Odisha Link
Bridging the Missing Links in Odisha

ପ୍ରାଥମିକ ଶିକ୍ଷକଙ୍କ ବଢ଼ିବ ଦରମା, କ୍ୟାବିନେଟରେ ନିଆଗଲା ବଡ଼ ନିଷ୍ପତ୍ତି

ଓଏଲ୍‌ ବ୍ୟୁରୋ: ଶେଷ ହେଲା ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ମୋଟ ୧୭ଟି ପ୍ରସ୍ତାବରେ ବାଜିଛି ମୋହର। ଏହି ବୈଠକରେ ପ୍ରାଥମିକ ଶିକ୍ଷକଙ୍କ ବେତନ ରାଶିରେ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକଙ୍କ ଦରମାରେ ପରିବର୍ତ୍ତନ ଆଣିଛନ୍ତି। ଏହା ଦ୍ବାରା ୧ ଲକ୍ଷ ୪ ହଜାରରୁ ଅଧିକ ଶିକ୍ଷକ ହେବେ ଉପକୃତ। ରାଜ୍ୟ ସରକାର ଏଥି ପାଇଁ ୫୮୭ କୋଟି ଟଙ୍କା ଖର୍ଚ୍ଚ କରିବେ। ଏଲିମେଣ୍ଟାରୀ ଶିକ୍ଷକ କ୍ୟାଡର ପୁନର୍ଗଠିତ ହେବ।

ସେହିପରି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ୩ଟି ପ୍ରସ୍ତାବ ମଞ୍ଜୁରୀ ମିଳିଛି। ବୈଠକରେ ରାଜ୍ୟର ସମସ୍ତ ୟୁଜି (ସ୍ନାତକ) ଓ ପିଜି (ସ୍ନାତକୋତ୍ତର) ପିଲାଙ୍କୁ ନୂଆ-ଓ ଛାତ୍ରବୃତ୍ତି ମିଳିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି। ପୂର୍ବରୁ କେବଳ ଉଚ୍ଚଶିକ୍ଷା ବିଭାଗ ଅଧୀନ ୟୁଜି, ପିଜି ପିଲା ଏହି ବୃତ୍ତି ପାଉଥିଲେ। ଏବେ ଅନ୍ୟ ବିଭାଗ କୃଷି, ସଂସ୍କୃତି ବିଭାଗ ଅଧୀନରେ ଥିବା ପିଲା ମଧ୍ୟ ପାଇବେ।

ସେହିପରି ଢେଙ୍କାନାଳର ବିରାଶାଳରେ ହେବ ବିଜୁ ପଟ୍ଟନାୟକ ଆଭିଏସନ ସେଣ୍ଟର। ଆଭିଏସନ ସେଣ୍ଟରରେ ବିଭିନ୍ନ ପ୍ରକାର ଟ୍ରେନିଂ ପ୍ରଦାନ କରାଯିବ। ପାଇଲଟ୍, କ୍ୟାବିନ କ୍ରୁ ଆଦି ବିଭିନ୍ନ ପ୍ରକାର ଟ୍ରେନିଂ ଦିଆଯିବ। ଆଭିଏସନ ସେଣ୍ଟ ପାଇଁ ବ୍ୟୟ ହେବ ୫୬୨ କୋଟି ଟଙ୍କା।