Odisha Link
Bridging the Missing Links in Odisha

ହରିୟାଣା ବିଜେପିକୁ ବଡ଼ ଝଟକା; ଦଳରୁ ମୁହଁ ଫେରାଇଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ..

ଓଏଲ୍‌ ବ୍ୟୁରୋ: ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ଏପ୍ରିଲ ମାସ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ। ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି।

ଅନ୍ୟପଟେ, କିଛି ନେତା ଦଳବଦଳ କରି ନୂଆ ଦଳରେ ସାମିଲ ହେଉଛନ୍ତି। ତେବେ ଏହା ମଧ୍ୟରେ ପୁଣି ଜଣେ ବଡ଼ ନେତା ଦଳ ପରିବର୍ତ୍ତନ କରିଛନ୍ତି। ମୋଦୀ ସରକାରଙ୍କ କେନ୍ଦ୍ର କ୍ୟାବିନେଟର ଜଣେ ପୂର୍ବତନ ମନ୍ତ୍ରୀ ଦଳ ଛାଡ଼ିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିରେନ୍ଦ୍ର ସିଂହ ବିଜେପିରୁ ଇସ୍ତଫା ଦେଇଛନ୍ତି। ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏଭଳି ସମୟରେ ବିରେନ୍ଦ୍ର ଦଳ ଛାଡ଼ିବା ପରେ ହରିୟାଣା ବିଜେପିକୁ ଏକ ବଡ଼ ଝଟକା ଲାଗିଛି। ଏହା ପୂର୍ବରୁ ମାର୍ଚ୍ଚ ୧୦ରେ ବିରେନ୍ଦ୍ରଙ୍କ ପୁଅ ତଥା ସାଂସଦ ବ୍ରିଜେନ୍ଦ୍ର ସିଂହ କଂଗ୍ରେସରେ ସାମିଲ ହୋଇଥିଲେ। ବିରେନ୍ଦ୍ର ଦୀର୍ଘ ଚାରି ଦଶନ୍ଧି ଧରି କଂଗ୍ରେସ ସହ ରହିଥିଲେ। ସେ ୨୦୧୪ ଅଗଷ୍ଟ ମାସରେ ହାତ ଛାଡ଼ି ପଦ୍ମରେ ସାମିଲ ହୋଇଥିଲେ। ସେ ୨୦୧୯ ଲୋକସଭା ନିର୍ବାଚନରେ ହିସାରରୁ ବିଜେପି ଟିକେଟରେ ବିଜୟୀ ହୋଇଥିଲେ। ଏବେ ପୁଣି ତାଙ୍କର ଘର ବାହୁଡ଼ା ହେବ ବୋଲି କୁହାଯାଉଛି।

Leave A Reply

Your email address will not be published.