Odisha Link
Bridging the Missing Links in Odisha

କେନ୍ଦ୍ରାପଡ଼ା: ଆଳିରେ କଂଗ୍ରେସର ମହିଳା କାର୍ଡ; ପ୍ରଚାର ମଇଦାନରେ ତ୍ରିମୁଖୀ ଲଢ଼େଇ

ଓଏଲ୍‌ ବ୍ୟୁରୋ: ବିଶ୍ବର ସବୁଠୁ ଗଣତନ୍ତ୍ର ରାଷ୍ଟ୍ର ଭାରତରେ ଆରମ୍ଭ ହେଲା ମହାପର୍ବ। ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ସହ ଆରମ୍ଭ ହୋଇଛି ସାଧାରଣ ନର୍ବାଚନ ୨୦୨୪। ଆଜି ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ମତଦାନ ହେଉଛି। ମକ୍ ପୋଲ୍ ପରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ। କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଚାଲିଛି ଭୋଟ୍ ଗ୍ରହଣ।

ସେହିଭଳି ରାଜ୍ୟରେ ନିର୍ବାଚନକୁ ନେଇ କସରତ ଜାରି ରହିଛି। ଏହାରି ମଧ୍ୟରେ ସବୁଠୁ ବଡ଼ ଖବର ପାଲଟିଛି କେନ୍ଦ୍ରାପଡ଼ା ରାଜନୀତି। କେନ୍ଦ୍ରାପଡା ଜିଲ୍ଲାର ସବୁଠାରୁ ବଡ଼ ନିର୍ବାଚନ ମଣ୍ଡଳୀ ହେଉଛି ଆଳି ବିଧାନସଭା। ଅତୀତର ରାଜନୈତିକ ସମୀକରଣକୁ ଅନୁଧ୍ୟାନ କଲେ ଏହି ଆସନରେ ବିଜେପି, କଂଗ୍ରେସ, ବିଜେଡି ଦଳ ମଧ୍ୟରେ ତ୍ରିମୁଖୀ ଲଢେଇ ହୋଇ ଆସିଛି।

ଗତ ତିନି ସାଧାରଣ ନିର୍ବାଚନ ଫଳକୁ ବିଚାରକୁ ନିଆଗଲେ ସ୍ପଷ୍ଟ ପ୍ରତୀୟ ମାନ ହୁଏ ୨୦୦୯,୨୦୧୯ ନିର୍ବାଚନରେ ବିଜେଡି ଦଳପ୍ରାର୍ଥୀ ପ୍ରତାପ କେଶରୀ ଦେବ ଦୁଇ ଦୁଇଥର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଶର୍ମାଙ୍କୁ ହରାଇ ବିଜୟୀ ହୋଇ ବିଧାନସଭାକୁ ପ୍ରତିନିଧିତ୍ୱ କରିଥିଲେ। ତେବେ ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଶର୍ମା ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀ ପ୍ରତାପ କେଶରୀ ଦେବଙ୍କୁ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହି ତିନି ନିର୍ବାଚନରେ ବିଜେପି ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଛନ୍ତି।

ହେଲେ ଚଳିତ ସାଧାରଣ ନିର୍ବାଚନରେ ମଧ୍ୟ ବିଜେପି, କଂଗ୍ରେସ ଏବଂ ବିଜେଡି ଦଳର ପ୍ରାର୍ଥିଙ୍କ ମଧ୍ୟରେ ତ୍ରିମୁଖୀ ଲଢେଇ ହେବ ବୋଲି ଚର୍ଚ୍ଚା ହେଉଛି। ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ଜାତୀୟ କଂଗ୍ରେସ ଏବଂ ବିଜୁ ଜନତା ଦଳ ଏହି ଆସନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ଏହି ତିନି ଦଳର ପ୍ରାର୍ଥୀ ଭୋଟରଙ୍କ ମନ ଜିଣିବା ପାଇଁ ପ୍ରୟାସ ଆରମ୍ଭ କରିସାରିଛନ୍ତି।

ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା ଲୋକସଭା ପ୍ରାର୍ଥିଙ୍କ ସହ ପ୍ରଚାର ମୈଦାନକୁ ଓଲ୍ହାଇଛନ୍ତି। ବିଗତ ଦିନରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଭୋଟହାର ବୃଦ୍ଧି ପାଇଛି। ଚଳିତ ସାଧରଣ ନିର୍ବାଚନରେ ବିଜେପି ଏହି ଆସନରେ ଉଭୟ ବିଧାନସଭା ଏବଂ ଲୋକସଭା ଆସନରେ ପ୍ରଥମ ହୋଇ ଦଳୀୟ ପ୍ରାର୍ଥି ବିଜୟୀ କରାଇବ ବୋଲି ଦଳୀୟ କର୍ମୀମାନେ ଆଶାପ୍ରକଟ କରିଛନ୍ତି।

ଆଳି ବିଧାନସଭା ପାଇଁ କଂଗ୍ରେସ ଦଳ ଏଥର ପ୍ରାର୍ଥୀ ବଦଳ କରି ମହିଳା କାର୍ଡ ଖେଳିଛି। ଏହି ଆସନର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ସୁପୁତ୍ରୀ ଉଚ୍ଚଶିକ୍ଷିତା ଡାକ୍ତର ଦେବସ୍ମିତା ଶର୍ମାଙ୍କୁ ପ୍ରାର୍ଥୀ କରିଛି। ଏହି ଆସନରେ କଂଗ୍ରେସର ଦଳୀୟ ପ୍ରାର୍ଥୀ ଆଳିରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛି। କଂଗ୍ରେସ କର୍ମୀମାନଙ୍କୁ ସାଙ୍ଗରେ ନେଇ ସାଙ୍ଗଠନିକ ଦକ୍ଷତାକୁ ଆଧାର କରି ଦେବସ୍ମିତା ପ୍ରଚାର ଚଳାଇଛନ୍ତି।

ଅନ୍ୟପଟେ, ଶାସକ ବିଜୁ ଜନତା ଦଳ ରାଜ ପରିବାରର ସଦସ୍ୟ ତଥା ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ପୁନଃର୍ବାର ଚଳିତ ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ପ୍ରତାପ କେଶରୀ ଦେବ ଆଳିରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଚଳିତଥର ଏହି ଆସନରୁ ପୁରୁଖାନେତା ବିଜେଡିର ପ୍ରତାପ କେଶରୀ ଦେବଙ୍କ ସହ ନବାଗତ ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା, ନବାଗତ କଂଗ୍ରେସ ପ୍ରାର୍ଥୀ ଡାକ୍ତର ଦେବସ୍ମିତା ଶର୍ମାଙ୍କ ମଧ୍ୟରେ ତ୍ରିମୁଖୀ ଲଢେଇ ହେବା ନେଇ ଆକଳନ କରାଯାଉଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରନ୍ତି ବୋଲି ଚର୍ଚା ଜୋର ଧରିଛି। ତେବେ ଏଥର କାହାକୁ ଭରସା କରିବେ ଆଳି ବାସିନ୍ଦା ବାସିନ୍ଦା ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.