Odisha Link
Bridging the Missing Links in Odisha

ବିଜେଡି ଛାଡ଼ିବା ପରେ ମୁହଁ ଖୋଲିଲେ ରାସେଶ୍ବରୀ; କହିଲେ…

ଓଏଲ୍‌ ବ୍ୟୁରୋ: କମ୍ପୁଛି ନିର୍ବାଚନ ମୈଦାନ। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚେହେରାକୁ ନେଇ ନିର୍ବାଚନ ଲଢେଇ ଆରମ୍ଭ ହୋଇଛି।

ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେହିଭଳି ବିଜେପି ଓ କଂଗ୍ରେସ ମଧ୍ୟ ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିସାରିଛି। ହେଲେ ଏ ଯାଏଁ କୌଣସି ଦଳ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ। ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକା ପରେ ବିଭିନ୍ନ ରାଜନୈତିକ ଦଳ ନିଜର ଶକ୍ତି ପ୍ରଦର୍ଶନ ଆରମ୍ଭ କରିଛନ୍ତି। ଏସବୁ ଭିତରେ ନେତାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି।

ବିଜେଡି ଛାଡ଼ିଲେ ରାସେଶ୍ୱରୀ ପାଣିଗ୍ରାହୀ। ସମ୍ବଲପୁରର ପୂର୍ବତନ ବିଧାୟିକା ଥିଲେ ରାସେଶ୍ବରୀ ପାଣିଗ୍ରାହୀ। ଦଳରୁ ଟିକେଟ ପାଇବା ନେଇ ଆଶାୟୀ ଥିବା ଚର୍ଚ୍ଚା ହେଉଥିବାବେଳେ ଟିକେଟ ନମିଳିବାରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି। ରାସେଶ୍ବରୀ ପାଣିଗ୍ରାହୀ ଦଳ ଛାଡିବା ପରେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଆଗାମୀ ଦିନରେ ମୋର ରାଜନୈତିକ କାର୍ଯ୍ୟକଳାପ କରିବାର ନାହିଁ, ମୁଁ ମୋର ଯାହା ସମ୍ପତ୍ତି ଅଛି, ଆମ ଦ୍ୱାରା ପରିଚାଳିତ ଟ୍ରଷ୍ଟକୁ ଯିବ। ମାତ୍ର ମୁଁ ଆଉ ରାଜନୀତି କରିବି ନାହିଁ। ସମ୍ବଲପୁରର ସ୍ବାଭିମାନ ଓ ଅସ୍ମିତା ପାଇଁ ବିଜେଡି ଛାଡ଼ିଲି। ଦଳ ଯେଭଳି ନିଷ୍ପତ୍ତି ନେଲା, ସମ୍ବଲପୁର ପାଇଁ ଅପମାନ। ସମ୍ବଲପୁରରେ କଣ ନେତା ନାହାନ୍ତି, ବାହାରୁ ଆଣି ଲଢ଼ାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

Leave A Reply

Your email address will not be published.