Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ: କହିଲେ-ଯିଏ କାମ ନ କରିବ କ୍ଷମା ନାହିଁ

ଓଏଲ୍‌ ବ୍ୟୁରୋ: ଗୁରୁବାର ଭୁବନେଶ୍ୱରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ବି-ଦିବସୀୟ ସମ୍ମିଳନୀ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମ୍ମିଳନୀକୁ ଉଦଘାଟନ କରି କୌଣସି ଚାପର ବଶବର୍ତ୍ତୀ ନହୋଇ ଭଲ କାମ କରିବାକୁ ପରାମର୍ଶ ଦେଇଛନ୍ତି। ଆମ ସରକାର ଆପଣମାନଙ୍କୁ ଯଥେଷ୍ଟ ସ୍ଵାଧୀନତା ଦେଇଛନ୍ତି। ଆପଣମାନେ ଜନ ପ୍ରତିନିଧିଙ୍କ ସହ ଉତ୍ତମ ସମ୍ପର୍କ ରଖି ନିରପେଷ ଭାବେ ଲୋକଙ୍କ ପାଇଁ କାମ କରନ୍ତୁ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ହୋଇଛି। ଆଦିବାସୀ ବର୍ଗରୁ ପ୍ରତିନିଧିତ୍ଵ କରୁଛି। କିନ୍ତୁ ମୁଁ ବହୁତ ବଡ଼ ନିଷ୍ପତ୍ତି ନେଇପାରେ। ମୋ ପାଖରେ ସବୁ ରିପୋର୍ଟ ରହିଛି। ସେ କାଳ ପଖାଳ ଆଉ ନାହିଁ। ନୂଆ ସରକାରଙ୍କ ଆଭିମୁଖ୍ୟକୁ ନେଇ କାମ କରିବାକୁ ପଡ଼ିବ। ଯିଏ କାମ ନ କରିବ କ୍ଷମା ନାହିଁ। ଏହାସହ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦେଇ ମୁଖ୍ୟମନ୍ତ୍ରୀ ମନରେଗାରେ ମେସିନରେ କାମ ବନ୍ଦ କରିବାକୁ କହିଛନ୍ତି। ମନରେଗାରେ ଲେବର୍ ଲଗାଇ କାମ ନକରି ମେସିନରେ କାମ ହେଉଛି। ମଷ୍ଟର ରୋଲରେ ବିଭିନ୍ନ ଲୋକଙ୍କ ନା ପକାଇ କାମ ହେଉଛି।

ଅତଏବ ମେସିନ୍ ନ ଲଗାଇ ଶ୍ରମିକମାନଙ୍କୁ କର୍ମ ନିଯୁକ୍ତି ଉପରେ ଧ୍ୟାନ ଦିଆଯିବା ଉଚିତ। ଏଥିପାଇଁ ଆଗାମୀ ଦିନରେ ଗାଇଡଲାଇନ୍ ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟନ୍ୱୟନ ରେ ବିଲମ୍ବତାକୁ ନେଇ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିବା ସହ ବିଡିଓମାନେ ଏନେଇ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ପଂଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଉପସ୍ଥିତ ଥିଲେ।