ପୁଣିଥରେ ବରିଷ୍ଠ ନେତାଙ୍କୁ ନବୀନଙ୍କ ଡାକରା; ଆସନ୍ତାକାଲି ବିଜେଡିର ଜରୁରୀ ବୈଠକ

ଓଏଲ୍ ବ୍ୟୁରୋ: ନିର୍ବାଚନ ଯେତେ ପାଖଉଛି ଓଡ଼ିଶା ରାଜନୈତିକ ମାହୋଲ ସେତେ ସରଗରମ ହେବାରେ ଲାଗିଛି। ବିଗତ କିଛି ଦିନ ହେବ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ହେବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା। ହେଲେ ଏଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମେଣ୍ଟ ହେବ ନାହିଁ କହି ପୂର୍ଣ୍ଣଚ୍ଛେଦ ପକାଇଥିଲେ। ଏସବୁ ମଧ୍ୟରେ ଆସନ୍ତାକାଲି ବିଜେଡିର ବଡ଼ ବୈଠକ ହେବାକୁ ଯାଉଛି। ବରିଷ୍ଠ ନେତାଙ୍କୁ ଏହି ବୈଠକରେ ସାମିଲ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜିତ ହେବ।
ଅନ୍ୟପଟେ, ନିର୍ବାଚନ ତାରିଖ ଘୋଷଣା ହେବା ନେଇ ଚର୍ଚା ବଢ଼ିବାରେ ଲାଗିଛି। ନିର୍ବାଚନ ତାରିଖ ଘୋଷଣାକୁ ସମସ୍ତେ ଅପେକ୍ଷା କରିଛନ୍ତି। ନିର୍ବାଚନ କମିଶନ ଆସନ୍ତା ୧୪ କିମ୍ବା ୧୫ ତାରିଖରେ ଦେଶରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିବା ସମ୍ଭାବନା ରହିଛି। ୨୦୧୯ ଭଳି ଏଥର ବି ୭ଟି ପର୍ଯ୍ୟାୟରେ ମତଦାନ ହୋଇପାରେ। ଏପ୍ରିଲ ଦ୍ୱିତୀୟ ସପ୍ତାହରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବା ସମ୍ଭାବନା ରହିଛି। ୨୦୧୯ ଲୋକସଭା ନିର୍ବାଚନ ତାରିଖ ମାର୍ଚ୍ଚ ୧୦ରେ ଘୋଷଣା ହୋଇଥିଲା। ଏପ୍ରିଲ ୧୧ରୁ ମେ’ ୧୯ ମଧ୍ୟରେ ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯାଇଥିଲା। ମେ’ ୨୩ ତାରିଖରେ ଭୋଟ୍ ଗଣତି ସହ ଫଳାଫଳ ପ୍ରକାଶ ପାଇଥିଲା। ୨୦୧୯ ଭଳି ୨୦୨୪ରେ ସମାନ ଧରଣର ତାରିଖ ଘୋଷଣା ହୋଇପାରେ।
ଏବେ ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି ନିର୍ବାଚନ କମିଶନ ଓ ତାଙ୍କ ଟିମ୍। ଭୋଟ୍ ଗ୍ରହଣର ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରୁଛନ୍ତି ନିର୍ବାଚନ କମିଶନ। ଏହି ଟିମ୍ ୧୩ ତାରିଖରେ ତାଙ୍କ ଗସ୍ତ କାର୍ଯ୍ୟକ୍ରମ ଶେଷ କରିବେ। ଶେଷ ଦିନରେ ନିର୍ବାଚନ କମିଶନଙ୍କ ଟିମ୍ ଜମ୍ମୁ-କାଶ୍ମୀର ଯିବେ। ଏବେ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି, ପରେ ଉତ୍ତର ପ୍ରଦେଶ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟକୁ ମାରାଥନ ଗସ୍ତ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଶେଷ ହେବା ପରେ ତାରିଖ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ବଢ଼ିବାରେ ଲାଗିଛି।