ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ସରିଲା ନ୍ୟାୟିକ ପ୍ରକ୍ରିୟା, ରାୟ ସଂରକ୍ଷିତ

ଓଏଲ୍ ବ୍ୟୁରୋ: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ନ୍ୟାୟିକ ପ୍ରକ୍ରିୟା ଶେଷ ହୋଇଥିବାବେଳେ ରାୟ ସଂରକ୍ଷିତ ରଖାଯାଇଛି। ତେବେ କିଛି ସମୟ ପରେ ହୋଇପାରେ ଦଣ୍ଡବିଧାନ ପାଇଁ ତାରିଖ ଘୋଷଣା ହୋଇପାରେ। ଅଭିଯୁକ୍ତ ପୁଞ୍ଜିଲାଲକୁ କି ଦଣ୍ଡ ମିଳିବ ତା ଉପରେ ସମସ୍ତଙ୍କ ନଜର ରହିଛି।
ସୂଚନା ଅନୁସାରେ, ୨୦୧୮ ଫେବୃୟାରୀ ୨୩ରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା। ଏଥିରେ ନବବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା। ନବବଧୂ ରିମା ସାହୁ ଗୁରୁତର ଆହତ ହୋଇ ଦୀର୍ଘଦିନ ଧରି ଚିକିତ୍ସିତ ହୋଇଥିଲେ।
ବିବାହ ଉତ୍ସବର ୫ ଦିନ ପରେ ଉପହାର ପ୍ୟାକେଟ୍ ଜରିଆରେ ଏହି ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ଘଟିବା ରାଜ୍ୟ ତଥା ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏହି ଘଟଣାରେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ବଲାଙ୍ଗୀର, ପାଟଣାଗଡ ରାୟପୁର ଅଞ୍ଚଳରେ ତଦନ୍ତ କରି ଭଇଁଷା କଲେଜ ଇଂଲିଶ ବିଭାଗ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଘଟଣାର ମାଷ୍ଟରମାଇଣ୍ଡ ଓ ଅଭିଯୁକ୍ତ ଦର୍ଶାଇ ଗିରଫ କରିଥିଲେ।
ଭଇଁଷା କଲେଜରେ ମୃତ ସୌମ୍ୟଶେଖରଙ୍କ ମା’ ସଂଯୁକ୍ତା ସାହୁ ଅଧ୍ୟକ୍ଷା ଭାବେ କାମ କରୁଥିଲେ। ସଂଯୁକ୍ତାଙ୍କ ପ୍ରତି ପ୍ରତିଶୋଧପରାୟଣ ହୋଇ ପୁଞ୍ଜିଲାଲ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟାଇଥିଲେ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା। ଏହି ଘଟଣାକୁ ନେଇ ‘ପାଟଣାଗଡ଼’ ଶୀର୍ଷକରେ ଏକ ଚଳଚ୍ଚିତ୍ର ନିର୍ମାଣ ହେଉଥିବା ଜଣାପଡିବା ପରେ ଏହାକୁ ସୌଦାମିନୀ ବିରୋଧ କରିଥିଲେ। ‘ପାଟଣାଗଡ଼’ ଚଳଚ୍ଚିତ୍ରର ପ୍ରଯୋଜକ, ନିର୍ମାତା ଓ ନିର୍ଦ୍ଦେଶକ ଓ କଳାକାରଙ୍କ ବିରୋଧରେ ଅଭିଯୋଗ କରିଥିଲେ।