ଦୀଘା ମନ୍ଦିର ସାମ୍ନାରେ ଲାଗିଲା ଜଗନ୍ନାଥ ଧାମ ହୋର୍ଡିଂ, ମିଛ ପ୍ରମାଣିତ ହେଲା ଅମିତ ମାଲବ୍ୟଙ୍କ ଟ୍ୱିଟ୍

ଓଏଲ୍ ବ୍ୟୁରୋ: କାଲି ହଟିଥିଲା ଅସ୍ଥାୟୀ ହୋର୍ଡିଂ। ରାତାରାତି ଲାଗିଲା ଜଗନ୍ନାଥ ଧାମ ହୋର୍ଡିଂ। ଦୀଘାରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପୁଣି ବଡ ବଡ ଅକ୍ଷରରେ ଜଗନ୍ନାଥ ଧାମ ପୋଷ୍ଟର ମରାଯାଇଛି। ଦୀଘା ଜଗନ୍ନାଥ ମନ୍ଦିର ଉଦ୍ଘାଟନ ସମୟରେ ଯେଉଁ ଅସ୍ଥାୟୀ କାଗଜ ଓ ଥର୍ମାକୋଲରେ ସେଲ୍ଫି ପଏଣ୍ଟ କରାଯାଇଥିଲା ସେଥିରେ ଦୀଘା ଜଗନ୍ନାଥ ଧାମ ଲେଖାଥିଲା। ୩୦ ତାରିଖ ଉଦ୍ଘାଟନ ପରେ ୧ ତାରିଖ ଦିନ ଟେଣ୍ଡ ମାଲିକ ଖୋଲି ନେଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଜଗନ୍ନାଥ ଧାମ ଶବ୍ଦକୁ ହଟାଇବା ପାଇଁ ଜୋରଦାର ପ୍ରତିବାଦ ଓ ବିବାଦ ଦେଖିବାକୁ ମିଳିଥିଲା।
ଏହାରି ଭିତରେ ଗତକାଲି ବିଜେପିର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ଟୁଇଟ କରି ମମତା ଜଗନ୍ନାଥ ଧାମ ଉଠାଇ ନେଇଥିବା ପୋଷ୍ଟ କରିଥିଲେ। କିନ୍ତୁ ପ୍ରକୃତରେ ତାହା ସ୍ଥାୟୀ ନଥିଲା, କେବଳ ଦୁଇ ଦିନ ପାଇଁ ଟେଣ୍ଡ୍ ମାଲିକ ସେଲ୍ଫି ପାଇଁ ଲଗାଇ ଥିଲେ। ତେବେ ଦିଦି ମୁଣ୍ଡ ନୁଆଁଇ ଜଗନ୍ନାଥ ଧାମ ଉଠାଇ ନେଇଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ପରେ ଗତକାଲି ରାତିରେ ପୁଣି ସ୍ଥାୟୀ ଭାବେ ମନ୍ଦିର ସମ୍ମୁଖରେ ଜଗନ୍ନାଥ ଧାମ ବୋଲି ହୋର୍ଡିଂ ଲଗା ଯାଇଛି। ଖାଲି ସେତିକି ନୁହେଁ ପୂର୍ବରୁ ଯେଉଁ ସେଲ୍ଫି ପଏଣ୍ଟ କରାଯାଇଥିଲା ପୁଣି ତାକୁ ତିଆରି ପାଇଁ ବ୍ୟବସ୍ଥା ଚାଲିଛି। ମନ୍ଦିର ସାମ୍ନାରେ ବଡ଼ ବଡ଼ ଅକ୍ଷରରେ ଲଗାଗଲା ହୋର୍ଡିଂ।