Odisha Link
Bridging the Missing Links in Odisha

ମିଳିଲାନି ଦଳୀୟ ଟିକେଟ; ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଚନ୍ଦ୍ରଶେଖର

ଓଏଲ୍‌ ବ୍ୟୁରୋ: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି। ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ସହ ଆରମ୍ଭ ହୋଇଛି ସାଧାରଣ ନିର୍ବାଚନ ୨୦୨୪। ଆଜି ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ମତଦାନ ହେଉଛି। ମକ୍ ପୋଲ୍ ପରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ। କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଚାଲିଛି ଭୋଟ୍ ଗ୍ରହଣ।

ସେହିଭଳି ମେ’ ୧୩ ତାରିଖରେ ଦେଶରେ ଚତୁର୍ଥ ପର୍ଯ୍ୟାୟ ଏବଂ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଏନେଇ ବିଜ୍ଞପ୍ତି ଜାରି ହେବା ସହ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା‌ ଆରମ୍ଭ ହୋଇଛି। ଓଡ଼ିଶାରେ ୪ଟି ସଂସଦୀୟ କ୍ଷେତ୍ର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଆସନ ଓ ଏହା ଅଧୀନସ୍ଥ ୨୮ଟି ବିଧାନସଭା ଆସନରେ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏପ୍ରିଲ ୨୫ତାରିଖ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ଥିବା ବେଳେ ଏପ୍ରିଲ ୨୯ରେ ନାମାଙ୍କନ ପ୍ରତ୍ୟାହାର ଏବଂ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।

ଏହାରି ମଧ୍ୟରେ ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସର ବିଦ୍ରୋହୀ ପ୍ରାର୍ଥୀ ଚନ୍ଦ୍ର ଶେଖର ନାଇଡ଼ୁ। ବ୍ରହ୍ମପୁର ଲୋକସଭା ଆସନରୁ ବିଜେପି ପ୍ରଦୀପ ପାଣିଗ୍ରାହୀଙ୍କୁ ପ୍ରାଥୀ କରିଥିବାବେଳେ, ବିଜେଡି ଭୃଗୁ ବକ୍ସିପାତ୍ର ଓ କଂଗ୍ରେସରୁ ରଶ୍ମିରଂଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି। ତେବେ ବ୍ରହ୍ମପୁର ବାସିନ୍ଦା କାହାକୁ ଭରସା କରିବେ ତାହା ଦେଖିବାକୁ ବାକି ରହିଲା ।

କୋରାପୁଟ ସଂସଦୀୟ କ୍ଷେତ୍ରରୁ କଂଗ୍ରେସର ଲୋକସଭା ପ୍ରାର୍ଥୀ ସପ୍ତଗିରି ଉଲାକା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଚଳିତ ନିର୍ବାଚନରେ ବିଜୁ ଜନତା ଦଳ କୋରାପୁଟ ପାଇଁ କୌଶଲ୍ୟା ହିକ୍କା, ବିଜେପି କୋରାପୁଟ ଆସନରୁ କାଳିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି। ତେବେ କୋରାପୁଟ ଆସନରେ ବିଜେଡି ମହିଳା କାର୍ଡକୁ ଲଢ଼େଇ ଜାରି ରଖିଥିବାବେଳେ ବିଜେପି ଓ କଂଗ୍ରେସ ମଧ୍ୟ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି।

Leave A Reply

Your email address will not be published.