Odisha Link
Bridging the Missing Links in Odisha

ସୁପ୍ରିମ ଆଶ୍ବସ୍ତି ମିଳିବା ପରେ ବି ନିର୍ବାଚନ ଲଢ଼ିପାରିବେନି ମୋକିମ

ଓଏଲା ବ୍ୟୁରୋ: କଟକ-ବାରବାଟୀ ବିିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିିଛି ସୁପ୍ରିମ ଆଶ୍ବସ୍ତି। ହେଲେ ନିର୍ବାଚନ ଦୃଷ୍ଟିକୋଣରୁ ଦେଖିଲେ ମିଳିଛି ବଡ଼ ଝଟକା। କାରଣ ୨୦୨୪ ନିର୍ବାଚନ ଲଢ଼ିପାରିବେନି ମହମ୍ମଦ ମୋକିମ। ଓଆରଏଚଡିସି ଦୁର୍ନୀତି ମାମଲାରେ ତାଙ୍କ ଉପରେ ହୋଇଥିବା ଦଣ୍ଡାଦେଶ ବିରୋଧରେ ସୁପ୍ରିମକୋର୍ଟରେ ସ୍ବତନ୍ତ୍ର ଲିଭ୍ ପିଟିସନ ଦାଖଲ କରିଥିଲେ ମୋକିମ। ସୁପ୍ରିମକୋର୍ଟ ମୋକିମଙ୍କ ଆବେଦନକୁ ଗ୍ରହଣ କରି ଆଜି ଶୁଣାଣି କରିଛନ୍ତି। ହେଲେ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଜାରି କରିନାହାଁନ୍ତି।

ସ୍ବତନ୍ତ୍ର ଲିଭ ପିଟିସନର ଶୁଣାଣି ସରିବା ଯାଏଁ ଦଣ୍ଡାଦେଶ ଲାଗୁ ହେବ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଅର୍ଥାତ ଶୁଣାଣି ସରିବା ଯାଏଁ ସେ ଗିରଫ ହେବେ ନାହିଁ। ତେବେ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଜାରି ହୋଇନଥିବାରୁ ମୋକିମ ଏଥର ସାଧାରଣ ନିର୍ବାଚନ ଲଢିପାରିବେ ନାହିଁ। ଜନପ୍ରତିନିଧି ଆଇନ ଅନୁଯାୟୀ ଦୁଇ ବର୍ଷ କିମ୍ବା ତଦୁର୍ଦ୍ଧ୍ବ ଦଣ୍ଡାଦେଶ ହୋଇଥିଲେ କୌଣସି ରାଜନେତା ନିର୍ବାଚନ ଲଢିପାରିବେ ନାହିଁ। ଏନେଇ ଆଇନଜୀବୀ ସ୍ପଷ୍ଟିକରଣ ରଖିଛନ୍ତି।

ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ବେଶ୍‌ ଖୁସି ଥିବା ମହମ୍ମଦ ମୋକିମ କହିଛନ୍ତି, ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ଆଣି ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିଛନ୍ତି। ତେଣୁ ଆମେ ବେଶ୍‌ ଖୁସି ଅଛୁ। ନିର୍ବାଚନ ଲଢ଼ିବା, ନ ଲଢ଼ିବା ନେଇ କିଛି ସ୍ପଷ୍ଟ ହୋଇନି।

ସୂଚନାଥାଉକି, ଓଆରଏଚଡିସି ଦୁର୍ନୀତି ଅଭିଯୋଗରେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଥିଲେ।ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ଏହି ରାୟ ବିରୋଧରେ ମୋକିମ ହାଇକୋର୍ଟରେ ଅପିଲ କରିଥିଲେ।

Leave A Reply

Your email address will not be published.