Odisha Link
Bridging the Missing Links in Odisha

ଛେନାପୋଡ଼ ଏକ ନିର୍ବିବାଦୀୟ ମିଠା: ସଂତୃପ୍ତ ମିଶ୍ର

ଭୁବନେଶ୍ବର: “ନୟାଗଡ଼ ଦରବ, ଓଡ଼ିଶାର ଗରବ”, ଛେନାପୋଡ଼ ସଂଗୀତର ଏହି ପଂକ୍ତିକୁ ନେଇ ଏବେ ସବୁଠି ଚର୍ଚ୍ଚା। ଏଇ ଚର୍ଚ୍ଚା ଭିତରେ ନୟାଗଡ଼ ବିକାଶ ମଞ୍ଚ ଓ ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡର ମିଳିତ ଆନୁକୁଲ୍ୟରେ ଛେନାପୋଡ଼ ଦିବସ ଭୁବନେଶ୍ବରର ଜୟଦେବ ଭବନରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ପ୍ରସିଦ୍ଧ ଛେନାପୋଡ଼ ସଙ୍ଗୀତର ଏକ ଚିତ୍ରରୂପ ଲୋକାର୍ପଣ କରାଯାଇଥିଲା। ଦିବସବ୍ୟାପୀ ଆୟୋଜିତ ଏହି ଉତ୍ସବରେ ସଭା, ସମ୍ବର୍ଦ୍ଧନା, ବନ୍ଧୁମିଳନ ଓ ପେଟପୂଜା ସାଙ୍ଗକୁ ପାଲା, ଦାସକାଠିଆ, ବାଘଶବର ନାଚ, ଧୁଡ଼ୁକି, ଦଣ୍ଡନାଚ, ରାମଲୀଳା, ଢଣକୋଇଲା, ଦୁଆରି, ପାରମ୍ପରିକ ସଙ୍ଗୀତ ଓ ଆଧୁନିକ ସଙ୍ଗୀତ ପରିବେଷଣ କରାଯାଇଥିଲା। ସେହିପରି ନୟାଗଡ଼ରୁ ଆନୀତ ସ୍ବତନ୍ତ୍ର ଛେନାପୋଡ଼ ସାଙ୍ଗକୁ ଅନ୍ୟାନ୍ୟ ନୟାଗଡ଼ ଦ୍ରବ୍ୟ ମଧ୍ୟ ଉତ୍ସବରେ ପ୍ରଦର୍ଶିତ କରାଯାଇଥିଲା।

ଏହି ଉତ୍ସବରେ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହିତ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ପ୍ରସିଦ୍ଧ କଣ୍ଠଶିଳ୍ପୀ ତାନସେନ୍‌ ସିଂ, ଭାରତ ସରକାରଙ୍କ ପୂର୍ବତନ ମୁଖ୍ୟ ମିଡିଆ ପରାମର୍ଶଦାତା ଡ. ଉମାକାନ୍ତ ମିଶ୍ର, ଜେଏସ୍‌ପିଏଲ୍‌ର ଉପାଧ୍ୟକ୍ଷ ବିଭୁ ପ୍ରସାଦ ମିଶ୍ର ଓ କିଟ୍‌ ବିଶ୍ବବିଦ୍ୟାଳୟର ଉପକୂଳପତି ତପନ କୁମାର ପଣ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେଇଥିଲେ। ଉତ୍ସବରେ ମୃତ୍ୟୁଞ୍ଜୟ ରଥ ସଭା ପରିଚାଳନା କରିଥିବାବେଳେ ଅଧ୍ୟକ୍ଷତା କରିଛନ୍ତି ଜଣାଶୁଣା ଲେଖକ ତଥା ନୟାଗଡ଼ ବିକାଶ ମଞ୍ଚର ଆବାହାକ ଶୁଭ୍ରାଂଶୁ ପଣ୍ଡା। ବିଭିନ୍ନ ରାଜନୈତିକ ଦଳର ୧୦ରୁ ଅଧିକ ନିମନ୍ତ୍ରିତ ପ୍ରତିନିଧିଙ୍କ ମଧ୍ୟରୁ ଡ. ସତୃପ୍ତ ମିଶ୍ର, ଇଂ ଦେବାଶିଷ ପଟ୍ଟନାୟକ, ବେଣୁଧର ପ୍ରଧାନ, ଶିଶିର କୁମାର ସାହୁ ଓ ଅଭିଳାଷ ପଣ୍ଡା ଯୋଗ ଦେଇଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ମଞ୍ଚର ସହଆବାହକ ତଥା ସାମ୍ବାଦିକ ସୁବ୍ରତ କୁମାର ନାୟକ।

ଛେନାପୋଡ଼ ଏକ ଅସ୍ମିତା ଓ ପରିଚୟରେ ପରିଣତ ହୋଇଛି ବୋଲି ଶ୍ରୀ ଦାଶ ବେନହୁର ନିଜ ବକ୍ତବ୍ୟରେ କହିଥିଲେ। ଏହାକୁ କେନ୍ଦ୍ରକରି ଅନେକ କିଛି କରାଯାଇପାରିବ ବୋଲି ସେ ଆଶା କରିଥିଲେ। ଛେନାପୋଡ଼ ସମେତ ଜିଲ୍ଲାର ଅନ୍ୟ ପ୍ରସଙ୍ଗକୁ ମଧ୍ୟ ସାମନାକୁ ଆଣିବା ସହ ନୟାଗଡ଼ବାସୀ ଏକାଠି ହେବାକୁ ଆହ୍ବାନ ଦେଇଥିଲେ ଶ୍ରୀ ଉମାକାନ୍ତ ମିଶ୍ର। ନୟାଗଡ଼ରେ ଉଦ୍ୟୋଗ ବିକାଶ ସହ ଯୁବପିଢ଼ିଙ୍କୁ କୁଶଳି ଓ କର୍ମତତ୍ପର କରିବା ଲାଗି ସେ ନିଜେ କାର୍ଯ୍ୟ କରୁଛନ୍ତି ଓ ଏଥିରେ ମଞ୍ଚ ସହଯୋଗ କରିବାକୁ ନିବେଦନ କରିଥିଲେ ଶ୍ରୀ ତପନ କୁମାର ପଣ୍ଡା। ଛେନାପୋଡ଼ କେବଳ ଓଡ଼ିଶା ନୁହେଁ ସାରା ଭାରତର ଏକ ବିରଳ ଓ ସୁଆଦିଆ ମିଠାରେ ପରିଗଣିତ ହେଉଛି ବୋଲି କହିଥିଲେ ଶ୍ରୀ ବିଭୁ ପ୍ରସାଦ ମିଶ୍ର।

ନିଜ ଅଭିଭାଷଣରେ ଶ୍ରୀ ଶୁଭ୍ରାଂଶୁ ପଣ୍ଡା ମଞ୍ଚ ପକ୍ଷରୁ ସରକାର ଓ ରାଜନୈତିକ ଦଳମାନଙ୍କ ପାଖରେ କେତୋଟି ଦାବି ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ବିଭିନ୍ନ ଜିଲ୍ଲାରେ ସରକାର ମହାପୁରୁଷମାନଙ୍କର ସ୍ମାରକୀ ନିର୍ମାଣ କରୁଥିବାବେଳେ ବିଶ୍ବପ୍ରସିଦ୍ଧ ଜ୍ୟୋତିର୍ବିଦ୍‌ ସାମନ୍ତ ଚନ୍ଦ୍ରଶେଖରଙ୍କ ଜନ୍ମସ୍ଥଳିର ବିକାଶ ସହ ଏହାକୁ ଏକ ଜାତୀୟ ସ୍ମାରକୀରେ ପରିଣତ କରାଯାଉ ବୋଲି ସେ କହିଥିଲେ। ନୟାଗଡ଼ର ଚାଷୀମାନଙ୍କ ପାଇଁ ଜଳସେଚନର ସୁବିଧା ନିମନ୍ତେ ତୁରନ୍ତ ବୃତ୍ତଙ୍ଗ ପ୍ରକାଳ୍ପ କାର୍ଯ୍ୟକାରୀ କରିବା ସହ ମହାନଦୀର ପାଣିକୁ ମଧ୍ୟ ବ୍ୟାରେଜ୍‌ ମାଧ୍ୟମରେ ବ୍ୟବହାର କରାଯାଉ। ଜିଲ୍ଲାରେ ଉଷ୍ମପ୍ରସବଣ ଓ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳିର ବିକାଶ ସାଙ୍ଗକୁ ଦାଶିଆ ଅଜାଙ୍କ ପାଠାଗାର ଓ ଯଦୁମଣିଙ୍କ ଜନ୍ମସ୍ଥାନର ମଧ୍ୟ ଉନ୍ନୟନ ଜରୁରୀ। ବର୍ତ୍ତମାନ ନିର୍ବାଚନ ଋତୁ ଚାଲିଥିବା ବେଳେ ଏଭଳି ପ୍ରସଙ୍ଗ ସବୁକୁ ସ୍ଥାନୀୟ ରାଜନେତାମାନେ ନିଜନିଜ ନିର୍ବାଚନୀ ଇସ୍ତାହାରରେ ସ୍ଥାନଦିଅନ୍ତୁ ବୋଲି ଶ୍ରୀ ପଣ୍ଡା ଅନୁରୋଧ କରିଥିଲେ।

ଆଦିତ୍ୟ ବିର୍ଲା ଗ୍ରୁପର ପୂର୍ବତନ ସି.ଇ.ଓ ତଥା କଟକର ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର ବିଶେଷ ଅତିଥି ଭାବରେ ଯୋଗଦେଇ ଖୁସି ବ୍ୟକ୍ତ କରିଥିବା କହିଥିଲେ। ଏହା ସହ ସେ କହିଥିଲେ, ଓଡ଼ିଶା ରସଗୋଲାକୁ ନେଇ ବିବାଦ ରହିଥାଇ ପାରେ କିନ୍ତୁ ନୟାଗଡ଼ ଛେନାପୋଡ଼କୁ ନେଇ କୌଣସି ବିବାଦ ନାହିଁ। ତେଣୁ ଛେନାପୋଡ଼ ଦିବସକୁ ଯେଉଁମାନେ ପାଳନ କରୁଛନ୍ତି ସେମାନଙ୍କୁ କୃତଜ୍ଞତା ଜଣାଉଛି। ମଞ୍ଚ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ସବୁକୁ ସେ ନିଜ ନିର୍ବାଚନୀ ପ୍ରତିଶ୍ରୁତିରେ ଯୋଡ଼ିଥିଲେ।

ଛେନାପୋଡ଼କୁ ଜିଆଇ (ଭୌଗୋଳିକ ସ୍ବୀକୃତି) ମାନ୍ୟତା ଦେବା ଲାଗି ତିନିବର୍ଷ ହେଲା ମଞ୍ଚ ଉଦ୍ୟମ କରିଆସିବା ସହ ଛେନାପୋଡ଼ର ସ୍ରଷ୍ଟା ସ୍ବର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମଦିନକୁୁ ଛେନାପୋଡ଼ ଦିବସ ଭାବେ ପାଳନ କରିଆସୁଛି। ଆଗକୁ ଜିଆଇ ମାନ୍ୟତା ନେଇ ପ୍ରଚେଷ୍ଟା ତୀବ୍ରତର ହେବ ବୋଲି ମଞ୍ଚର କର୍ମକର୍ତାମାନେ ସୂଚନା ଦେଇଛନ୍ତି। ଗତବର୍ଷ ନୟାଗଡ଼ରେ ଜିଲ୍ଲା ପ୍ରଶାସନ ଛେନାପୋନ ଦିବସ ପାଳନ କରୁିଥିବାବେଳେ ଚଳିତ ବର୍ଷ ୩୦ଟି ଜିଲ୍ଲା ସଦରମହକୁମାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଛେନାପୋଡ଼ ଦିବସ ପାଳନ ପାଇଁ ରାଜ୍ୟସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ଉତ୍ସାହ ଓ ଉଦ୍ୟମ ଜାରି ରହିଲେ ଜିଆଇ ମାନ୍ୟତା ପ୍ରାପ୍ତି ସହଳ ହେବ ବୋଲି ଶ୍ରୀ ପଣ୍ଡା ଆଶାବ୍ୟକ୍ତ କରିଛନ୍ତି।

ଏ ଅବସରରେ ନୟାଗଡ଼ର ବିଶିଷ୍ଟ ଛେନାପୋଡ଼ ବ୍ୟବସାୟୀ ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉପସ୍ଥିତ ଦର୍ଶକ ଛେନୋପାଡ଼ ସାଙ୍ଗକୁ ନୟାଗଡ଼ର ଅନ୍ୟ ସୁଆଦିଆ ଖାଦ୍ୟର ମଜା ନେବା ସହ ସାସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ମଞ୍ଚ ପକ୍ଷରୁ ଡ. ଗିରୀଶ ରଂଜନ, ଆଶିଷ କୁମାର ରଥ, ସତ୍ୟେନ୍ଦୁ ମିଶ୍ର, ପ୍ରତ୍ୟୁଷ ଦେବାଶିଷ, ରୋହନ ମହାପାତ୍ର, ଉମାକାନ୍ତ ମହାପାତ୍ର, ରାଜେଶ ପରିଡ଼ା, ସୁଧାଂଶୁ ସାହୁ, ରାଜକିଶୋର ଡାକୁଆ, ଓମ୍‌ ପଟ୍ଟନାୟକ, ଚିନ୍ମୟୀ ଶତପଥୀ ଓ ରେଣୁକା ନାୟକ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.