Odisha Link
Bridging the Missing Links in Odisha

ଏଥର ପୁରୀରେ ବଡ଼ ଲଢ଼େଇ: କାହାକୁ ଭରସା କରିବେ ଶ୍ରୀକ୍ଷେତ୍ରବାସୀ?

ଓଏଲ୍‌ ବ୍ୟୁରୋ: ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚେହେରାକୁ ନେଇ ନିର୍ବାଚନ ଲଢେଇ ଆରମ୍ଭ ହୋଇଛି। ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେହିଭଳି ବିଜେପି ମଧ୍ୟ ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିସାରିଛି। ହେଲେ ଏ ଯାଏଁ କୌଣସି ଦଳ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ।

ଲୋକସଭା ନିର୍ବାଚନ ପାଇଁ ବିଜେଡି ଏବଂ ବିଜେପି ପ୍ରାର୍ଥୀ ଘୋଷଣା କରିଥିବାବେଳେ ଏଥର ପୁରୀରେ ଦେଖିବାକୁ ମିଳିବ ସମ୍ବିତ ବନାମ ଅରୂପ ଲଢେଇ। ମାର୍ଚ୍ଚ ୨୪ ତାରିଖରେ ୧୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି। ଏହି ଲିଷ୍ଟରେ ପୁରୀରୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ଦଳ ଦେଇଥିଲା ଲୋକସଭା ଟିକେଟ୍। ଯାହାପରେ ଲଗାତାର ଦ୍ୱିତୀୟ ଥର ପାଇଁ ସମ୍ବିତ ପାତ୍ର ପୁରୀ ଲୋକସଭା ଆସନରୁ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି।

ଅନ୍ୟପଟେ, ଏଥର ପୁରୀରେ ବିଜେଡି କରିଛି ନିଜର ଯୋଦ୍ଧା ପରିବର୍ତ୍ତନ। ସାଂସଦ ପିନାକୀ ମିଶ୍ରଙ୍କ ଟିକେଟ୍ କାଟି ପୂର୍ବତନ ଆଇପିଏସ୍ ଅଫିସର ଅରୂପ ପଟ୍ଟନାୟକଙ୍କୁ ଦଳ ଦେଇଛି ଲୋକସଭା ଟିକେଟ୍। ଗତ ୨୦୧୯ ସାଧାରଣ ନିର୍ବାଚନରେ ପୁରୀରେ ସମ୍ବିତ ପାତ୍ର ଓ ପିନାକୀ ମିଶ୍ରଙ୍କ ଭିତରେ ଜୋରଦାର ଲଢେଇ ଦେଖିବାକୁ ମିଳିଥିଲା। ହେଲେ ଶେଷ ମୁହୂର୍ତ୍ତରେ ପରାଜୟ ବରଣ କରିଥିଲେ ସମ୍ବିତ ପାତ୍ର। ବିଜେପି ପ୍ରାର୍ଥୀଙ୍କୁ ପାଖାପାଖି ୧୨ ହଜାରରୁ ଅଧିକ ଭୋଟରେ ହରାଇଥିଲେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର। ହେଲେ ଏଥର କିନ୍ତୁ ପିନାକୀଙ୍କ ଟିକେଟ୍ କାଟି ଅରୂପଙ୍କ ଉପରେ ଭରସା କରିଛି ଦଳ। ଆଉ ତାଙ୍କୁ ମିଳିଛି ଲୋକସଭା ଟିକେଟ୍। ତେବେ ଏ ସବୁ ଭିତରେ କାହାକୁ ଭରସା କରୁଛନ୍ତି ପୁରୀର ସାଧାରଣ ଜନତା ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.