Odisha Link
Bridging the Missing Links in Odisha

ଛେନାପୋଡ଼-ମହିଳା ବିଶ୍ୱକପ୍ ଏବଂ ବାରବାଟୀ

ଲେଖକ: ରୁଦ୍ର ପ୍ରସନ୍ନ ରଥ

ଆଜି ସାରା ବିଶ୍ଵ ରେ ଛେନାପୋଡ଼ ଦିବସ ପାଳନ କରାଯାଉଛି। ନୟାଗଡ ଦରବ ଓଡ଼ିଶାର ଗରବ ବୋଲି ପ୍ରଚାର କରା ବି ଯାଉଛି। ଏହି କ୍ରମରେ ନୟାଗଡର ଏହି ବିଶ୍ଵ ପ୍ରସିଦ୍ଧ ମିଠା କିପରି ଦିନେ ପାକିସ୍ତାନ ମହିଳା କ୍ରିକେଟ ଦଳର ଖେଳାଳିଙ୍କୁ ଖୁବ୍ ପସନ୍ଦ ଆସିଥିଲା ସେ ବିଷୟରେ ଆସନ୍ତୁ ଜାଣିବା ଗୋଟିଏ ରୋଚକ କଥା।

୨୦୧୩ ମସିହାର କଥା। ଭାରତରେ ଆୟୋଜିତ ହେଉଥାଏ ମହିଳା ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତା। ସେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଭଲ ନଥିବାରୁ ଭାରତରେ ପାକିସ୍ତାନ ମହିଳା କ୍ରିକେଟରଙ୍କୁ ପ୍ରବଳ ବିରୋଧ କରାଯାଇଥାଏ। ପାକିସ୍ତାନ ଦଳ ନିଜର ସମସ୍ତ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମ୍ ରେ ଖେଳିବାର ସ୍ଥିର ହୋଇଥାଏ। ଏଣେ କଟକରେ ମଧ୍ୟ ସେମାନଙ୍କୁ ବିରୋଧ କରାଯାଉଥାଏ। ଖେଳ ବନ୍ଦ କରି ବାକୁ ଆୟୋଜକମାନଙ୍କୁ ପ୍ରବଳ ଚପା ପଡୁଥାଏ । ଏପରି ନକଲେ ଖେଳୁ ବନ୍ଦ କରି ଦିଆଯିବ ବୋଲି ଆୟୋଜକମାନଙ୍କୁ କିଛି ସଂଗଠନ ତରଫରୁ ଧମକ ମିଳିଥାଏ। ଏହା ଆୟୋଜକମାନଙ୍କର ମୁଣ୍ଡ ବ୍ୟଥାର କାରଣ ପାଲଟି ଥାଏ। ପାକିସ୍ତାନ ଦଳ ଏଠାରେ ଦସ ଦିନରୁ ଅଧିକ ଦିନ ରହିବାର ଥିଲା । ସୁରକ୍ଷାକୁ ଦୃଷ୍ଟିରେ ରଖି ପାକିସ୍ଥାନ ମହିଳା କ୍ରିକେଟ ଦଳକୁ କୌଣସି ହୋଟେଲରେ ରଖା ନଯାଇ ବାରବାଟି ଷ୍ଟାଡିୟମ୍ ପରିସରରେ ରଖା ଯିବାର ଯୋଜନା ହେଲା ଯାହା ଫଳରେ ଷ୍ଟାଡିୟମ୍ ରୁ ହୋଟେଲ ଏବଂ ହୋଟେଲ ରୁ ଷ୍ଟାଡିୟମ୍ ଯାଏ ଖେଳାଳିଙ୍କୁ ନେବା ଆଣିବା କରିବାର ସମସ୍ୟା ରହିବ ନାହିଁ।

ଶେଷରେ ସେଇୟା ହିଁ ହେଲା ଖେଳାଳୀମାନେ ଷ୍ଟାଡିୟମ୍ ରେ ରହିଲେ ଏବଂ ଷ୍ଟାଡିୟମ୍ ଭିତରେ ପଞ୍ଚତାରକା ହୋଟେଲର ଅନୁଭବ ପାଇଁ ସୁଇମିଂ ପୁଲ୍ ଆଉ ଜିମ୍ ଆଦିର ବ୍ୟବସ୍ଥା କରାଗଲା। ସେମାନଙ୍କ ପାଇଁ ବାହାରୁ ଖାଦ୍ୟ ମଗା ଯାଉଥାଏ। ସେମାନଙ୍କୁ ଓଡ଼ିଶାର ଖାଦ୍ୟର ଅନୁଭବ ଦେବା ପାଇଁ ଦିନେ ଓଡ଼ିଆ ଖାଦ୍ୟ ଦିଆଯିବାକୁ ଆୟୋଜକମାନେ ଉଦ୍ୟମ କଲେ ଆୟୋଜକ ମାନେ ଦେଇଥିବା ଓଡ଼ିଆ ଖାଦ୍ୟ ଭିତରେ ଥିଲା ଡାଲମା ଶାଗ ପରି ଖାଦ୍ୟ। ଦଳ ଯେପରି ଏକୁଟିଆ ଅନୁଭବ ନା କରିବେ ସେଥିପାଇଁ ଷ୍ଟାଡିୟମ୍ ପରିସରରେ ସେମାନଙ୍କ କିଣାକିଣି କରିବା ପାଇଁ ଅସ୍ଥାୟୀ ଦୋକାନ ବି ଖୋଲାଯାଇଥିଲା। ପାକିସ୍ତାନ ଦଳ ଯେପରି ଆୟୋଜନରେ କୌଣସି ତ୍ରୁଟି ପାଇବ ନାହିଁ ସେଥି ପାଇଁ ସବୁ ବ୍ୟବସ୍ଥା କରା ଯାଇଥାଏ।

ପାକିସ୍ତାନ ଦଳ ଭଲ ପ୍ରଦର୍ଶନ କରି ପାରିନଥିଲା। ଫାଇନାଲଯାଏ ଯାଇ ପାରି ନଥିଲା। ପାକିସ୍ତାନ ଦଳ ର ଯେତେବେଳେ ବିଦାୟ ସମୟ ଆସିଲା ସେତେବେଳେ ପାକିସ୍ତାନ ଅଧିନାୟିକା ସାନା ମୀରଙ୍କୁ ପଚରାଗଲା ଯେ ଓଡ଼ିଶାର ଖାଦ୍ୟ ଭିତରେ ଆପଣଙ୍କୁ ସବୁଠୁ ଭଲ କଣ ଲାଗିଲା?

ସାନା ମୀର ତୁରନ୍ତ ଉତ୍ତର ଦେଲେ ଛେନାପାଡୁ। (ଓଡ଼ିଆରେ ଛେନା ପୋଡ)। ଭାରତ ପାକିସ୍ତାନ ଦୁଇ ଶତ୍ରୁ ରାଷ୍ଟ୍ର ମଧ୍ୟରେ ଓଡ଼ିଶାର ଛେନାପୋଡ଼ ଏକ ଚମତ୍କାର ସଂଯୋଗ ସ୍ଥାପନ କରିଥିଲା। କିଏ ଜାଣେ ସାନା ମୀର ଏବଂ ଅନ୍ୟ ପାକିସ୍ତାନୀ ଖେଳାଳୀ ମାନେ ଛେନପୋଡର ସ୍ୱାଦକୁ ଆଜି ଝୁରି ହେଉ ନଥିବେ ବୋଲି?

କେବଳ ଭାରତ ନୁହେଁ ଭାରତ ବାହାରେ ପ୍ରସିଦ୍ଧି ଲାଭ କରିଥିବା ଏହି ମିଷ୍ଟାନ୍ନ କୁ ନେଇ ପ୍ରତ୍ୟେକ ଓଡ଼ିଆ ଗର୍ବିତ। କ୍ରିକେଟ ସହ ଛେନାପୋଡ଼ର ଏହି ମଧୁର ସଂଯୋଗ ଆଉ ତାହା ପୁଣି ଓଡ଼ିଶା ମାଟିରେ ଏହାଠୁ ବଳି ମିଠା ସ୍ମୃତି ଆଜିର ଦିନରେ ଆଉ କିଛି ଥାଇ ପାରେ କି?

ଲେଖକ ରୁଦ୍ର ପ୍ରସନ୍ନ ରଥ ଜଣେ ଜଣାଶୁଣା କ୍ରୀଡ଼ା ସାମ୍ବାଦିକ ଓ ଲେଖକ। 79786 71776 ନମ୍ବରରେ ଯୋଗାଯୋଗ କରିପାରିବେ।

Leave A Reply

Your email address will not be published.