Odisha Link
Bridging the Missing Links in Odisha

ଆଳି: ନିର୍ବାଚନ ଖର୍ଚ୍ଚ ପାଇଁ ଜମି ବିକିଲେ କଂଗ୍ରେସ ନେତା

ଓଏଲ୍‌ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀରେ ଗହଳି। ନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମୈଦାନ। ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ରୋଚକ ମୋାଡ଼ରେ ପହଁଞ୍ଚିଛି ଆଳି ରାଜନୀତି। ଆଉ ଏସବୁ ମଧ୍ୟରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା। ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଆଳିରୁ ବିଧାୟକ ଥିବା କଂଗ୍ରେସ ନେତା ଶ୍ରୀ ଶର୍ମା ଏଥର ନିଜର ଉଚ୍ଚଶିକ୍ଷିତା ଝିଅ ଡାକ୍ତର ଦେବସ୍ମିତା ଶର୍ମାଙ୍କୁ ମୈଦାନକୁ ଓହ୍ଲାଇଛନ୍ତି। ନିର୍ବାଚନୀ ପ୍ରଚାରରେ ଅର୍ଥାଭାବ ଯୋଗୁ ନିଜର ଭିଟାମାଟି ବିକ୍ରି କରିଛନ୍ତି ଶ୍ରୀ ଶର୍ମା।

ଦେବେନ୍ଦ୍ର ଶର୍ମା ଏଥର ଝିଅ ଦେବସ୍ମିତାଙ୍କୁ କଂଗ୍ରେସ ଟିକେଟରେ ଆଳି ବିଧାନସଭା ଆସନରୁ ପ୍ରାର୍ଥୀ କରାଇଛନ୍ତି। ଝିଅର ନିର୍ବାଚନ ଖର୍ଚ୍ଚ ତୁଲାଇବା ନିମନ୍ତେ ତାଙ୍କ ପାଖରେ ଟଙ୍କା ନଥିବାରୁ ସେ ବାଧ୍ୟ ହୋଇ ରହୁଥିବା ଘରଡ଼ିହର ୫ଡିସିମିଲ୍ ଜମିକୁୁ ବିକ୍ରି କରିଥିବା ଜଣାପଡ଼ିଛି।ଏହି ପ୍ରସଙ୍ଗରେ ଶ୍ରୀ ଶର୍ମା କହିଛନ୍ତି, ଦିନକୁ ଦିନ ନିର୍ବାଚନ ଏବେ ବ୍ୟୟବହୁଳ ହୋଇପଡ଼ିଛି। ଶାସକ ଦଳର ପ୍ରାର୍ଥୀ ଆଖିବୁଜା ଅର୍ଥ ଖର୍ଚ୍ଚ କରୁଛନ୍ତି। ସେହି ଅନୁପାତରେ ନହେଲେବି ସ୍ୱଳ୍ପ ପରିମାଣର ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ। ତେଣୁ ଭିଟାମାଟି ବିକ୍ରି କରିବା ଛଡ଼ା ଅନ୍ୟ କିଛି ବାଟ ନଥିଲା। ପୂର୍ବରୁ ଚାଷଜମି ସବୁ ବିକ୍ରି ହୋଇସାରିଥିବା ବେଳେ ଏବେ ଭିଟାମାଟି ବିକ୍ରି କରିଥିବା ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ଆଳିବାସୀଙ୍କୁ ସୁରକ୍ଷା ଓ ଆଳିରେ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଏଥର ଝିଅକୁ ପ୍ରାର୍ଥୀ କରାଇଛି। ଆଳିବାସୀଙ୍କ ସେବା ପାଇଁ ଝିଅ ସରକାରୀ ଚାକିରି ଛାଡ଼ିଛି। ଝିଅ ସରକାରୀ ଡାକ୍ତର ଭାବେ କାର୍ଯ୍ୟ କରୁଥିଲା। କିନ୍ତୁ ପିତା ଓ ଜେଜେବାପାଙ୍କ ମାର୍ଗରେ ଯାଇ ଆଳିବାସୀଙ୍କ ସେବା କରିବାକୁ ସେ ଚାହୁଁଥିବାରୁ ତା’ର ଇଚ୍ଛାକୁ ସମ୍ମାନ ଜଣାଉଛି ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଚଳିତ ସାଧାରଣ ନିର୍ବାଚନରେ ମଧ୍ୟ ବିଜେପି, କଂଗ୍ରେସ ଏବଂ ବିଜେଡି ଦଳର ପ୍ରାର୍ଥିଙ୍କ ମଧ୍ୟରେ ତ୍ରିମୁଖୀ ଲଢେଇ ହେବ ବୋଲି ଚର୍ଚ୍ଚା ହେଉଛି। ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ଜାତୀୟ କଂଗ୍ରେସ ଏବଂ ବିଜୁ ଜନତା ଦଳ ଏହି ଆସନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ଏହି ତିନି ଦଳର ପ୍ରାର୍ଥୀ ଭୋଟରଙ୍କ ମନ ଜିଣିବା ପାଇଁ ପ୍ରୟାସ ଆରମ୍ଭ କରିସାରିଛନ୍ତି।

Leave A Reply

Your email address will not be published.