Odisha Link
Bridging the Missing Links in Odisha

ସୋସିଆଲ ମିଡିଆରେ ଲୁଙ୍ଗି ବନାମ ଧୋତି, ପ୍ରଚାର ମୈଦାନରେ ‘ବାଘ’

ଓଏଲ୍‌ ବ୍ୟୁରୋ: ପ୍ରଚାରରେ କମ୍ପୁଛି ଗାଁ ଠୁ ସହର। ନିର୍ବାଚନ ବୈତରଣୀ ପାର କରିବା ପାଇଁ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ କରୁଛନ୍ତି ଜୋରଦାର ପ୍ରଚାର। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁଁ ନାମାଙ୍କନ ପତ୍ର ଯାଞ୍ଚ ସରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ନାମାଙ୍କ ପତ୍ର ଦାଖଲ କରିବା ପ୍ରକ୍ରିୟା ଚାଲିଛି। ଏସବୁ ମଧ୍ୟରେ ପ୍ରଚାର ମୈଦାନରୁ ଆରମ୍ଭ କରି ସୋସିଆଲ ମିଡିଆରେ ସବୁଠି ରାଜନୀତିର ଚର୍ଚ୍ଚା। ଏବେ ବେଶ କିଛିଦିନ ହେବ ସୋସିଆଲ ମିଡିଆରେ ଲୁଙ୍ଗି ବନାମ ଧୋତି ପ୍ରସଙ୍ଗରେ ଚର୍ଚ୍ଚା ଲାଗି ରହିଥିବା ବେଳେ ନିର୍ବାଚନ ପ୍ରଚାର ମୈଦାନରେ ‘ବାଘ’ ପ୍ରସଙ୍ଗ ଏବେ ଓଡ଼ିଶା ରାଜନୀତିରେ ଚର୍ଚ୍ଚା ଲାଗି ରହିଛି। ତେବେ ଓଡ଼ିଶା ରାଜନୀତିରେ ‘ବାଘ’ ଉପାଖ୍ୟାନ ନିର୍ବାଚନରେ ପ୍ରଭାବ ପକାଇ ପାରିବ ତ।

ସୋସିଆଲ ମିଡିଆରେ ଲୁଙ୍ଗି ବନାମ ଧୋତି ଚର୍ଚ୍ଚା ପରେ ଏବେ ପ୍ରଚାର ମୈଦାନରେ ‘ବାଘ’ ଚର୍ଚ୍ଚା। କାରଣ ନିର୍ବାଚନୀ ସଭାରେ ନେତା, ନେତ୍ରୀ ‘ବାଘ’ ଉପାଖ୍ୟାନ ଦେଇ ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା ଚଳାଇଛନ୍ତି। ଶୁକ୍ରବାର ଆୟୋଜିତ ଏକ ବିଶାଳ ପ୍ରଚାର ସମାବେଶ ଉଦ୍‌ବୋଧନରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ‘ବାଘ ବାଘୁଣୀ’ କହିଛନ୍ତି। ସେ ସଭାରେ କହିଥିଲେ ଯେ, ମୁଁ ବାଘ ହେଲେ ମୋ ସ୍ତ୍ରୀ ବାଘୁଣୀ। କାରଣ ଜନତାଙ୍କ ସେବା ପାଇଁ ଏକ ମାମଲାରେ ମୁଁ ଜେଲ୍‌ ଯାଇଥିବା ବେଳେ ଗର୍ଭବତୀ ଥିବା ସ୍ତ୍ରୀ ସେହି ସମୟରେ ସନ୍ତାନ ପ୍ରସବ କରିଥିଲେ। ହେଲେ ସେହି କଠୋର ସମୟରେ ପତ୍ନୀ ବିଚଳିତ ହେବା ପରିବର୍ତ୍ତେ, ମୁଁ ଠିକ୍ ଅଛି, ତୁମେ ଲୋକଙ୍କ ପାଇଁ ଲଢ଼େଇ ଜାରି ରଖ ବୋଲି କହି ମତେ ସାହସ ଦେଇଥିଲେ ବୋଲି ମାରାଣ୍ଡି କହିଥିଲେ।

ସେହିପରି ସୋନପୁରରେ ବିଜେପି ଆୟୋଜିତ କରିଥିବା ବିଜୟ ସଂକଳ୍ପ ସମାବେଶରେ ମଧ୍ୟ ବାଘ କଥା କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଥିଲେ ଯେ, ଚଳିତ ନିର୍ବାଚନରେ ଲକ୍ଷେ ବାଘ ସାଙ୍ଗରେ ଲଢୁଛି ଆମର ପଛୁଆ ଜାତିର ବାଘ୍। ବିଜେଡିକୁ ଜବାବ୍ ଦେବ ଏ ପଶ୍ଚିମ ଓଡ଼ିଶାର ବାଘ। ପଶ୍ଚିମ ଓଡ଼ିଶାର ବାଘ ସରକାରଙ୍କୁ ଜବାବ ଦେବ ବୋଲି କହିଥିଲେ। ସେହିପରି ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ମଧ୍ୟ ବିଭିନ୍ନ ନିର୍ବାଚନ ପ୍ରଚାର ମୈଦାରେ ବାଘର ଝିଅ ବାଘ ବୋଲି କହି ଜନତାଙ୍କୁ ଭୋଟ ଭିକ୍ଷା କରୁଛନ୍ତି।

Leave A Reply

Your email address will not be published.