Odisha Link
Bridging the Missing Links in Odisha

ନବୀନ ନିବାସରେ ବିଧାୟକ ପ୍ରାର୍ଥୀଙ୍କ ଭିଡ଼; କେବେ ଆସିବ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା?

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ବାଜି ସାରିଲାଣି ନିର୍ବାଚନୀ ବିଗୁଲ। ପାଖେଇ ଆସିଲାଣି ନିର୍ବାଚନ ତାରିଖ। ଗଣତନ୍ତ୍ରର ମହା ପର୍ବକୁ ଅନାଇ ବସିଛନ୍ତି ସମସ୍ତେ। ଚଳିତଥର ଦେଶରେ ୭ଟି ପର୍ଯ୍ୟାୟରେ ହେବ ମତଦାନ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସମସ୍ତ ରାଜନୈତିକ ଦଳ ପ୍ରଚାର ପ୍ରସାରରେ ଲାଗିପଡିଛନ୍ତି। ସାରା ଦେଶରେ ଲୋକସଭା ନିର୍ବାଚନ ହେଉଥିବା ବେଳେ ଓଡ଼ିଶା ସମେତ ୪ଟି ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ହେଉଛି। ଭାରତୀୟ ଜନତା ପାର୍ଟି ଓଡ଼ିଶାର ସମସ୍ତ ୨୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବିଜୁ ଜନତା ଦଳ ୨୧ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। ସେହିଭଳି ବିଧାନସଭା କ୍ଷେତ୍ର ପାଇଁ ବିଜେପି ୧୧୨ ପ୍ରାର୍ଥୀ ଘୋଷଣା କରିଥିବାବେଳେ ବିଜେଡି ୧୧୮ ଜଣଙ୍କ ନାମ ଘୋଷଣା କରିଛି।

ବିଜୁ ଜନତା ଦଳ ୧୪୭ ଆସନରୁ ୧୧୮ ପ୍ରାର୍ଥୀ ଘୋଷଣା କରିଥିବାବେଳେ ଆହୁରି ୨୯ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ। ତେବେ ପ୍ରାର୍ଥୀ ତାଲିକା ଘୋଷଣା ପୂର୍ବରୁ ନବୀନ ନିବାସରେ ଆଶାୟୀଙ୍କ ଭିଡ ଜମିଛି। ଏହା ସହ ବିଧାୟକ ପ୍ରାର୍ଥୀ ମାନେ ମଧ୍ୟ ନବୀନ ନିବାସକୁ ଆସିଥିବା ଦେଖିବାକୁ ମିଳିଛି। ବ୍ରଜ ପ୍ରଧାନ, ପ୍ରସନ୍ନ ଆଚାର୍ଯ୍ୟ, ରୋହିତ ପୂଜାରୀ, ଗୀତାଞ୍ଜଳି ରାଉତରାୟ, ପ୍ରଭୁ ଜାନି, ଅନନ୍ତ ନାରାୟଣ ଜେନା, ମନୋରମା ମହାନ୍ତି ମଧ୍ୟ ପହଞ୍ଚିଛନ୍ତି। ତେବେ ଘୋଷଣା ହୋଇନଥିବା ୨୯ ଆସନ ପାଇଁ ପ୍ରାର୍ଥୀ ତାଲିକା କେବେ ଆସିବ ଦେଖିବାକୁ ରହିଲା।

Leave A Reply

Your email address will not be published.