Odisha Link
Bridging the Missing Links in Odisha

ଆଜିଠୁ କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଆରମ୍ଭ; ଜାଣନ୍ତୁ କେମିତି କରିବେ ଆବେଦନ

ଓଏଲ୍‌ ବ୍ୟୁରୋ: ଆଜିଠୁ ଚଳିତ ୨୦୨୪-୨୫ ଶିକ୍ଷାବର୍ଷରେ କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେଉଛି। ଆଗ୍ରହୀ ବିଦ୍ୟାର୍ଥୀମାନେ କେନ୍ଦ୍ରୀୟ ବିଦ୍ୟାଳୟ ୱେବ୍‌ସାଇଟ୍‌ kvsangathan.nic.in ଓ kvsonlineadmission.kvs.gov.inରେ ଆବେଦନ କରିପାରିବେ।

ବାଲ୍‌ବାଟିକା ୧, ୨ ଓ ୩ ସମେତ ପ୍ରଥମରୁ ଦଶମ ଶ୍ରେଣୀରେ ନାମଲେଖା ପାଇଁ ଏପ୍ରିଲ ୧୫ ତାରିଖ ଯାଏଁ ପଞ୍ଜୀକରଣ କରିପାରିବେ। ବାଲ୍‌ବାଟିକାରେ ନାମଲେଖା ପାଇଁ ବିଦ୍ୟାର୍ଥୀଙ୍କୁ ରବିବାର ସୁଦ୍ଧା ୩ରୁ ୬ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ସେହିପରି ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ଅନ୍ୟୁନ ୬ବର୍ଷ ହୋଇଥିବା ଆବଶ୍ୟକ।

ଦ୍ୱିତୀୟରୁ ତଦୂ୍ର୍ଧ୍ବ ଶ୍ରେଣୀରେ ନାମଲେଖା ପାଇଁ ଏପ୍ରିଲ ୧୦ ତାରିଖ ଯାଏଁ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଅନୁରୂପ ଭାବେ ଏକାଦଶ ବା +୨ ପ୍ରଥମ ବର୍ଷରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବାର ୧୦ଦିନ ମଧ୍ୟରେ ଆରମ୍ଭ କରାଯିବ ବୋଲି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ପ୍ରକାଶ କରାଯାଇଛି।

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ତାଲିକା ଏପ୍ରିଲ ୧୯ ତାରିଖରେ ଆସିବ। ଏହାପରେ ୨୯ତାରିଖରେ ଦ୍ୱିତୀୟ ଓ ମେ’ ୮ ତାରିଖରେ ତୃତୀୟ ପର୍ଯ୍ୟାୟ ଚୟନ ତାଲିକା ପ୍ରକାଶ ପାଇବ।

ଯେଉଁଠି ସିଟ୍‌ ପୂରଣ ହୋଇନଥିବ ବା ସିଟ୍‌ ଅନୁସାରେ ଆବେଦନ ଗ୍ରହଣ ହୋଇନଥିବ, ସେଠାରେ ମେ’ ୭ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜୀକରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ମେ’ ୮ ରୁ ୧୫ ତାରିଖ ମଧ୍ୟରେ ବିଦ୍ୟାର୍ଥୀମାନେ ଆବେଦନ କରିପାରିବେ। ସୂଚନାଯୋଗ୍ୟ, ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଅନଲାଇନ୍‌ରେ ହେବ।

Leave A Reply

Your email address will not be published.