Odisha Link
Bridging the Missing Links in Odisha

ଆଡିଲେଡ୍‌ ଅନ୍ଧାର: ଚାଲିଥିଲା ମ୍ୟାଚ, ହଠାତ୍‌ ବନ୍ଦ ହୋଇଗଲା ଲାଇଟ୍‌

ଓଏଲ୍‌ ବ୍ୟୁରୋ: ଗୋଲାପି ଟେଷ୍ଟରେ ଫ୍ଲଡ ଲାଇଟ୍‌ର ଲୁଚକାଳି ଖେଳ। ଆଡିଲେଡରେ ଖେଳାଯାଉଥିବା ଦିବାରାତ୍ର ଟେଷ୍ଟରେ ବିଦ୍ୟୁତ ବିଭ୍ରାଟ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆ ଇନିଂସର ୧୮ ତମ ଓଭରରେ ଫ୍ଲଡ ଲାଇଟ୍‌ ବନ୍ଦ ହେବାରୁ କିଛି ସମୟ ପାଇଁ ଖେଳରେ ବ୍ରେକ୍‌ ଲାଗିଥିଲା। ପରେ ଲାଇଟ୍‌ ଆସିଥିଲା । ପୁଣି ୨ ମିନିଟ ପରେ ଲାଇନ ପଳାଇଥିଲା। ଆଡିଲେଡ ଟେଷ୍ଟରେ ବିଦ୍ୟୁତ ବିଭ୍ରାଟକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି।

ଭାରତୀୟ ଦଳ ପ୍ରଥମ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତୀୟ ଦଳ ୪୪ ଓଭରରେ ସମସ୍ତ ଓ୍ବିକେଟ ହରାଇ ମାତ୍ର ୧୮୦ ରନ୍‌ ସ୍କୋରରେ ଅଲଆଉଟ୍‌ ହୋଇଥିଲା। ମିଚେଲ ଷ୍ଟାର୍କ ୬ ଓ୍ବିକେଟ ନେଇ ଭାରତୀୟ ଦଳକୁ ବଡ଼ ସ୍କୋର କରିବାରେ ରୋକି ଥିଲେ। ବର୍ତ୍ତମାନ ଅଷ୍ଟ୍ରେଲିଆ ଦଳ ବ୍ୟାଟିଂ ଜାରି ରଖିଛି। ଖବର ଲେଖାହେବା ବେଳକୁ ଅଷ୍ଟ୍ରେଲିଆ ଦଳ ଗୋଟିଏ ଓ୍ବିକେଟ ହରାଇ ୪୭ ରନ୍‌ ସ୍କୋର କରିଛି।

ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। କେଏଲ୍‌ ରାହୁଲ ଓ ଯଶ୍ବସୀ ଜୟଶଓ୍ବାଲ ଭାରତ ପାଇଁ ଇନିଂସ୍‌ ଓପନ୍‌ କରିଥିଲେ। ହେଲେ ମ୍ୟାଚର ପ୍ରଥମ ବଲ୍‌ରେ ହିଁ ମିଚେଲ୍‌ ଷ୍ଟାର୍କ ଭାରତକୁ ବଡ଼ ଝଟକା ଦେଇଥିଲେ। ଇନ୍‌ଫର୍ମ ବ୍ୟାଟସମ୍ୟାନ୍‌ ଯଶ୍ବସୀ ଜୟଶଓ୍ବାଲଙ୍କୁ ପ୍ରଥମ ବଲ୍‌ରେ ହିଁ ପ୍ୟାଭିଲିଅନ୍‌ ପଠାଇଥିଲେ ଷ୍ଟାର୍କ। ପରେ ରାହୁଲଙ୍କୁ ସାଥ ଦେବା ପାଇଁ କ୍ରିଜକୁ ଆସିଥିଲେ ଶୁଭମନ ଗିଲ୍। ଦୁହେଁ ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ।

ମ୍ୟାଚର ୧୯ତମ ଓଭରରେ ପୁଣିଥରେ ଷ୍ଟାର୍କ ଭାରତକୁ ଦ୍ବିତୀୟ ଝଟକା ଦେଇଥିଲେ। ରାହୁଲଙ୍କୁ ସେ ୩୧ ରନ୍‌ରେ ପ୍ୟାଭିଲିଅନ୍‌ ପଠାଇଥିଲେ। ଭଲ ସ୍ଥିତିରେ ଥିବା ଭାରତ ହଠାତ୍‌ ୧୬ଟି ବଲରେ ୩ଟି ଓ୍ବିକେଟ ହରାଇଥିଲା। ବିରାଟ ଓ ଗିଲ୍‌ଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ଦଳୀୟ ସ୍କୋର ୮୧ ହୋଇଥିବା ବେଳେ ବିରାଟଙ୍କ ଓ୍ବିକେଟ ନେଇଥିଲେ ଷ୍ଟାର୍କ। ପରେ ପରେ ବୋଲାଣ୍ଡଙ୍କ ଶିକାର ହୋଇଥିଲେ ଶୁଭମନ ଗିଲ୍‌।

ପରେ ରୋହିତ ଶର୍ମା ଓ ଋଷଭ ପନ୍ତ ବ୍ୟାଟିଂ କରିବାକୁ ଆସିଥିଲେ ବଡ଼ ସ୍କୋର କରିବାରେ ସକ୍ଷମ ହୋଇନଥିଲେ। ରୋହିତ ମାତ୍ର ୩ ରନ୍‌ କରି ପ୍ୟାଭିଲିଅନ୍‌ ଯାଇଥିବା ବେଳେ ପନ୍ତ ୨୧ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଯୁବ ଖେଳାଳି ନୀତୀଶ ରେଡ୍ଡୀ ଆଡିଲେଡ୍‌ରେ ରନ୍‌ ବର୍ଷା କରିଥିଲେ। ଗୋଟିଏ ପଟେ ଓ୍ବିକେଟ ଯାଉଥିବା ବେଳେ ନୀତୀଶ ଇନିଂସ୍‌ ଶେଷ ଯାଏଁ ଏକାକି ଲଢ଼େଇ କରିଥିଲେ। ସେ ଭାରତୀୟ ଦଳ ପକ୍ଷରୁ ସର୍ବାଧିକ ରନ୍‌ ସ୍କୋରର ରହିଛନ୍ତି। ସେ ୪୨ ରନ୍‌ କରି ଷ୍ଟାର୍କଙ୍କ ଶିକାର ହୋଇଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ବାମହାତୀ ପେସ୍‌ ବୋଲର ମିଚେଲ୍‌ ଷ୍ଟାର୍କ ସର୍ବାଧିକ ୬ଟି ଓ୍ବିକେଟ ନେଇଥିବା ବେଳେ ପ୍ୟାଟ କମିନ୍ସ ଓ ସ୍କଟ୍‌ ବୋଲାଣ୍ଡ ୨ଟି ଲେଖାଏଁ ଓ୍ବିକେଟ ନେଇଛନ୍ତି।