ବଢ଼ିଲା ଡିପ୍ଥେରିଆ ମୃତ୍ୟୁ ସଂଖ୍ୟା, ଆଖି ବୁଜିଲେ ଆଉ ଜଣେ ଆକ୍ରାନ୍ତ

ଓଏଲ୍ ବ୍ୟୁରୋ: ରାଜ୍ୟର କିଛି ଜିଲ୍ଲାରେ ଆତଙ୍କ ଖେଳାଉଛି ଡିପଥେରିଆ ରୋଗ। ଡିପଥେରିଆ ରୋଗରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଚିକିତ୍ସାଧୀନ ୪ ଜଣଙ୍କ ମଧ୍ୟରୁ ଜଣେ ପିଲାର ମୃତ୍ୟୁ ଘଟିଛି। ମୃତକ ୧୦ ବର୍ଷର ବାଳକ, କୋରାପୁଟ ବନ୍ଧୁଗାଁର ବୋଲି ସୂଚନା ରହିଛି। ବ୍ରହ୍ମପୁର MKCG ମେଡିକାଲରେ ଜଣେ ଡିପଥେରିଆ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି MKCG ମେଡିକାଲ ଅଧୀକ୍ଷକ ଡାକ୍ତର ସୁଚିତ୍ର ଦାସ।
ଡିପଥେରିଆ ସଂକ୍ରମଣ ବଢ଼ିବା ପରେ ସ୍ୱାସ୍ଥ୍ୟ ବିଭାଗ ବଡ଼ ପଦକ୍ଷେପ ନେଇଛି। ରାୟଗଡ଼ା କାଶୀପୁରରେ କାଲିଠୁ ବୁଷ୍ଟର ଡୋଜ ଦିଆଯାଇଛି। ଏକ ବର୍ଷ ବୟସ କିମ୍ବା ତାଠାରୁ କମ ବୟସର ଶିଶୁଙ୍କୁ ପେଣ୍ଟା ଡୋଜ ଦିଆଯାଉଛି। ସେହିପରି ୫ରୁ ୧୫ ବର୍ଷ ବୟସ୍କଙ୍କୁ ଟିଡି ଡୋଜ୍ ଦିଆଯାଉଛି। ଏନେଇ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡାକ୍ତର ସଂଯୁକ୍ତା ସାହୁ ସୂଚନା ଦେଇଛନ୍ତି।
ଡିପଥେରିଆ କ’ଣ ?
ଡିପ୍ଥେରିଆ ହେଉଛି ଜୀବାଣୁଜନିତ ରୋଗ। ଏହି ଜୀବାଣୁ ଶ୍ଵାସନଳୀରେ ପ୍ରବେଶ କରି ସଂକ୍ରମଣ କରିଥାଏ। ଗଳା, ନାକ ଓ ଫୁସ୍ଫୁସ୍ ପର୍ଯ୍ୟନ୍ତ ସଂକ୍ରମିତ କରିଥାଏ।ଜୀବାଣୁମାନେ ଏହି ସ୍ଥାନଗୁଡ଼ିକରେ ଏକ ଧଳା ଆକାରର ଏକ ପରଦା ସୃଷ୍ଟି କରିଥାନ୍ତି। ଯାହା ଫଳରେ ରୋଗୀ ଶ୍ଵାସକ୍ରିୟାରେ କଷ୍ଟ ଅନୁଭବ କରିଥାଏ। ଏଥିସହ ବେକ ଫୁଲିବା ସହ ଦୀର୍ଘ ଦିନ ଧରି ଜ୍ଵର ଶରୀରରେ ରହିଥାଏ। ସାଧାରଣତଃ ନାକରେ ସଂକ୍ରମଣ ହେଲେ ସ୍ବଳ୍ପ ବିପଦ ଥାଏ। କିନ୍ତୁ ଯଦି ଗଳା ବା ଶ୍ଵାସନଳୀରେ ସଂକ୍ରମଣ ହେଲା, ରୋଗୀଙ୍କ ପାଇଁ ଅଧିକ ବିପଦ ବଢିବାର ସମ୍ଭାବନା ରହିଥାଏ। ଏହା ରୋଗୀଙ୍କ ହାର୍ଟକୁ ବହୁମାତ୍ରାରେ ପ୍ରଭାବିତ କରିଥାଏ। ତେଣୁ ଏହି ରୋଗରେ ପିଲାଙ୍କ ବଞ୍ଚିବା ସମ୍ଭାବନା କମ ରହିଥାଏ ବୋଲି ଡାକ୍ତର ମତବ୍ୟକ୍ତ କରିଛନ୍ତି।