Odisha Link
Bridging the Missing Links in Odisha

ଓଡ଼ିଶା: ଏପ୍ରିଲ ଶେଷ ସପ୍ତାହରେ ତାତିକୁ ବଳିଯିବ ରାଜନୈତିକ ତାତି, ଜମିବ ପ୍ରଚାର

ଓଏଲ୍‌ ବ୍ୟୁରୋ: ତାତି ବଢ଼ିବା ସାଙ୍ଗକୁ ରାଜ୍ୟରେ ଏବେ ନିର୍ବାଚନର ପ୍ରଚାର ବି ଜମୁଛି। ୨୦୨୪ ମହାସଂଗ୍ରାମ ପାଇଁ ଓଡ଼ିଶା ପ୍ରସ୍ତୁତ ଥିବା ବେଳେ ରାଜ୍ୟର ତିନି ପ୍ରମୁଖ ଦଳ କରୁଛନ୍ତି ଜୋରଦାର ପ୍ରସ୍ତୁତି। ଏସବୁ ମଧ୍ୟରେ ଏପ୍ରିଲ ଶେଷ ସପ୍ତାହରୁ ପ୍ରଚାର ମୈଦାନରେ ହେବ ହେଭିଓ୍ବେଟ୍‌ ନେତାଙ୍କ ଟକ୍କର। କାରଣ ବିଜେଡି, ବିଜେପି ଓ କଂଗ୍ରେସର ଷ୍ଟାର ପ୍ରଚାରକ ଓହ୍ଲାଇବେ ମୈଦାନକୁ। ଏପ୍ରିଲ ୨୪ରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ୨୫ରେ ବିଜେପିର ଚାଣକ୍ୟ ଅମିତ ଶାହ ଓ ୨୮ରେ କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧୀ ଓଡ଼ିଶାରେ ଆରମ୍ଭ କରିବେ ପ୍ରଚାର।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ୨୫ ତାରିଖରେ ଓଡ଼ିଶାର ସୋନପୁରରେ କରିବେ ପ୍ରଚାର। ଏହି ଗସ୍ତ ପରେ ପରେ ଓଡ଼ିଶା ମୁହାଁ ହେବେ କେନ୍ଦ୍ରୀୟ ନେତା । ୨୮ ତାରିଖରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସାଲେପୁର ଆସିବାକୁ ଥିବା ବେଳେ ମେ ୪ ବେଳକୁ ରାୟଗଡ଼ା ଆସିବାର କାର୍ଯ୍ୟକ୍ରମ ରହିଛି। ସେହିପରି ବିଜେପି ଓ କଂଗ୍ରେସ ପୂର୍ବରୁ ପ୍ରଚାର ଲଢ଼େଇକୁ ଡେଇଁବେ ସିଏମ୍ ନବୀନ ପଟ୍ଟନାୟକ। ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନିଜ ପାରମ୍ପରିକ ସିଟ୍ ହିଞ୍ଜିଳିରୁ ପ୍ରଚାର ଅଭିଯାନ ଅନୁକୂଳ କରିବାର କାର୍ଯ୍ୟକ୍ରମ ରହିଛି। କାରଣ ୨୫ ତାରିଖରେ ସରୁଛି ଓଡ଼ିଶା ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ସମୟ ସୀମା।

ମେ ୧୩ରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍। ତେଣୁ ଏ ତାରିଖ ଯେତିକି ଯେତିକି ପାଖୋଉଛି ସେତିକି ସରଗରମ ହେବାରେ ଲାଗିଛି ପ୍ରଚାର ତାତି। ଆଗାମୀ କିଛି ଦିନରେ କେନ୍ଦ୍ରୀୟ ନେତାଙ୍କ ଘନ ଘନ ଗସ୍ତ ଏ ପ୍ରଚାର ତାତିକୁ ଆହୁରି ପ୍ରବଳ କରିବ।

Leave A Reply

Your email address will not be published.