ୍କ ସରକାର। ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେଇ ଓଡିଶା ସରକାର ଯୋଜନା କରନ୍ତି। ୫-ଟି ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଲୋକଙ୍କ ଅସୁବିଧାକୁ ଅନୁଭବ କରିଥିଲୁ ଏବଂ ଲୋକଙ୍କ ପ୍ରସ୍ତାବକୁ ଅନୁଶୀଳନ କରି ଗାଁ ଲୋକଙ୍କର ଯୋଗାଯୋଗ ସମସ୍ୟା ଦୂର କରିବା ପାଇଁ ଲକ୍ଷ୍ମୀ ବସ୍‌ ଯୋଜନା ପ୍ରସ୍ତୁତ କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସୂଚନାଯୋଗ୍ୟ ଯେ, ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି ଓ କୋରାପୁଟ ଜିଲ୍ଲାବାସୀ ଲକ୍ଷ୍ମୀ ବସ୍‌ ସେବା ପାଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୩ଟି ଜିଲ୍ଲା ଯୋଡି ହେଇଥିଲା । ଆଜି ଆଉ ୫ଟି ଜିଲ୍ଲା ଯଥା ବଲାଙ୍ଗିର, ବରଗଡ, ଭଦ୍ରକ, ମୟୁରଭଞ୍ଜ ଓ ସୁନ୍ଦରଗଡ ଲକ୍ଷ୍ମୀ ଯୋଜନାରେ ସାମିଲ ହେଲା। ବର୍ତ୍ତମାନ ସୁଦ୍ଧା ୧୪ଟି ଜିଲ୍ଲା ସାମିଲ ହୋଇଛି।

ଆଜିର ଶୁଭାରମ୍ଭ ପରେ ୫ଟି ଜିଲ୍ଲାର ୧୩୪୦ଟି ପଞ୍ଚାୟତରେ ୩୦୧ଟି ବସ୍‌ ଚାଲିଲା। ଏହା ଦ୍ୱାରା ୮୩ ଲକ୍ଷରୁ ଅଧିକ ଲୋକ ଉପକାର ପାଇଲେ। ବଲାଙ୍ଗିରର ୩୧୩ଟି ପଞ୍ଚାୟତରେ ୪୪ଟି ବସ୍‌ ଚାଲିଲା ଏବଂ ୧୬.୫୦ ଲକ୍ଷ ଲୋକ ଉପକୃତ ହେଲେ। ବରଗଡର ୨୪୩ଟି ପଞ୍ଚାୟତରେ ୬୦ଟି ବସ୍‌ ଚାଲିଲା ଏବଂ ୧୪ ଲକ୍ଷ ୨୨ ହଜାର ଲୋକ ଉପକୃତ ହେଲେ। ଭଦ୍ରକର ୧୫୮ଟି ପଞ୍ଚାୟତରେ ୨୫ଟି ବସ୍‌ ଚାଲିଲା ୧୦ ଲକ୍ଷ ୮୦ ହଜାର ଲୋକ ଉପକୃତ ହେଲେ।

ମୟୁରଭଞ୍ଜର ୩୮୬ଟି ପଞ୍ଚାୟତରେ ୧୦୭ଟି ବସ୍‌ ଚାଲିଲା ୨୪ ଲକ୍ଷ ୨୦ ହଜାର ଲୋକ ଉପକୃତ ହେଲେ। ସୁନ୍ଦରଗଡର ୨୪୦ଟି ପଞ୍ଚାୟତରେ ୬୫ଟି ବସ୍‌ ଚାଲିଲା ୧୭ ଲକ୍ଷ ୨୦ ହଜାର ଲୋକ ଉପକୃତ ହେଲେ। ଏହି ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ବସ୍‌ ଆମ ଜୀବନକୁ ସହଜ କରିଛି। ଗାଁର ଅର୍ଥନୀତିକୁ ମଜବୁତ କରିବାରେ ଏହା ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି।

ସୂଚନା ଅନୁସାରେ, ଲକ୍ଷ୍ମୀ ଯୋଜନାରେ ପୂର୍ବରୁ ୯ଟି ଜିଲ୍ଲାରେ ବସ୍ ଗଡୁଛି। ଲକ୍ଷ୍ମୀ ବସ୍ ସେବା ଗ୍ରାମାଞ୍ଚଳର ଦିନ ମଜୁରିଆ, କର୍ମଜୀବୀ ମହିଳା, ଛାତ୍ରଛାତ୍ରୀ ଏବଂ ଚାଷୀଙ୍କୁ ବେଶ୍ ସାହାଯ୍ୟ ହେଉଛି। ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ସୁନିଶ୍ଚିତ ବସ୍ ସଂଯୋଗ, ସୁଲଭ ଓ ନିର୍ଭରଯୋଗ୍ୟ ସେବା କ୍ଷେତ୍ରରେ ସହାୟକ ହେଉଛି ଲକ୍ଷ୍ମୀ ବସ୍। ଚାଷୀ ନିଜ ଉତ୍ପାଦିତ ସାମଗ୍ରୀ ବ୍ଲକ ସଦର ମହକୁମାରେ ବିକ୍ରି କରୁଛନ୍ତି। ଛାତ୍ରଛାତ୍ରୀମାନେ ସ୍ବଳ୍ପ ମୂଲ୍ୟରେ କଲେଜକୁ ଯାଇପାରୁଛନ୍ତି। ମହିଳା, ଛାତ୍ରଛାତ୍ରୀ ଓ ଦିବ୍ୟାଙ୍ଗମାନେ ମାତ୍ର ୫ ଟଙ୍କା ଦେଇ ଗାଁରୁ ବ୍ଲକକୁ ଯିବାର ବ୍ୟବସ୍ଥା ହୋଇଛି। ଲକ୍ଷ୍ମୀ ଯୋଜନା ଦ୍ୱାରା ଗ୍ରାମାଞ୍ଚଳରେ ସାମାଜିକ ସଂପର୍କ ମଜବୁତ୍ ହେବା ସହିତ ଅର୍ଥନୀତି ମଧ୍ୟ ଆହୁରି ସୁଦୃଢ ହେବ।

Leave A Reply

Your email address will not be published.