Odisha Link
Bridging the Missing Links in Odisha

ଆଗାମୀ ୩ ବର୍ଷରେ ଭାରତ ତୃତୀୟ ବଡ଼ ଅର୍ଥନୀତି ହେବ: ରାଜନାଥ ସିଂ

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ବିଜୁ ଜନତା ଦଳର ମାଷ୍ଟର ପ୍ଲାନ ଦେଖି ବିଜେପି ଶିବିର ମଧ୍ୟ ତତ୍ପରତା ଦେଖାଇଛି। ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟକୁ କେନ୍ଦ୍ରମନ୍ତ୍ରୀଙ୍କ ସିରିଜ ଗସ୍ତ ଆରମ୍ଭ ହୋଇଛି। ବିଜେପିର ହେଭିୱେଟ ନେତା ଏବେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି କ୍ରମରେ ବ୍ରହ୍ମପୁରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଆମ୍ବପୁଆରେ ଆୟୋଜିତ ସଂକଳ୍ପ ସମାବେଶରେ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ସଭାପତି ମନମୋହନ ସାମଲ, ସାଂସଦ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ରହିଥିବାବେଳେ ରାଜନାଥ ସିଂଙ୍କ ବକ୍ତବ୍ୟ ଦେଇଛନ୍ତି।

ସେ କହିଛନ୍ତି, ଓଡ଼ିଶାରେ ଡବଲ ଇଂଜିନ ସରକାର ଗଠନକୁ କେହି ରୋକି ପାରିବେନି। ଆଜି କର୍ମକର୍ତ୍ତାଙ୍କ ଉତ୍ସାହ ଦେଖିଲେ ଲାଗୁଛି କେହି ରୋକି ପାରିବେନି। ଆଜି ସାରା ଦୁନିଆ ଭାରତକୁ ସମ୍ମାନ ଦୃଷ୍ଟିରେ ଦେଖୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଏଥର ୪ଶହରୁ ଅଧିକ ସିଟ୍ ହାସଲ। ପ୍ରଧାନମନ୍ତ୍ରୀଙ୍କ ଏହି ଲକ୍ଷ୍ୟକୁ ପୂରଣ କରିବା ଆମ ସମସ୍ତଙ୍କ ଦାୟିତ୍ୱ। ପୁଲୱାମା ଘଟଣା ପରେ ଆମେ ସୀମା ଡେଇଁ ଜବାବ ଦେଇଥିଲୁ। ଆମେ କେବଳ ସୀମା ଏପଟେ ନୁହେଁ, ସୀମା ସେପଟେ ବି ଜବାବ ଦେବୁ। ୯ ବର୍ଷ ଭିତରେ ୧୧ ସ୍ଥାନରୁ ୫ ସ୍ଥାନକୁ ଅର୍ଥନୀତିକୁ ନେଇପାରିଛୁ।

ୟୁପିଏ ସରକାର ୧୦ ବର୍ଷରେ ଓଡ଼ିଶାକୁ ୩ ଲକ୍ଷ କୋଟି ଦେଇଥିଲା। ୯ ବର୍ଷରେ ମୋଦି ସରକାର ଓଡ଼ିଶାକୁ ୧୮ ଲକ୍ଷ କୋଟି ଦେଇଛି। ଓଡ଼ିଶା ସହ ସର୍ବଦା ସଉତୁଣି ଭଳି ବ୍ୟବହାର କରିଛି ୟୁପିଏ। କଂଗ୍ରେସ ସମୟରେ ବଡ଼ ବଡ଼ ପ୍ରକଳ୍ପ କେବଳ ଶିଳାନ୍ୟାସ ହେଉଥିଲା। ଶିଳାନ୍ୟାସ କରି ପଳାଉଥିଲେ, କେବେ ଉଦ୍‌ଘାଟନ ହେଉନଥିଲା। ମୋଦି ଶିଳାନ୍ୟାସ କରନ୍ତି, କାମ ସାରି ଉଦ୍‌ଘାଟନ ବି କରନ୍ତି। ୯ ବର୍ଷରେ ମୋଦି ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତି ଦେଇଛନ୍ତି।

୧୦ ବର୍ଷରେ ଓଡ଼ିଶାର ୨୫ ଲକ୍ଷ ଲୋକଙ୍କୁ ପକ୍କା ଘର ମିଳିଛି। ଯାହାକୁ ପକ୍କା ଘର ମିଳିନଥିବ, ଆମ ସରକାର ଆସିଲେ ନିଶ୍ଚିତ ମିଳିବ। ଓଡ଼ିଶାକୁ ପ୍ରଧାନମନ୍ତ୍ରୀ କେତେ ଭଲ ପାଆନ୍ତି ଜି-୨୦ରୁ ଦେଖିଲେ। ଜି-୨୦ରେ କୋଣାର୍କ ଚକ୍ରକୁ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ। ଆଗାମୀ ୩ ବର୍ଷ ଭିତରେ ଆମେ ତୃତୀୟ ବଡ଼ ଅର୍ଥନୀତି ହେବୁ। ଓଡ଼ିଶାର ବିକାଶ ପାଇଁ କଂଗ୍ରେସ ସରକାର କିଛି କରିନାହିଁ। ଓଡ଼ିଶାର ବିକାଶ ପାଇଁ କେବଳ ମୋଦି ହିଁ ଚିନ୍ତା କରୁଛନ୍ତି ବୋଲି ରାଜନାଥ ସିଂ କହିଛନ୍ତି।

ଏହା ପୂର୍ବରୁ ନବରଙ୍ଗପୁର ସଭାରେ ରାଜନାଥ ସିଂ ଉଦ୍ବୋଧନ ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶା ସହ ଆମ ସରକାର ଭେଦଭାବ କରିନି। ଏଠାରେ ମେଡିକାଲ କଲେଜ, ଇଂଜିନିୟରିଂ କଲେଜ ବଢ଼ିଛି। ଜନତାଙ୍କ ସେବା କରିବା ଆମ ପ୍ରଧାନମନ୍ତ୍ରୀଙ୍କ ଏକମାତ୍ର ଉଦ୍ଦେଶ୍ୟ। ଓଡ଼ିଶାରେ କଂଗ୍ରେସ ସରକାର ଖାଲି ଶିଳାନ୍ୟାସ କରି ଚାଲିଥିଲା। ଆମ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ ନୁହେଁ, କାର୍ଯ୍ୟ ପୂରଣ କରୁଛନ୍ତି। ଯେଉଁଠି ଶିଳାନ୍ୟାସ, ସେଇଠି କାମ ସାରି ଉଦ୍‌ଘାଟନ ବି କରୁଛନ୍ତି। କହିଥିଲୁ ୩୭୦ ଧାରା ଉଠାଇବୁ, ଜାମ୍ମୁ କାଶ୍ମୀରରୁ ୩୭୦ ଉଠାଇଲୁ। ତିନ୍‌ ତଲାକ୍‌ ଉଠାଇବୁ କହିଥିଲୁ, ଆମେ ଆମ କଥା ରକ୍ଷା କଲୁ।

କଂଗ୍ରେସ ଲମ୍ବା ସମୟ ପର୍ଯ୍ୟନ୍ତ ଦେଶବାସୀଙ୍କୁ ଧୋକା ଦେଇଛି। ବିଶେଷକରି ଗରିବ ଲୋକଙ୍କୁ କଂଗ୍ରେସ ଧୋକା ଦେଇଛି। ମୋଦି ଆସିବା ପରେ ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତ କରିଛନ୍ତି। ୧୧ କୋଟି ଲୋକଙ୍କ ପାଇଁ ଶୌଚାଳୟ, ୪ କୋଟିଙ୍କୁ ପକ୍କା ଘର ମିଳିଛି। ଓଡ଼ିଶାରେ ୩୦ ଲକ୍ଷ ଲୋକଙ୍କୁ ପକ୍କା ଘର ମିଳିଛି। କଂଗ୍ରେସ ସରକାରରେ ୧୭ ବର୍ଷରେ ୧୮ ହଜାର କିମି ରାସ୍ତା ହୋଇଥିଲା। ଗତ ୧୦ ବର୍ଷରେ ମୋଦି ସରକାର ୩୦ ହଜାର କିମି ରାସ୍ତା କରିଛନ୍ତି। ଆୟୁଷ୍ମାନ ଭାରତ ଯୋଜନାରେ ଗରିବଙ୍କୁ ସ୍ୱାସ୍ଥ୍ୟ ସୁବିଧା ମିଳୁଛି।

ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶା ସହ ମୋର ଭାବନାତ୍ମକ ସଂପର୍କ ରହିଛି। କଂଗ୍ରେସ ସରକାର ବେଳେ ଭାରତ ସୁରକ୍ଷା ଯାତ୍ରା କରିଥିଲୁ। ଭାରତ ସୁରକ୍ଷା ଯାତ୍ରା ମୁଁ ଓଡ଼ିଶାରୁ ଆରମ୍ଭ କରିଥିଲି। ସେତେବେଳେ ଆତଙ୍କବାଦ, ନକ୍ସଲବାଦ, ଆତଙ୍କ ସର୍ବତ୍ର ରହିଥିଲା। ଆଜି ଆତଙ୍କବାଦ କେଉଁଠି ରହିଛି, ଆପଣମାନେ ଜାଣିଛନ୍ତି। ପୁଲୱାମା ଘଟଣା ପରେ ମୁହଁତୋଡ଼ ଜବାବ ଦିଆଯାଇଛି। ଏବେ ନକ୍ସଲବାଦ କେବଳ କିଛି ଜିଲ୍ଲାରେ ସୀମିତ ରହିଛି। ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ସାରା ଦେଶର ଚିତ୍ର ବଦଳିଛି। ସବୁ ଲାଭାର୍ଥୀଙ୍କୁ ମୋଦି ଦେଉଥିବା ସୁବିଧା ମିଳିବା ଦରକାର। ବିଜେପି ଏକମାତ୍ର ପାର୍ଟି ଯିଏ ଯାହା କହେ, ସେୟା କରେ ବୋଲି ରାଜନାଥ ସିଂ କହିଛନ୍ତି।

Leave A Reply

Your email address will not be published.