ଏଣିକି କଲେଜ ପିଲା ପଢ଼ିବେ ଷ୍ଟକ୍ ଏକ୍ସଚେଞ୍ଜ୍ ପାଠ, ସ୍ବାକ୍ଷରିତ ହେଲା ଏମ୍ଓୟୁ

ଓଏଲ୍ ବ୍ୟୁରୋ: ଏଣିକି କଲେଜ ପିଲା ପଢ଼ିବେ ଷ୍ଟକ୍ ଏକ୍ସଚେଞ୍ଜ୍ ପାଠ। କଲେଜରୁ ଶିଖିବେ ଷ୍ଟକ୍ ମାର୍କେଟରୁ ଟଙ୍କା ରୋଜଗାର କରିବାର କଳା। ଏନେଇ ଉଚ୍ଚଶିକ୍ଷା ବିଭାଗ ସହ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ଏକ ଏମଓୟୁ ସ୍ବାକ୍ଷରିତ ହୋଇଛି। ତୋଷାଳୀ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଚୁକ୍ତି କରାଯାଇଛି। ରାଜ୍ୟର ବିଭିନ୍ନ କଲେଜରେ NSE ପକ୍ଷରୁ ଇଣ୍ଟନସିପ୍ ମାଧ୍ୟମରେ ଏହି ପ୍ରଶିକ୍ଷଣ ଦିଆଯିବ। ଏହାଦ୍ୱାରା କଲେଜ ପଢ଼ା ସହ କିମ୍ବା କଲେଜ ପରେ ଫାଇନାନ୍ସସିଆଲ୍ ଆଡଭାଇଜର୍, ଷ୍ଟକ୍ ବ୍ରୋକର ଭଳି କାର୍ଯ୍ୟ କରିପାରିବେ ଛାତ୍ରଛାତ୍ରୀ। ଲେଭଲ ୧ ଏବଂ ୨ ଦୁଇଟିରେ ଏହି ପ୍ରଶିକ୍ଷଣ ଦିଆଯିବ।
ସାଧାରଣତଃ ଯୁକ୍ତ ତିନି ଶେଷ ବର୍ଷ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀଙ୍କୁ ନଜରରେ ରଖି ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଅନ୍ୟ ବିଭାଗର ପିଲାମାନେ ମଧ୍ୟ ଏହି ଟ୍ରେନିଂ ନେଇପାରିବେ ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ତେବେ ଏହି ଏମଓୟୁ ପରେ NSEର ପ୍ରଶିକ୍ଷକମାନେ କଲେଜରେ ନିଜେ ଯାଇ ପ୍ରଶିକ୍ଷଣ ଦେବେ। ଲେଭଲ-୧ ରେ ୨୦ ଘଣ୍ଟା ଏବଂ ୨ରେ ୩୦ ଘଣ୍ଟା ର ଟ୍ରେନିଂ ରହିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।