କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ଚିହ୍ନଟ, ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ଦଳ

ଓଏଲ୍ ବ୍ୟୁରୋ: ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ ବଢ଼ିବାରେ ଲାଗିଛି। ରାଜ୍ୟର ପୁରୀ ଜିଲାର ପିପିଲି, ସତ୍ୟବାଦୀ, ନିମାପଡା ଓ ଡେଲାଙ୍ଗ ବ୍ଲକର ୪ଟି ଗ୍ରାମରେ ବାର୍ଡ ଫ୍ଲୁ ରୋଗ ଚିହ୍ନଟ ହୋଇଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି। ବାର୍ଡ ଫ୍ଲୁ ଚିହ୍ନଟ ପରେ କେନ୍ଦ୍ରାପଡାରେ କୁକୁଡାମରା ଅଭିଯାନକୁ ତ୍ବରାନୀତ କରାଯାଇଛି। କେନ୍ଦ୍ରାପଡ଼ାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଏକ କେନ୍ଦ୍ରୀୟ ଦଳ କେନ୍ଦ୍ରାପଡା ଗସ୍ତରେ ଯାଇଛନ୍ତି। ସ୍ଥିତି ଅନୁଧ୍ୟାନ କରିବା ସହ ସଂକ୍ରମିତ ଅଂଚଳରେ କୁକୁଡ଼ା ଓ ଅଣ୍ଡା ବାରଣ କରାଯାଇଛି।
ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ଏଣ୍ଡୋର ଏବଂ ବାଲିଆ ଗ୍ରାମସ୍ଥିତ ଗୃହପାଳିତ ପକ୍ଷୀମାନଙ୍କ ଠାରୁ ବାର୍ଡ଼ ଫ୍ଲୁ ସନ୍ଦେହରେ ସେପ୍ଟେମ୍ବର ପାଞ୍ଚ ତାରିଖରେ ନମୁନା ସଂଗ୍ରହ କରାଯାଇ ୬ ତାରିଖରେ ଜାତୀୟ ଉଚ୍ଚ ନିରାପତା ସମ୍ପନ ପ୍ରାଣୀରୋଗ ପ୍ରତିଷ୍ଠାନ ଭୋପାଳକୁ ପରୀକ୍ଷା ପାଇଁ ପ୍ରେରଣ କରାଯାଇଥିଲା। ସାତ ତାରିଖରେ ଏହି ଦୁଇସ୍ଥାନରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନକୁ ପ୍ରମାଣ ହସ୍ତଗତ କରାଯାଇଛି।
ଏହି ଭୁତାଣୁ ଜ୍ଵର ସଂକ୍ରମଣ ଜିଲ୍ଲାର ଅନ୍ୟ ଅଞ୍ଚଳ ଓ ମନୁଷ୍ୟ ମାନଙ୍କୁ ଯେପରି ସଂକ୍ରମିତ ନ ହେବ ସେଥିପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ନିଷ୍ପତି ହୋଇଛି। ନିଷ୍ପତି ଅନୁଯାୟୀ ବାର୍ଡ ଫ୍ଲୁ ସଂକ୍ରମିତ ଏଣ୍ଡୋର ଓ ବାଲିଆ ଗ୍ରାମସ୍ଥିତ ଶୂନ୍ୟରୁ ଏକ କିଲୋମିଟର ମଧ୍ୟରେ ରହିଥିବା ସମସ୍ତ କୁକୁଡ଼ାଙ୍କୁ ମାରି ପୋତି ଦିଆଯାଉଛି। ଏହା ସହ କ୍ଷତି ସହିଥିବା ଗୃହପାଳିତ କୁକୁଡ଼ା ମାଲିକ ମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ହୋଇଥିବା କ୍ଷତିପୁରଣ ପ୍ରଦାନ କରାଯିବ।
ସଂକ୍ରମିତ ଅଞ୍ଚଳ ଭିତରକୁ ଆସୁଥିବା ଏବଂ ସଂକ୍ରମିତ ଅଞ୍ଚଳ ବାହାରକୁ ଯାଉଥିବା କୁକୁଡ଼ା ଓ କୁକୁଡ଼ାଜାତ ଦ୍ରବ୍ୟ ଉପରେ କଟକଣା ଜାରୀ କରାଯାଇଥିବା ନେଇ ସୂଚନା ମିଳିଛି। ସଂକ୍ରମିତ ଅଞ୍ଚଳରୁ କୁକୁଡ଼ାମରା ଅଭିଯାନ ଶେଷ ପରେ ସଂକ୍ରମିତ କୁକୁଡ଼ା ପାଳନ ଫାର୍ମ ପରିସର ବିଶୋଧନ କରାଯିବ ଓ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ। ସଂକ୍ରମିତ ଅଞ୍ଚଳ ବାହାରେ ଏକ କିଲୋମିଟରରୁ ଦଶ କିଲୋମିଟର ମଧ୍ୟରେ କୁକୁଡ଼ା ମାନଙ୍କର ସର୍ଭିଲାନ୍ସ (ନିରୀକ୍ଷଣ) କରାଯିବା ପାଇଁ ବ୍ୟବସ୍ଥା ହୋଇଛି। ଏହି ସବୁ ଅଞ୍ଚଳରେ ଅଣ୍ଡା, କୁକୁଡ଼ା ଖାଇବା ପାଇଁ ବାରଣ କରାଯାଇଛି।