Odisha Link
Bridging the Missing Links in Odisha

ନିର୍ବାଚନ ପୂର୍ବରୁ ଓଡ଼ିଶାବାସୀଙ୍କୁ ବଡ଼ ଭେଟି ଦେଲେ ମୋଦି

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଓଡ଼ିଶାକୁ ବଡ଼ ଭେଟି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିନିକିଆ ଓଡ଼ିଶା ଗସ୍ତରେ ଆସି ରାଜ୍ୟକୁ ପ୍ରାୟ ୨୦ ହଜାର କୋଟି ଟଙ୍କାର ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରେଳ, ଜାତୀୟ ରାଜପଥ ଆଦି ୧୬ଟି ପ୍ରକଳ୍ପର ଶିଳାନ୍ୟାସ୍‌ ଓ ଲୋକାର୍ପଣ କରିଛନ୍ତି ମୋଦି।

ଚଣ୍ଡିଖୋଲରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଓଡ଼ିଶାରେ ଆଜି ବିକାଶର ନୂଆ ଧାରା ଆରମ୍ଭ ହୋଇଛି। ଓଡ଼ିଶା ଓ ଦେଶର ବିକାଶ ପାଇଁ ବିଜୁ ବାବୁଙ୍କ ଯୋଗଦାନ ସ୍ମରଣୀୟ ହୋଇ ରହିଛି। ସମଗ୍ର ଦେଶବାସୀଙ୍କ ପକ୍ଷରୁ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଆଜିର ପ୍ରକଳ୍ପ ଯୋଗୁ ଓଡ଼ିଶାରେ ନୂଆ ରୋଜଗାର ମିଳିବ। ଦେଶରେ ଏବେ ଏମିତି ସରକାର ଯିଏ ବର୍ତ୍ତମାନ ଓ ଭବିଷ୍ୟତ ଚିନ୍ତା କରୁଛି। ସରକାର ପୂର୍ବ ଭାରତର ସାମର୍ଥ୍ୟ ବଢ଼ାଇ ଚାଲିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ମୋଦି ଆହୁରି କହିଛନ୍ତି, ପୂର୍ବ ଯୋଜନାରେ ପ୍ରକଳ୍ପ ଠିକ୍‌ ସମୟରେ ସରୁନଥିଲା। ଆମ ସରକାର ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରେ ସାରିବାକୁ ଗୁରୁତ୍ୱ ଦିଏ। ଆମ ସରକାର ପାରାଦୀପ ରିଫାଇନାରୀ କାମ ସାରିଥିଲା। ଓଡ଼ିଶାର ବିକାଶ ପାଇଁ ଆମେ ଗୁରୁତ୍ୱ ଦେଇଆସୁଛୁ। ଓଡ଼ିଶା ରେଳ ବଜେଟ ପ୍ରାୟ ୧୨ ଗୁଣା ବଢ଼ାଇଛୁ। ଗଂଜାମରେ ଲୁଣି ଜଳ ପ୍ରକ୍ରିୟାକରଣ ପ୍ଲାଣ୍ଟ ଶିଳାନ୍ୟାସ ହୋଇଛି। ଲୁଣି ଜଳକୁ ପାନୀୟ ଉପଯୋଗୀ ଜଳରେ ପରିଣତ କରାଯିବ।

କ’ଣ କ’ଣ ଉଦଘାଟନ କରିଛନ୍ତି:

ପାରାଦୀପ ରିଫାଇନାରୀରେ ଭାରତୀୟ ତୈଳ ନିଗମ ଲିମିଟେଡ୍‌‌ ମୋନୋ ଏଥାଇଲନ୍‌‌ ଗ୍ଲାଇକଲ୍‌‌ ପ୍ରକଳ୍ପ, ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ପର୍ଯ୍ୟନ୍ତ ୩୪୪ କିମି ଦୈର୍ଘ୍ୟର ପାଇପଲାଇନ ଉଦଘାଟନ କରିଛନ୍ତି। ପାରାଦୀପରେ ଏଲପିଜି ଆମଦାନୀ ସୁବିଧାକୁ ମଧ୍ୟ ଲୋକାର୍ପଣ କରିଥିବା ବେଳେ ବିଭିନ୍ନ ଜାତୀୟ ରାଜଥର ସମ୍ପ୍ରସାରଣ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ସେହିପରି ୧୬୨ କିମି ବାଂଶପାଣି– ଦୈତାରୀ–ଟମକା– ଯଖପୁରା ରେଳ ଲାଇନ ଦୋହରୀକରଣକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। କଳିଙ୍ଗ ନଗରରେ କନକୋର କଣ୍ଟେନର ଡିପୋ ଉଦ୍‌‌ଘାଟନ, ନର୍ଲାଠାରେ ପ୍ରସ୍ତାବିତ ଇଲେକ୍ଟ୍ରିକ୍‌‌ ରେଳ ଇଂଜିନ ମରାମତି କାରଖାନା, କଣ୍ଟାବାଞ୍ଜିରେ ୱାଗନ୍‌‌ ମରାମତି କାରଖାନା ଏବଂ ବାଘୁଆପାଳରେ ରେଳ ଇଞ୍ଜିନ ଓ ୱାଗନ ରକ୍ଷଣାବେକ୍ଷଣ ସୁବିଧାଗୁଡ଼ିକର ନବୀକରଣ ଏବଂ କ୍ଷମତା ବୃଦ୍ଧି ପାଇଁ ଭିତ୍ତିପ୍ରସ୍ତର ସ୍ଥାନ କରିଛନ୍ତି। କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ ଏବଂ ଆନନ୍ଦ ବିହାର (ନୂଆଦିଲ୍ଲୀ) ମଧ୍ୟରେ ନୂତନ ଟ୍ରେନ୍‌‌ କେନ୍ଦୁଝରଗଡ଼ ରେଳ ଷ୍ଟେସନରୁ ଶୁଭାରମ୍ଭ, କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟଦେଇ ହରିଦାସପୁର– ପାରାଦୀପ ରେଳ ମାର୍ଗରେ ଯାତ୍ରୀବାହୀ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ।

Leave A Reply

Your email address will not be published.