ଇସ୍ତାହାର କମିଟି ଗଠନ କଲା ବିଜେଡି; ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଚନ୍ଦ୍ରଶେଖର ସାହୁ

ଓଏଲ୍ ବ୍ୟୁରୋ: ବାଜିଛି ନିର୍ବାଚନୀ ବିଗୁଲ। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ଏହାରି ମଧ୍ୟରେ ବିଜୁ ଜନତା ଦଳ ୩୮ ଜଣିଆ ଇସ୍ତାହାର କମିଟି ଗଠନ କଲା। ଏହି କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଚନ୍ଦ୍ରଶେଖର ସାହୁ। ସେହିଭଳି ଅମର ପଟ୍ଟନାୟକଙ୍କୁ ଆବାହକ ଭାବେ ଦାୟିତ୍ୱ ମିଳିଥିବାବେଳେ କମିଟିରେ ୬ ସହ-ଅଧ୍ୟକ୍ଷ, ୩ ପ୍ରବାସୀ ଓଡ଼ିଆ ସଦସ୍ୟ ସାମିଲ ହୋଇଛନ୍ତି। ଅନ୍ୟପଟେ, ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚେହେରାକୁ ନେଇ ନିର୍ବାଚନ ଲଢେଇ ଆରମ୍ଭ ହୋଇଛି। ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେହିଭଳି ବିଜେପି ମଧ୍ୟ ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିସାରିଛି। ହେଲେ ଏ ଯାଏଁ କୌଣସି ଦଳ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ। ତେବେ ୩ ପ୍ରମୁଖ ଦଳ କେବେ ଯୋଦ୍ଧା ଘୋଷଣା କରିବେ ତାହା ଦେଖିବାକୁ ବାକି ରହିଲା।