Odisha Link
Bridging the Missing Links in Odisha

ହିମାଚଳ ପ୍ରଦେଶରେ ବଡ଼ ହଲଚଲ: ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିକ୍ରମାଦିତ୍ୟ ସିଂ

ଓଏଲ୍‌ ବ୍ୟୁରୋ: ହିମାଚଳ ପ୍ରଦେଶରେ ବଡ଼ ହଲଚଲ। ରାଜ୍ୟରେ ରାଜ୍ୟସଭା ନିର୍ବାଚନ ଫଳାଫଳର ଗୋଟିଏ ଦିନ ପରେ ହିମାଚଳ ପ୍ରଦେଶ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି, “ମୁଁ କେବଳ କହିବାକୁ ଚାହେଁ ଯେ ବର୍ତ୍ତମାନର ପରିସ୍ଥିତିରେ ସରକାରଙ୍କ ଏକ ଅଂଶ ଭାବରେ କାର୍ଯ୍ୟ କରିବା ମୋ ପାଇଁ ଠିକ୍ ନୁହେଁ। ତେଣୁ ମୁଁ ନିଷ୍ପତ୍ତି ନେଇଛି ଯେ ମୁଁ ମନ୍ତ୍ରୀ ପରିଷଦରୁ ଇସ୍ତଫା ଦେଉଛି। ମୁଁ ଇସ୍ତଫା ଦେଉଛି, ଜଣେ ମନ୍ତ୍ରୀ ଭାବରେ। ଆଗାମୀ ଦିନରେ, ମୁଁ ଲୋକମାନଙ୍କ ପରାମର୍ଶ ନେବି ଏବଂ ତା’ପରେ ଭବିଷ୍ୟତର କାର୍ଯ୍ୟକଳାପ ବିଷୟରେ ନିଷ୍ପତ୍ତି ନେବି ବୋଲି ବିକ୍ରମାଦିତ୍ୟ ସିଂ କହିଛନ୍ତି।

ସୂଚନା ଅନୁସାରେ, ଗତକାଲି ରାଜ୍ୟସଭା ନିର୍ବାଚନ ଶେଷ ହୋଇ ଯାଇଥିବା ବେଳେ ରାଜ୍ୟର କଂଗ୍ରେସ ସରକାର ପାଖରେ ବହୁମତ ନଥିବା ଦର୍ଶାଇ ରାଜ୍ୟପାଳଙ୍କ ପାଖରେ ଫେରାଦ ହୋଇଛି ବିଜେପ। ବିଜେପି ରାଜ୍ୟପାଳଙ୍କୁ ଭେଟି ରାଜ୍ୟରେ ଫ୍ଲୋର୍‌ ଟେଷ୍ଟ୍‌ ଦାବି କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳ ଶିବ ପ୍ରତାପ ଶୁକ୍ଳାଙ୍କୁ ଭେଟିଛନ୍ତି। କଂଗ୍ରେସର ବିଧାୟକ ତାଙ୍କ ସରକାର ସପକ୍ଷରେ ନଥିବା ଦର୍ଶାଇ ରାଜ୍ୟପାଳଙ୍କୁ ଫେରାଦ ହୋଇଛି ବିଜେପି। ଆଜି ହିମାଚଳ ବିଧାନସଭାରେ ବଜେଟ୍ ଉପସ୍ଥାପନ ହେବାକୁ ଥିବାବେଳେ ଏହା ପୂର୍ବରୁ ଡିଭିଜନ୍ ଭୋଟିଂର ଦାବି କରିଛି ବିଜେପି।

ମଙ୍ଗଳବାର ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ହର୍ଷ ମହାଜନଙ୍କ ବିଜୟ ହୋଇଛି। ଏହାପରେ କଂଗ୍ରେସ ସରକାରରେ ବଡ ଧରଣର ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହୋଇଛି। କଂଗ୍ରେସ ବିଧାୟକଙ୍କ କ୍ରସ୍ ଭୋଟିଂ ପାଇଁ ଦଳର ରାଜ୍ୟସଭା ପ୍ରାର୍ଥୀ ଅଭିଷେକ ମନୁ ସିଂଘବୀ ହାରି ଯାଇଛନ୍ତି। ବିଜେପି ପାଖରେ ସଂଖ୍ୟା ଗରିଷ୍ଠତା ନଥାଇ ବି ବିଜୟ ହାତେଇ ନେଇଛି। କଂଗ୍ରେସର ୬ ଜଣ ବିଧାୟକ କ୍ରସ୍ ଭୋଟିଂ କରିଥିବା କୁହାଯାଉଛି।

Leave A Reply

Your email address will not be published.