Odisha Link
Bridging the Missing Links in Odisha

ପ୍ରଥମ ଥର ପାଇଁ ଖଣ୍ଡପଡ଼ାରେ ପଦ୍ମ ଫୁଟିବ: ଅଭିଳାଷ ପଣ୍ଡା

ଭାପୁର ବ୍ଲକ୍‌କୁ ସରକାରଙ୍କ ଅଣଦେଖା ଅଭିଯୋଗ

ନୟାଗଡ଼: ସାଧାରଣ ନିର୍ବାଚନ ଘଡ଼ି ପାଖେଇ ଆସୁଥିବାବେଳେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ବୃଦ୍ଧିପାଇଛି। ପ୍ରଥମ ଥର ପାଇଁ ଏଠାରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଜୟୀ ହେବେ ବୋଲି ଦଳ ଦୃଢ଼ୋକ୍ତି ବାଢ଼ୁଥିବାବେଳେ, ଭାପୁର ପ୍ରସଙ୍ଗ ଏଥର ଗୁରୁତ୍ବ ପାଇବ। ବିଜୁ ଜନତା ଦଳ ସରକାରରେ ଭାପୁର ବ୍ଲକ୍‌ ସବୁଠୁ ଅଧିକ ଅବହେଳିତ ହୋଇରହିଛି ବୋଲି ବିଜେପିର ଆଶାୟୀ ପ୍ରାର୍ଥୀ ଅଭିଳାଷ ପଣ୍ଡା ଗଣମାଧ୍ୟମକୁ କହିଛନ୍ତି।

ଆଜି ସମ୍ବାଦପତ୍ରରେ ପ୍ରକାଶିତ ଏ ସମ୍ପର୍କିତ ଖବରରେ ଅଭିଳାଷ କହିଛନ୍ତି ଯେ ବିଗତ ୫୦ ବର୍ଷରେ କେହି ଜଣେ ବି ଭାପୁର ବ୍ଲକ୍‌ରୁ ବିଧାୟକ ହୋଇନଥିବା ବେଳେ ସେ ପ୍ରଥମ ଥର ପାଇଁ ଏହି ବ୍ଲକ୍‌ରୁ ବିଜେପିକୁ ନେତୃତ୍ବ ଦେବେ। ସେ କହିଛନ୍ତି, ୨୪ ବର୍ଷ ହେଲା ବିଜେଡି ଖଣ୍ଡପଡ଼ାର ସ୍ବାର୍ଥକୁ ବଳି ପକାଇବା ସହ ଏହାର ଜନସାଧାରଣଙ୍କୁ ଅବହେଳା କରି ଆସିଛି। ବିଶେଷ କରି ଭାପୁର ବ୍ଲକ୍‌ ଅଧିକ କୋଣଠେସା ହୋଇ ରହିଛି। ନିକଟରେ ରାଜ୍ୟ ସରକାର ମାଳମାଳ ଏନ୍‌ଏସି ଘୋଷଣା କରିଥିଲେ ବି ଭାପୁରର ଦାବିକୁ ଅଣଦେଖା କରିଛନ୍ତି। ଭାପୁର ପାଇଁ ବିଜେଡି ସରକାରଙ୍କର କୌଣସି ଯୋଜନା ନାହିଁ ବୋଲି ଶ୍ରୀ ପଣ୍ଡା କ୍ଷୋଭ ପ୍ରକାଶ କରିଛନ୍ତି।

Nitidin, 30 March 2024
Nitidin, 30 March 2024

ସେ ନିଜେ ଭାପୁର ବ୍ଲକ୍‌ର ହୋଇଥିବାରୁ ଭାପୁରର ସ୍ବାର୍ଥ ରକ୍ଷା ପାଇଁ ଅଧିକ ଯତ୍ନବାନ ହେବେ ବୋଲି କହିଛନ୍ତି ଅଭିଳାଷ। ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ସାମଗ୍ରିକ ଉନ୍ନୟନ ସହ ଅବହେଳିତ ଭାପୁର ବ୍ଲକ୍‌ ପାଇଁ ସେ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଦୀର୍ଘ ବର୍ଷ ଧରି ଖଣ୍ଡପଡ଼ାରୁ ବିଧାୟକ ଦେଖି ଆସିଥିବା ଏହି ନିର୍ବାଚନ ମଣ୍ଡଳୀର ମତଦାତାମାନେ ଏଥର ଭାପୁର ବ୍ଲକ୍‌ର ପୁଅ ଭାବେ ତାଙ୍କୁ ସମର୍ଥନ ଦେବେ ବୋଲି ଅଭିଳାଷ ଆଶାପୋଷଣ କରିଛନ୍ତି।

ସୂଚନାଯୋଗ୍ୟ, ୧୯୫୧ ମସିହା ପ୍ରଥମ ନିର୍ବାଚନଠାରୁ ଆଜି ଯାଏଁ ଖଣ୍ଡପଡ଼ାରୁ ଦୁଇଟି ପରିବାର ସର୍ବାଧିକ ଥର କ୍ଷମତା ଭୋଗ କରିଆସିଛନ୍ତି। ଏଠାର ରାଜ ପରିବାରର ତିନି ପିଢ଼ି ୮ ଥର ବିଧାୟକ ହୋଇଥିବାବେଳେ ପଟ୍ଟନାୟକଙ୍କ ପରିବାରର ତିନିଜଣ ୪ ଥର ବିଧାୟକ ଭାବେ ବିଜୟୀ ହୋଇଛନ୍ତି। ବିଜେପି ଏଠାରେ କ୍ରମାଗତ ଭାବେ ପରାଜୟ ଦେଖି ଆସିଛି। ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ୍‌ ଏଯାବତ୍‌ ଭାପୁର ବ୍ଲକ୍‌ରୁ କାହାକୁ ବି ପ୍ରାର୍ଥୀ କରିନାହାନ୍ତି। ପ୍ରଥମ ଥର ପାଇଁ ଅଭିଳାଷ ଭାପୁର ବ୍ଲକ୍‌ର ପ୍ରାର୍ଥୀ ଭାବରେ ବିଜୟୀ ହେବାର ଆଶା ରଖିଛନ୍ତି।

ଜିଲ୍ଲାର ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ୩ଟି ଏନ୍‌ଏସି / ପୌରପାଳିକା ଥିବାବେଳେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ୨ଟି ରହିଛି। ଖଣ୍ଡପଡ଼ାର ଦୁଇଟି ଯାକ ଏନ୍‌ଏସି (ଖଣ୍ଡପଡ଼ା ଓ କଣ୍ଟିଲୋ) ଖଣ୍ଡପଡ଼ା ବ୍ଲକ୍‌ରେ ଥିବାବେଳେ ଭାପୁରକୁ ଏଯାଏଁ ଏନ୍‌ଏସି ଘୋଷଣା କରାନଯିବା ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇଛି। କଣ୍ଟିଲୋ ନୀଳମାଧବ ମନ୍ଦିର ଉନ୍ନୟନ ପାଇଁ ରାଜ୍ୟ ସରକାର ୭୦ କୋଟି ଟଙ୍କାର ବ୍ୟୟବରାଜ କରିଥିବାବେଳେ ଭାପୁରରେ ଥିବା ରାଜ୍ୟର ସର୍ବବୃହତ୍‌ ଉଷ୍ମପ୍ରସବଣ ପୀଠଟି ଭୀଷଣ ଭାବେ ଅବହେଳିତ ହୋଇ ରହିଛି। ଭାପୁରରେ ଚିତ୍ତ ବିନୋଦନ ପାଇଁ ପ୍ରମୋଦ ଉଦ୍ୟାନଟିଏ ନାହିଁ। ବ୍ଲକ୍‌ର ଅଧିକାଂଶ ଅଧିବାସୀ କୃଷି ଉପରେ ନିର୍ଭର କରୁଛନ୍ତି। ବ୍ଲକ୍‌ ସୀମା ଦେଇ ଚିରସ୍ରୋତା ମହାନଦୀ ଯାଇଥିଲେ ବି ଖରାଦିନେ ଏଠାରେ ଜଳସେଚନର କୌଣସି ସୁବିଧା ନାହିଁ। ଅନ୍ୟପଟେ ପ୍ରତିବର୍ଷ ବର୍ଷାଦିନେ ଭାପୁର ବ୍ଲକ୍‌ ଭୀଷଣ ଭାବେ ବନ୍ୟାରେ ପ୍ରଭାବିତ ହେଉଛି। ଭାପୁରର ମାଳମାଳ ସମସ୍ୟକୁ ବିଜେପି ଏଥର ଅସ୍ତ୍ର କରିବା ସହ ଭାପୁରରୁ ପ୍ରାର୍ଥୀ ଦେଇ ସ୍ଥାନୀୟ ଭୋଟ ହାତେଇବାକୁ ଉଦ୍ୟମ କରିବ ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.