Odisha Link
Bridging the Missing Links in Odisha

ବିଜେପିକୁ ପ୍ରମିଳାଙ୍କ କଟାକ୍ଷ, କଡ଼ା ଜବାବ ଦେଲେ ଜୟନାରାୟଣ ମିଶ୍ର

ଓଏଲ୍‌ ବ୍ୟୁରୋ: ଆସୁଛି ଦୀପାବଳି। ହେଲେ ଏପର୍ଯ୍ୟନ୍ତ ନେତାଙ୍କୁ ମିଳିଲାନି ପାର୍ବଣ ଲଡ଼ୁ। ୨୪ ବର୍ଷର ସରକାରକୁ ପଛରେ ପକାଇ ପ୍ରଥମ ଥର ପାଇଁ ଶାସନ ଗାଦିରେ ବସିଥିବା ବିଜେପି ସରକାରକୁ ୪ ମାସ ପୂରିଲାଣି ହେଲେ ଏପର୍ଯ୍ୟନ୍ତ ରାଜ୍ୟ ଯୋଜନା ବୋର୍ଡ, ନିଗମ ଅଧ୍ୟକ୍ଷଙ୍କ ନାମ ଘୋଷଣା କରିପାରୁ ନାହିଁ। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି। ଏହା ସହ ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବା ନେଇ ଚର୍ଚ୍ଚା ମଧ୍ୟ ଲାଗି ରହିଛି। ଏସବୁ ଭିତରେ ବିଜେଡି ବିଜେପିକୁ ଟାର୍ଗେଟ କରିଛି। ଏହାର ଜବାବ ରଖିବା ସହ ମନ୍ତ୍ରୀପଦ ନେଇ ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି।

ଜୟନାରାୟଣ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ଚାହିଁଲେ ମନ୍ତ୍ରୀ ହେବି। ନହେଲେ ନାହିଁ। ନବୀନ ଓ ପାଣ୍ଡିଆନଙ୍କୁ ହଟାଇବା ମୋ ଲକ୍ଷ୍ୟ ଥିଲା। ପୁରସ୍କାର ମତେ ଲୋକ ଦେଇଛନ୍ତି। ଶାହଙ୍କ ଗୋଟିଏ ହୁଇସିଲରେ ବିଜେଡି ଭାଙ୍ଗିଯିବ। ନିର୍ବାଚନ ହେଲେ ବିଜେଡି ୪୦ ଆସନ ପାଇବା କଷ୍ଟ। ବିଜେଡି ଭାଙ୍ଗିଗଲାଣି, ୨ ରାଜ୍ୟସଭା ସାଂସଦ ଆସିଲେଣି। ଜିଲ୍ଲା ସ୍ତରରେ ବିଜେଡିରେ ଗଣ୍ଡଗୋଳ ଦେଖାଦେଉଛି।

ଅନ୍ୟପଟେ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମୀଳା ମଲ୍ଲିକ କହିଛନ୍ତି, ଆଜି ନିର୍ବାଚନ ହେଲେ ବିଜେଡି ୧୪୦ ସିଟ୍ ଜିତିବ।ବିଜେଡି ଆଜି ବି ଏକ ନମ୍ବର ଦଳ। ଆମ ଦଳର କେହି ନେତା ବିଷୋଦଗାର କରୁନାହାଁନ୍ତି। ବିଜେପିର ଅବସ୍ଥା କଣ ହେଉଛି ସେ ନିଜେ ସମ୍ଭାଳନ୍ତୁ। ବିଜେପି ନିଜ ଘର ସମ୍ଭାଳୁ, ଆମ କଥା ଚିନ୍ତା ନକରୁ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମୀଳା ମଲ୍ଲିକ କହିଛନ୍ତି।