Odisha Link
Bridging the Missing Links in Odisha

ଦିଲ୍ଲୀରେ ଗର୍ଜନ କରୁଛନ୍ତି ହଜାର ହଜାର ଚାଷୀ; ଜାଣନ୍ତୁ କ’ଣ ରହିଛି କୃଷକଙ୍କ ଦାବି

ଓଏଲ୍‌ ବ୍ୟୁରୋ: ଦିଲ୍ଲୀରେ ଗର୍ଜନ କରୁଛନ୍ତି ହଜାର ହଜାର ଚାଷୀ। କୃଷକ ଆନ୍ଦୋଳନକୁ ନଜରରେ ରଖି ଦିଲ୍ଲୀରେ ସମାବେଶ କଟକଣା ଜାରି କରାଯାଇଛି। ମାର୍ଚ୍ଚ ୧୨ ଯାଏଁ ଦିଲ୍ଲୀରେ ବଡ଼ଧରଣର ସମାବେଶ ଉପରେ ରୋକ୍‌ ଲଗାଯାଇଛି। ରାଜଧାନୀ ଭିତରକୁ ଟ୍ରାକ୍ଟର ପ୍ରବେଶ ମନା ବୋଲି ଦିଲ୍ଲୀ କମିଶନର କହିଛନ୍ତି। ପିସ୍ତଲ, ଜ୍ୱଳନଶୀଳ ପଦାର୍ଥ, ଅସ୍ତ୍ରଶସ୍ତ୍ର ଉପରେ ବି କଟକଣା ଜାରି ହୋଇଛି। ଏହା ସହ ଇଟା, ପଥର, ପେଟ୍ରୋଲ ବୋମା, ସୋଡ଼ା ବୋତଲ ଉପରେ ନଜର ରହିବ।

ଅନ୍ୟପଟେ, ବିଭିନ୍ନ ଦାବି ନେଇ ଆଜିଠୁ ଚାଷୀ ସଂଗଠନର ଦିଲ୍ଲୀ ଚଲୋ ଆନ୍ଦୋଳନ। ଗତକାଲି ଚଣ୍ଡିଗଡରେ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ ଓ ଅର୍ଜୁନ ମୁଣ୍ଡାଙ୍କ ସହ ଚାଷୀ ସଂଗଠନର ବୈଠକ ବିଫଳ ହୋଇଛି। ଫସଲର ଏମଏସପି ପ୍ରସଙ୍ଗରେ କୌଣସି ବୁଝାମଣା କରିବାକୁ ଚାଷୀ ସଂଗଠନ ଅଡିବସିବାରୁ ବୈଠକ ଫେଲ ମାରିଥିବା ସୂଚନା ମିଳିଛି।

ଫସଲର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନସିଦ୍ଧ କରିବା ଦାବି ସହ ଅନେକ ଦାବି ନେଇ ପଞ୍ଜାବ, ହରିଆଣା ଓ ଅନ୍ୟ ରାଜ୍ୟର ଚାଷୀମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ଏହାକୁ ନେଇ ଦିଲ୍ଲୀ ପୁଲିସ ତରଫରୁ ଦିଲ୍ଲୀର ସମସ୍ତ ସୀମା ସିଲ କରାଯାଇଛି। କୃଷକଙ୍କ ଦିଲ୍ଲୀ ଚଲୋକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି। ଏହାରି ମଧ୍ୟରେ ଖବର ଆସିଛି କି ସରକାରଙ୍କ ତରଫରୁ କୃଷକଙ୍କ ଥିବା ୧୩ଟି ଦାବି ମଧ୍ୟରୁ ୧୦ଟି ଦାବି ମାନି ନେଇଛନ୍ତି।

ମୁକ୍ତ ବ୍ୟବସାୟ ଚୁକ୍ତି ଉପରେ ପ୍ରତିବନ୍ଧକ ଲଗାଯାଉ। ବିଦ୍ୟୁତ ସଂଶୋଧନ ବିଧେୟକ ୨୦୨୦ ରଦ୍ଦ କରାଯାଉ। ମନରେଗାରେ ବାର୍ଷିକ ୨୦୦ ଦିନର କାମ ଓ ସର୍ବନିମ୍ନ ମଜୁରୀ ୭୦୦ ଟଙ୍କା ପ୍ରଦାନ କରାଯାଉ। କୃଷକ ଆନ୍ଦୋଳନରେ ମୃତ୍ୟୁବରଣ କରିଥିବା ଚାଷୀଙ୍କ ପରିବାରକୁ ସହାୟତା ଓ ସରକାରୀ ଚାକିରୀ ପ୍ରଦାନ କରାଯାଉ । ନକଲି ବିହନ, ସାର ଓ କୀଟନାଶକ ପ୍ରସ୍ତୁତ କରୁଥିବା କମ୍ପାନୀମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଲଙ୍କା, ହଳଦୀ ଓ ଅନ୍ୟ ମସଲାଜାତୀୟ କୃଷି ପାଇଁ ରାଷ୍ଟ୍ରୀୟ ଆୟୋଗ ଗଠନ କରାଯାଉ।ସମ୍ବିଧାନର ଧାରା ୫ ଲାଗୁ କରାଯାଇ ଆଦିବାସୀଙ୍କ ଜମି ଲୁଟ୍ ବନ୍ଦ କରାଯାଉ।

ସମସ୍ତ ଫସଲକୁ ସର୍ବନିମ୍ନ ସହାୟକ ଦରରେ ସରକାର କିଣିବାକୁ ଗ୍ୟାରେଣ୍ଟି ଦିଅନ୍ତୁ। ଡାକ୍ତର ସ୍ୱାମୀନାଥନ୍ କମିଶନଙ୍କ ରିପୋର୍ଟ ଆଧାରରେ ଫସଲର ମୂଲ୍ୟ ଧାର୍ଯ୍ୟ କରାଯାଉ। କୃଷକ ଓ କୃଷି କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କର ଋଣ ଛାଡ କରାଯାଉ।
୬୦ ବର୍ଷରୁ ଅଧିକ କୃଷକଙ୍କୁ ମାସିକ ୧୦ ହଜାର ଟଙ୍କା ପେନସନ୍ ପ୍ରଦାନ କରାଯାଉ। ୨୦୧୩ ଭୂମି ଅଧିଗ୍ରହଣ ଆଇନକୁ ଲାଗୁ କରାଯାଉ। ୠକ୍ଷ୍ମୀପୁର ଖେରୀ ହତ୍ୟାକାଣ୍ଡ ମାମଲାରେ ଦୋଷୀଙ୍କୁ ଦଣ୍ଡ ଦିଆଯାଉ।

ସୂଚନା ଅନୁସାରେ, ଆଜି ଦିଲ୍ଲୀରେ ହଜାର ହଜାର କୃଷକ ବିକ୍ଷୋଭ ସାଙ୍ଗକୁ ଟ୍ରାକ୍ଟର ରାଲି କରିବା ନେଇ ସଜବାଜ ହେଉଥିବାବେଳେ ପଞ୍ଜାବ ଓ ହରିୟାଣାର ୨୦୦ କୃଷକ ସଂଗଠନ ‘ଦିଲ୍ଲୀ ଚଲୋ’ ଡାକରା ଦେଇ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହୋଇଥିଲେ। ପାଖାପାଖି ୨୦,୦୦୦ରୁ ଅଧିକ କୃଷକ ଏକ ସମୟରେ ଆନ୍ଦୋଳନ କରିବାକୁ ଥିବାରୁ ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। କିଛି ସମୟ ପୂର୍ବରୁ ହରିୟାଣା ସରକାର ଦୁଇଟି ଷ୍ଟାଡିୟମରେ ଅସ୍ଥାୟୀ ଜେଲରେ ବ୍ୟବସ୍ଥା କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ କମିଶନର ରାଜଧାନୀରେ ବିଶାଳ ସମାବେଶ ଉପରେ ରୋକ୍ ଲଗାଇଛନ୍ତି।

Leave A Reply

Your email address will not be published.