Odisha Link
Bridging the Missing Links in Odisha

ମୁସଲିମ୍‌ ବିରୋଧୀ ନୁହେଁ CAA: ଅମିତ ଶାହ

ଓଏଲ୍‌ ବ୍ୟୁରୋ: ଦେଶରେ ଲାଗୁ ହୋଇସାରିଛି ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)। ଆଉ ଏହି ପ୍ରସଙ୍ଗରେ ଏବେ ବି ରାଜନୀତି ଦେଶରେ ଲାଗି ରହିଛି। ଏସବୁ ମଧ୍ୟରେ ସିଏଏ ପ୍ରସଙ୍ଗରେ ଅମିତ ଶାହ ନିଜର ପ୍ରତିକ୍ରିୟା ରଖିଛନ୍ତି। ଖବର ସରବରାହ ସଂସ୍ଥା ଏଏନ୍‌ଆଇକୁ ଏକ ସାକ୍ଷାତକାର ଦେଇ ସିଏଏ ପ୍ରସଙ୍ଗରେ ମତ ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।

ଅନ୍ୟପଟେ ସିଏଏକୁ ନେଇ ବିରୋଧୀ ଏବେ ବି ସ୍ବର ଉଠାଇବା ଜାରି ରଖିଛନ୍ତି। ଆଉ ଏହାରି ଭିତରେ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି, କୌଣସି ବି ପରିସ୍ଥିତିରେ ସିଏଏକୁ ପ୍ରତ୍ୟାହାର କରାଯିବ ନାହିଁ। ନାଗରିକତା ସଂଶୋଧନ ଅଧିନିୟମ କେବେବି ମୁସଲମାନଙ୍କ ବିପକ୍ଷରେ ନୁହେଁ। ବାଂଲାଦେଶ, ପାକିସ୍ତାନ ଏବଂ ଆଫଗାନିସ୍ତାନରେ ନିର୍ଯାତିତ ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାରସୀ ଏବଂ ଖ୍ରୀଷ୍ଟିଆନଙ୍କ ସମେତ ଅଣ-ମୁସଲମାନ ପ୍ରବାସୀମାନଙ୍କୁ ନାଗରିକତ୍ୱ ଦେବା ହେଉଛି ସିଏଏର ମୂଳ ଉଦ୍ଦେଶ୍ୟ।

ସେ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ବିରୋଧୀଙ୍କ ପାଖରେ କିଛି କାମ ନାହିଁ। ସେମାନେ କହୁଥିଲେ ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ଏୟାରଷ୍ଟ୍ରାଇକ୍ ରାଜନୈତିକ ଲାଭ ପାଇଁ କରାଯାଇଛି। ହେଲେ ଆତଙ୍କବାଦ ବିରୋଧରେ ଆକ୍ସନ ନେବା ଉଚିତ୍ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ଶାହ। ସେହିଭଳି ଶାହ କହିଛନ୍ତି, ଧାରା ୩୭୦ ହଟେଇବୁ ବୋଲି ଆମେ ୧୯୫୦ରୁ କହୁଥିଲୁ। ତାହା ଏବେ କରି ଦେଖାଇଲୁ। ସେମାନେ ଯାହା କୁହନ୍ତି, ତାହା କରନ୍ତିନି। ହେଲେ ଆମେ ଯାହା କହୁ, ସେୟା କରୁ।

ଶାହ ଆହୁରି କହିଛନ୍ତି, ସିଏଏ ଜରିଆରେ ନୂଆ ଭୋଟ୍ ବ୍ୟାଙ୍କ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ବିରୋଧୀ। ଏହା ହିଁ ତାଙ୍କର ଇତିହାସ। ହେଲେ ବିଜେପି, ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ସବୁ ଗ୍ୟାରେଣ୍ଟି ପୂରା ହେଇଛି ଆଉ ଆଗକୁ ହେବ ବୋଲି ଶାହ କହିଛନ୍ତି।