Odisha Link
Bridging the Missing Links in Odisha

ନିଯୁକ୍ତି ପର୍ବ: ରାଜ୍ୟର ୫୭୬ ଜଣ ଶିକ୍ଷକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ରାଜ୍ୟର ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ନୂତନ ଭାବେ ୫୭୬ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ ନିଯୁକ୍ତି ମିଳିଛି। ଆଜି ଲୋକସେବା ଭବନର କନ୍‌ଭେନସନ୍‌ ସେଣ୍ଟରରେ ନବନିଯୁକ୍ତ ଶିକ୍ଷକମାନଙ୍କ ରାଜ୍ୟସ୍ତରୀୟ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ବିଭାଗୀୟ ସଚିବ ଅଶ୍‌ଥୀ ଏସ୍‌. ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି।

ଏହି ଅବସରରେ ନୂତନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଶିକ୍ଷା ଗୋଟିଏ ଜାତିର ଚିନ୍ତା, ଚେତନାରେ ପରିବର୍ତ୍ତନ ଆଣିଥାଏ। ଛାତ୍ରଛାତ୍ରୀଙ୍କୁ ବଡ ସ୍ବପ୍ନ ଦେଖିବା ପାଇଁ ପ୍ରେରଣା ଦେଇଥାଏ। ପିଲାମାନଙ୍କୁ ସେମାନଙ୍କ ସ୍ବପ୍ନ ପୂରଣ ଦିଗରେ ଅନୁପ୍ରାଣିତ କରିବାକୁ ସେ କହିଥିଲେ। ଏହାସହିତ ନିଜର ଜ୍ଞାନ ଓ ମୂଲ୍ୟବୋଧ ଦ୍ବାରା ଛାତ୍ରଛାତ୍ରୀଙ୍କ ପାଇଁ ଆଦର୍ଶ ସୃଷ୍ଟି କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ।

ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକଙ୍କ ମଧ୍ୟରେ ୩୬୮ ଜଣ ହିନ୍ଦୀ ଏବଂ ୨୦୮ ଜଣ ସଂସ୍କୃତ ଶିକ୍ଷକ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ୪୦ ଜଣ, କଟକରେ ୩୫, ଗଞ୍ଜାମରେ ୩୭, କୋରାପୁଟରେ ୩୪, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ୩୩ ଜଣ ଲେଖାଏଁ ଶିକ୍ଷକଙ୍କୁ ନିଯୁକ୍ତି ମିଳିଛି। ସେହିପରି ପୁରୀରେ ୨୭, ମୟୂରଭଞ୍ଜରେ ୨୬ ଜଣ, ଜଗତସଂହପୁରରେ ୨୫ ଜଣ ଓ ଅନୁଗୋଳରେ ୧୭ଜଣଙ୍କୁ ନିଯୁକ୍ତି ଦିଆଯାଇଛି।

Leave A Reply

Your email address will not be published.