Odisha Link
Bridging the Missing Links in Odisha

ବଢୁଛି ରାଜନୈତିକ ଚର୍ଚ୍ଚା; ବିଜେପିରେ ସାମିଲ ହୋଇପାରନ୍ତି ଭର୍ତ୍ତୃହରି ମହତାବ

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନୀ ମାହୋଲ। ଓଡ଼ିଶାରେ ଏକାଥରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେଉଥିବା ବେଳେ ସାରା ଦେଶର ନଜର ଏବେ ବିଶେଷ ଭାବେ ଓଡ଼ିଶା ଉପରେ ରହିଛି। ଏହାରି ମଧ୍ୟରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି। ବିଜେଡିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ଭର୍ତ୍ତୃହରି ମହତାବ। ଏନେଇ ସେ ନିଜେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହା ପରେ ସେ ଆଜି ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି।

ସେ କହିଛନ୍ତି, ଦଳର ସଂଚାଳନ ଓ ପରିଚାଳନାରେ ସଂଶୋଧନ ପାଇଁ ଉଦ୍ୟମ କରିଥିଲି। ଦଳର ଆଚରଣ ସଂଶୋଧନ ପାଇଁ ଚେଷ୍ଟା କରି ବିଫଳ ହେଲି। ସେଥିପାଇଁ ଦଳରେ ରହିବା ଆବଶ୍ୟକ ମନେ କଲି ନାହିଁ। ବହୁତ ସହିଛି। ସହି ସହି ଅସହ୍ୟ ହେଲା ପରେ ଏମିତି ନିଷ୍ପତ୍ତି ନେଲି। ନିଷ୍ପତ୍ତି କଠୋର ହୋଇପାରେ। କିନ୍ତୁ ମୋତେ ହାଲୁକା ଲାଗୁଛି।

ଇସ୍ତଫାପତ୍ରରେ ଭର୍ତ୍ତୃହରି ଲେଖିଛନ୍ତି- ପ୍ରିୟ ନବୀନ ବାବୁ, ଯେଉଁ ବିଜୁ ଜନତା ଦଳ ଗଠନର ଆରମ୍ଭରୁ ମୁଁ ସଂପୃକ୍ତ, ଯାହାର ସମୃଦ୍ଧିରେ ମୋର ମଧ୍ୟ କିଛି ଅବଦାନ ରହିଛି, ଆଜି ସେ ଦଳରୁ ମୁଁ ଭଗ୍ନହୃଦୟରେ ସମ୍ପର୍କ ଛିନ୍ନ କରିବାକୁ ବାଧ୍ୟ ହେଉଛି। ଏହି ପତ୍ର ଜରିଆରେ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି।

ସୂଚନାଥାଉକି, କଟକରୁ ୬ ଥର ସାଂସଦ ହୋଇଛନ୍ତି ଭର୍ତ୍ତୃହରି। ସେ ୧୯୯୮, ୧୯୯୯, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ କଟକରୁ ଲୋକସଭା ନିର୍ବାଚନ ଜିତିଛନ୍ତି।।

Leave A Reply

Your email address will not be published.