ଦୁର୍ବଳ ହେଲା ମୌସୁମୀ, ରାଜ୍ୟରେ ପୁଣି ଅସହ୍ୟ ତାତି

ଓଏଲ୍ ବ୍ୟୁରୋ: ପୁଣି ଅସହ୍ୟ ହେଲାଣି ଗୁଳୁଗୁଳି। ଦୁର୍ବଳ ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ରାଜ୍ୟରେ ପୁଣି ଉପର ମୁହାଁ ତାତି। ଉପକୂଳ ଜିଲ୍ଲାରେ ତାତି ସହ ଅହସ୍ୟ ଗୁଳୁଗୁଳି ହେଉଛି। ବର୍ତ୍ତମାନ ସୁଦ୍ଧା ୩୭ ଡିଗ୍ରି ଟପିସାରିଲାଣି ରାଜଧାନୀ ଭୁବନେଶ୍ବରର ତାପମାତ୍ରା। ଆଜି ଦିନ ୧୧ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୩୭.୪ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ତେବେ ଗତକାଲି ଏହି ସମୟରେ ଭୁବନେଶ୍ବରର ତାପମାତ୍ରା ୩୬.୪ ଡିଗ୍ରି ରେକର୍ଡ ହୋଇଥିଲା।
ଅନ୍ୟପଟେ, ରାଜ୍ୟର କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ କରିଛି ପାଣିପାଗ କେନ୍ଦ୍ର। ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି ଓ ଗଞ୍ଜାମ। ମଧ୍ୟାହ୍ନ/ସନ୍ଧ୍ୟା ସମୟରେ ଏହିସବୁ ଜିଲ୍ଲା ଗୁଡ଼ିକର ଗୋଟିଏ କିମ୍ବା ୨ଟି ସ୍ଥାନରେ ବର୍ଷା, ଘଡ଼ଘଡ଼ି ସହ ଝଟକା ପବନ (୩୦-୪୦) କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି।