Odisha Link
Bridging the Missing Links in Odisha

ଯାଜପୁର ବସ୍‌ ଦୁର୍ଘଟଣା: ସୁଧୁରୁଛି ସ୍ୱାସ୍ଥ୍ୟବସ୍ଥା, ଏସ୍‌ସିବିରୁ ଡିସ୍‌ଚାର୍ଜ ହେଲେ ୨୧ ଆହତ

ଓଏଲ୍‌ ବ୍ୟୁରୋ: ସୋମବାର ରାତିରେ ଯାଜପୁରରେ ବଡ଼ ଧରଣର ବସ୍‌ ଦୁର୍ଘଟଣା ଘଟିଛି। ଏନ୍‌ଏଚ୍‌-୧୬ର ବାରବାଟୀ ଛକ ନିକଟରେ ଓଭରବ୍ରିଜ୍‌ରୁ ତଳକୁ ଖସି ପଡ଼ିଥିଲା ଗୋଟିଏ ଯାତ୍ରୀବାହୀ ବସ୍‌। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫ ଜଣଙ୍କ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ୨୧ ଜଣ ଆହତଙ୍କ ସ୍ୱାସ୍ଥ୍ୟବସ୍ଥାରେ ପରିବର୍ତନ ଆସିଥିବାରୁ ଏସସିବିରୁ ଡିସଚାର୍ଜ ହୋଇଛନ୍ତି। ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଏସ୍‌ଡିଏମଓ ସୂଚନା ଦେଇଛନ୍ତି। ୫ ମୃତକଙ୍କ ମଧ୍ୟରୁ ୨ ଜଣଙ୍କ ପରିଚୟ ମିଳିଥିବା ସୂଚନା ରହିଛି। ସେମାନେ ହେଲେ ପଶ୍ଚିମବଙ୍ଗ ମେଦିନୀପୁର ଅଂଚଳର ଅଚିନ୍ତ୍ୟ ମାଇଟି ଓ ଉତ୍ତମ ମାଇଟି।

ଅନ୍ୟପଟେ, ପରିବହନ ବିଭାଗ ଅତିରିକ୍ତ ସଚିବ ଲାଲମୋହନ ସେଠୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଡ୍ରାଇଭରର ଭୁଲ୍ ଯୋଗୁଁ ଦୁର୍ଘଟଣା ଘଟିଛି। ବସ୍‌ର କଣ୍ଡିସନ୍ ଭଲ ଅଛି, ମାର୍ଚ୍ଚରେ ଫିଟନେସ ସାର୍ଟିଫିକେଟ ମିଳିଛି। ଦ୍ରୁତଗତି, ଓଭରଟେକ୍ କିମ୍ବା ଫୋନ୍‌ରେ କଥା ହେବାରୁ ଦୁର୍ଘଟଣା ହୋଇଥିବା ସନ୍ଦେହ କରାଯାଉଛି। ଏହା ସହ ଯାଜପୁର ଦୁର୍ଘଟଣାର କାହାଣୀ କହିଛନ୍ତି ବସରେ ଥିବା ଯାତ୍ରୀ। ସେ କହିଛନ୍ତି, ବସଟି ଦ୍ରୁତ ଗତିରେ ଥିଲା। ଦ୍ରୁତ ଗତିରେ ଥିବା ବସଟି ଓଭରବ୍ରିଜରେ ଥିବା ଲାଇଟ୍ ପୋଷ୍ଟକୁ ମାଡ଼ ହୋଇଥିଲା। ଏହା ପରେ ବସଟି ଓଭରବ୍ରିଜ୍ ତଳକୁ ଖସିପଡ଼ିଲା। ବସର ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଥିବା ସେ ସନ୍ଦେହ କରୁଛନ୍ତି।

ଗତକାଲି ରାତି ପାଖାପାଖି ସାଢେ ୮ଟା ବେଳେ ଭୟଙ୍କର ଦୁର୍ଘଟଣା ଘଟିଥିଲା। ତୁରନ୍ତ ଲୋକେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥଲେ। ଅଗ୍ନିଶମ ବାହିନୀ ମଧ୍ୟ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ବସ୍ ତଳେ ଯାତ୍ରୀ ଚାପି ହୋଇଥିବା ଆଶଙ୍କାରେ ବସଟିକୁ ଉଠାଇବାକୁ ୫ଟି କ୍ରେନର ସହାୟତା ନିଆଯାଇଥିଲା।ସେହିପରି ଯାଜପୁର ସଡକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ଆହତ ବ୍ୟକ୍ତିମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Leave A Reply

Your email address will not be published.