Odisha Link
Bridging the Missing Links in Odisha

ନିର୍ବାଚନ ୨୦୨୪: ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ, ୩୦ରେ ଦାଖଲ କରିବେ ପ୍ରାର୍ଥିପତ୍ର

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ଏବେ ନିର୍ବାଚନୀ ତାତି। ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ କରୁଛନ୍ତି ଜୋରଦାର ପ୍ରସ୍ତୁତି। ସୋମବାର ଦିନ ନବୀନ ନିବାସରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଡ଼ିିଶଙ୍ଖର ପ୍ରଚାର ଆରମ୍ଭ କରିଥିଲେ। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯୋଡ଼ି ଶଙ୍ଖରେ ଭୋଟ୍‌ ଦେବାକୁ ନିବେଦନ କରି ଭିଡିଓ ଜାରି କଲା ପରେ ମଇଦାନରେ ପ୍ରଚାର ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ଆରମ୍ଭ କରିବେ ନବୀନ।। ଆଉ ଏସବୁ ମଧ୍ୟରେ ଆଜି ପ୍ରତ୍ୟକ୍ଷ ଭାବେ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ। ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡ଼ରେ କରିବେ ପ୍ରଚାର। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ଆଜି ସକାଳ ୧୦ଟା ୩୦ ମିନିଟରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ନିକଟରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ। ସେଠାରୁ ସଭାସ୍ଥଳକୁ ଯାଇ ଉପସ୍ଥିତ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ। ଏହାପରେ ସେ ୧୧ଟା ୩୦ ମିନିଟରେ ଗଞ୍ଜାମ ଶେରଗଡ଼ ବସଷ୍ଟାଣ୍ଡରେ ନିର୍ମିତ ହେଲିପ୍ୟାଡରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ସେ ସଭାସ୍ଥଳକୁ ଯାଇ ଜନସଭାକୁ ସମ୍ବୋଧିତ କରିବା ପରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଏହି ପ୍ରଚାର କାର୍ଯ୍ୟରେ ସାମିଲ ହେବେ।

ଆଜିଠୁ ରାଜ୍ୟସ୍ତରୀୟ ପ୍ରଚାର ଆରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମେ’ ୧୩ ତାରିଖରେ ରାଜ୍ୟରେ ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ଭୋଟ। ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସର ଜାତୀୟ ଓ ରାଜ୍ୟସ୍ତରୀୟ ତାରକା ପ୍ରଚାରକଙ୍କ ଭୋଟ୍‌ ଭିକ୍ଷା ପୂର୍ବରୁ ହିଁ ଶାସକ ଦଳ ବିଜୁ ଜନତା ଦଳ ପ୍ରଥମେ ପ୍ରଚାର ଆରମ୍ଭ କରିବାକୁ ଯାଉଛି। ଦଳର ୧ ନମ୍ବର ତାରକା ପ୍ରଚାରକ ବିଜେଡି ସୁପ୍ରିମୋ ହିଞ୍ଜିଳିରୁ ଜୋରଦାର ଢଙ୍ଗରେ ପ୍ରଚାର ଆରମ୍ଭ କରିବାକୁ ଯୋଜନା କରିଛି।

ଏପ୍ରିଲ ୩୦ରେ ନବୀନ କରିବେ ନାମାଙ୍କନ:
ଆସନ୍ତା ଏପ୍ରିଲ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନାମାଙ୍କ ପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ପଟ୍ଟନାୟକ ପ୍ରଥମେ ତାରାତାରିଣୀ ପୀଠରେ ଦେବୀଦର୍ଶନ କରିବା ପରେ ଛତ୍ରପୁର ଯାଇ ସେଠାରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିବେ। ଏହାପରେ ମେ’ ୧ ତାରିଖରେ ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ଖଲ୍ଲିକୋଟ, ଦିଗପହଣ୍ଡି, ଛତ୍ରପୁର ଓ ଆସ୍କା ଲୋକସଭା ଆସନ ଅନ୍ତର୍ଗତ କବିସୂର୍ଯ୍ୟନଗରରେ ନିର୍ବାଚନ ପ୍ରଚାର କରିବେ। ୩ ତାରିଖରେ କନ୍ଧମାଳ ଲୋକସଭା ଆସନ ଅନ୍ତର୍ଗତ ଭଞ୍ଜନଗର, ଆସ୍କା ଲୋକସଭା ଆସନ ଅନ୍ତର୍ଗତ ପୋଲସରା, ସାନଖେମୁଣ୍ଡି ଓ ସୋରଡାରେ ପ୍ରଚାର କରିବେ।

ସେହିପରି ୬ ତାରିଖରେ ବ୍ରହ୍ମପୁର ଲୋକସଭା ଅନ୍ତର୍ଗତ ଗୋପାଳପୁର ଓ ଆସ୍କା ଲୋକସଭା ଆସନ ଅନ୍ତର୍ଗତ ଆସ୍କାରେ ଦୁଇଟି କାର୍ଯ୍ୟକ୍ରମରେ ସାମିଲ ହେବେ। ୭ ତାରିଖରେ ଶେରଗଡ଼, ହିଞ୍ଜିଳି,ବ୍ରହ୍ମପୁରରରେ ୩ଟି ରୋଡସୋରେ ଯୋଗଦେବେ। ୯ ତାରିଖରେ ଗୋପାଳପୁରରେ ଏକ ରୋଡସୋରେ ମୁଖ୍ଯମନ୍ତ୍ରୀ ଯୋଗଦେବେ। ସମସ୍ତ କାର୍ଯ୍ୟକ୍ରମରେ ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସାମିଲ ହେବେ।

Leave A Reply

Your email address will not be published.